ଜଗାକୁ ଏମ୍ସରୁ ଡିସଚାର୍ଜ !

ବଳିଆ ସହ ରହୁଛି ଘରୋଇ ଓ୍ଵାର୍ଡରେ

ନୂଆଦିଲ୍ଲୀ : ଏମ୍ସରେ ଚିକିତ୍ସିତ ହେଉଥିବା ଜଗାର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପରେ ଘରୋଇ ଓ୍ଵାର୍ଡର ୬୦୧୧ ନମ୍ବର ପ୍ରକୋଷ୍ଠରୁ ଡିସଚାର୍ଜ କରାଯାଇ ବଳିଆ ଓ ବାପା-ମା’ ରହୁଥିବା ୬୦୧୦ ନମ୍ବର ପ୍ରକୋଷ୍ଠକୁ ଜଗାକୁ ସ୍ଥାନାନ୍ତର କରାଯାଇଛି। ଜଗା ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବାରୁ ବର୍ତ୍ତମାନ ଆଉ ତାହାର ଚିକିତ୍ସା ନୁହେଁ ବରଂ ଯତ୍ନନେବା ଆବଶ୍ୟକ ଦର୍ଶାଇ ଏମ୍ସ କର୍ତ୍ତୃପକ୍ଷ ତାକୁ ଡିସଚାର୍ଜ କରିଥିବା ଜଣାପଡ଼ିଛି। କିନ୍ତୁ ଏନେଇ ଏମ୍ସ କର୍ତ୍ତୃପକ୍ଷ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହାନ୍ତି। ଜଗାର ଆରୋଗ୍ୟଲାଭ ପାଇଁ ବାପା ଭୂୟାଁ କହଁର ଏମ୍ସ ଡାକ୍ତରଦଳ,ଏମ୍ସ କର୍ତ୍ତୃପକ୍ଷ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଡିସଚାର୍ଜ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଛନ୍ତି। ଜଗା ଏବେ ଖିଆପିଆ ଠିକ୍‌ ଠାକ୍‌ କରୁଥିବା ବେଳେ ନିୟମିତ ଭାବେ ବ୍ୟାୟାମ କରୁଛି ଓ ଖେଳୁଛି।

ବଳିଆର ସ୍ୱସ୍ଥ୍ୟାବସ୍ଥାରେ କିନ୍ତୁ ସେପରି କୌଣସି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇନାହିଁ। ଅଧିକାଂଶ ସମୟ ସେ ଶୋଇ ରହୁଥିବା ବେଳେ ପୂର୍ବବତ୍‌ ପାଟି ଓ ନାକରେ ନଳୀ ମଧ୍ୟ ଲାଗିଛି। ବଳିଆ ଏଯାବତ୍‌ କାହାକୁ ଚିହ୍ନିପାରୁ ନଥିବା ବେଳେ ତା’ ଗୋଡ଼ର କ୍ଷତ ମଧ୍ୟ ଶୁଖିନାହିଁ। ଅତ୍ୟନ୍ତ ଜଟିଳ ଓ ବିରଳ ଅପରେସନ ଦ୍ୱାରା ଯୋଡ଼ାମୁଣ୍ଡ ଶିଶୁଙ୍କୁ ଅଲଗା କରାଯାଇଥିବାରୁ ତା’ ସ୍ଥିତିରେ ସୁଧାର ପାଇଁ ଆହୁରି ସମୟ ଲାଗିବ ବୋଲି ଡାକ୍ତରମାନେ କହୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଚିକିତ୍ସାରତ ବଳିଆ ଆଉ କେତେ ଦିନ ଏମ୍ସରେ ରହିବ ସେନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର