ପରାଜୟର ସାମ୍ନା କଲାପରେ ମନେପଡ଼ିଲେ ଆଡ଼ଭାନୀ ଓ ଯୋଶୀ; ଶରଣ ପଶିଲେ ମୋଦି ଓ ଶାହା

ନୂଆଦିଲ୍ଲୀ: ସଦ୍ୟସମାପ୍ତ ଉପ- ନିର୍ବାଚନଗୁଡ଼ିକରେ ଭାରତୀୟ ଜନତା ପାର୍ଟିି (ବିଜେପି)ର ଶୋଚନୀୟ ବିପର୍ଯ୍ୟୟ ଓ ସମସ୍ତ କଳ, ବଳ ଓ କୌଶଳ ପ୍ରୟୋଗ ସତ୍ତ୍ୱେ କର୍ଣ୍ଣାଟକରେ ଶାସନ କ୍ଷମତା ହାତେଇ ନ ପାରିବା ଘଟଣା ଏବେ ଦଳୀୟ ବଡ଼ପଣ୍ଡାମାନଙ୍କ ଆଖିରୁ ନିଦ ହଜାଇ ଦେଇଛି। ଖାଲି ଏତିକି ନୁହେଁ; ସେଥିରେ ପୁଣି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟରୁ ପ୍ରଥମେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ତେଲଗୁ ଦେଶମ୍‌ ପାର୍ଟି (ଟିଡିପି) ପରେ ଏବେ ଶିବସେନା ଓ ନିତୀଶ କୁମାରଙ୍କ ଜେଡି(ୟୁ) ଓହରି ଯିବାକୁ ଯେପରି ସଜବାଜ ହେଲେଣି ତାକୁ ଦେଖିବା ପରେ ଦଳୀୟ ବଡ଼ପଣ୍ଡାମାନଙ୍କ ମୁଣ୍ଡ ବିନ୍ଧିବା ମଧ୍ୟ କମିବାର ନାଁ ନେଉନାହିଁ। ଆଗକୁ ପୁଣି ରହିଛି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ରାଜ୍ୟମାନଙ୍କର ବିଧାନସଭା ନିର୍ବାଚନ। ଏପରସ୍ଥିତିରେ ଏଇ କିଛି ମାସ ତଳେ ଦେଶରେ ଆଗୁଆ ନିର୍ବାଚନ କରିଦେବା ପାଇଁ ବାରମ୍ବାର ଘୋଷଣା କରୁଥିବା ବିଜେପିର ବଡ଼ପଣ୍ଡାମାନେ ଏବେ ୨୦୧୯ ନିର୍ବାଚନକୁ କେମିତି ଓ କିପରି ସାମନା କରିବେ ସେଥିନେଇ କିଛି ହେଲେ ବୁଦ୍ଧିବାଟ ପାଉ ନାହାନ୍ତି।

ସେଥିପାଇଁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶେଷରେ ଯାଇ ଦଳର ତୁଙ୍ଗନେତା ୯୦ ବର୍ଷ ବୟସ୍କ, ଭାରତୀୟ ରାଜନୀତିରେ ‘ପିତାମହ ଭୀଷ୍ମ’ ରୂପେ ପରିଚିତ ଲାଲକୃଷ୍ଣ ଆଡ଼ଭାନୀଙ୍କ ଶରଣ ପଶିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ୨୦୧୪ ନିର୍ବାଚନରେ ଦଳର ବିପୁଳ ବିଜୟରେ ଆତ୍ମହରା ହୋଇ କିଛି ଦଳୀୟ ନେତା ବୟୋଜ୍ୟେଷ୍ଠ ଆଡ଼ଭାନୀଙ୍କୁ ଅଣଦେଖା କରି ପକାଇ ଦେବା ସହ ଦଳରେ ବୃଦ୍ଧ ଓ ପରାଜିତମାନଙ୍କର ଆଉ ସ୍ଥାନ ନାହିଁ ଏବଂ ସେମାନେ ଆଉ ନିର୍ବାଚନ ଲଢ଼ିବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ସୁଦ୍ଧା ଘୋଷଣା କରିବାକୁ କୁଣ୍ଠାବୋଧ କରି ନଥିଲେ।
ହେଲେ, ଏବେର ପରିବର୍ତ୍ତିତ ପରିସ୍ଥିତିରେ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ଦଳର ଅଧ୍ୟକ୍ଷ ଶାହା ଲାଲକୃଷ୍ଣ ଆଡ଼ଭାନୀଙ୍କ ଶରଣାପନ୍ନ ହୋଇ ତାଙ୍କର ନୂଆଦିଲ୍ଲୀ ପୃଥ୍ଵୀରାଜ ରୋଡ୍‌ସ୍ଥିତ ବାସଭବନକୁ ଯାଇ ଦଳକୁ ମାର୍ଗ ଦର୍ଶନ ଦେବା ସହ ୨୦୧୯ ନିର୍ବାଚନରେ ଦଳୀୟ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁରୋଧ ଓ ନିବେଦନ କରିଥିବା ସୁଦ୍ଧା ଜାଣିବାକୁ ମିଳିଛି। ଖାଲି ଆଡ଼ଭାନୀ ନୁହନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କର ମଧ୍ୟ ଏମାନେ ଶରଣାପନ୍ନ ହୋଇଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ଦଳକୁ ୨୦୧୯ ନିର୍ବାଚନରେ ଦଳକୁ ମାର୍ଗଦର୍ଶନ ଦେବା ପାଇଁ ଦଳର ଏହି ଦୁଇ ବରିଷ୍ଠ ଓ ସର୍ବମାନ୍ୟ ନେତା ଆଡ଼ଭାନୀ ଓ ଯୋଶୀଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଓ ନିଜକୁ ଏକ ସଭ୍ୟ ଭାବେ ରଖି ଏକ ୫ ଜଣିଆ ମାର୍ଗ ଦର୍ଶକ ମଣ୍ଡଳ ଗଠନ କରିବାକୁ ସୁଦ୍ଧା ଏହି ଅବସରରେ ପ୍ରସ୍ତାବ ଦେଇଛନ୍ତି ଶାହା। ତେବେ, ଶାହାଙ୍କ ଏହି ପ୍ରସ୍ତାବ ଉପରେ ନିରବତା ଅବଲମ୍ବନ କରିଛନ୍ତି, ଦଳର ଏହି ଦୁଇ ବରିଷ୍ଠ ନେତା ଆଡ଼ଭାନୀ ଓ ଯୋଶୀ। ତେବେ, ଗତ ଚାରି ବର୍ଷ ଧରି ଦଳ ମଧ୍ୟରେ ସଂପୂର୍ଣ୍ଣ ଉପେକ୍ଷିତ, ଅଦରକାରୀ ଓ ଅଣଦେଖା ହୋଇ ପଡ଼ିଥିବା ଏହି ଦୁଇ ବରିଷ୍ଠ ନେତା ବର୍ତ୍ତମାନ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ଦେଖିବାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧିତ ଖବର