ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ରହିଥାଏ । କିଏ ଭଲ ପାଠ ପଢି ଡାକ୍ତର ହେବାକୁ ଚାହେଁ ତ ଆଉ କିଏ ଇଞ୍ଜିନିୟର, ଡାକ୍ତର ଓ ଓକିଲ ଇତ୍ୟାଦି । କିନ୍ତୁ କେହି ହେଲେ ଭଲ ପାଠ ପଢି ଚାଷ କ୍ଷେତ୍ରରେ ଉନ୍ନତି ଆଣିବାର ଲକ୍ଷ୍ୟ ରଖି ନ ଥାନ୍ତି । କିନ୍ତୁ ସମ୍ପ୍ରତି ଯୁବ ସମାଜର ଚିନ୍ତାଧାରାରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଅଳ୍ପ ମାତ୍ରାରେ ହେଉ ପଛେ କେତେକ ଯୁବକ କୃଷି କ୍ଷେତ୍ରରେ ଉନ୍ନତି ଆଣିବାରେ ଲାଗିଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ଦରମାରେ ଭଲ ଚାକିରି କରୁଥିବା ଯୁବକ ବି ଏବେ କୃଷି କ୍ଷେତ୍ରକୁ ନିଜର କର୍ମଭୂମି ଭାବେ ଆଦରି ନେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି ଆଧୁନିକ ଚାଷୀ ନା କେବଳ ଭଲ ଚାଷ କରୁଛନ୍ତି ବରଂ ଆଖପାଖର ଚାଷୀମାନଙ୍କୁ ମଧ୍ୟ ଚାଷର ଉନ୍ନତ ପ୍ରଣାଳୀ ଏବଂ ପ୍ରକ୍ରିୟା ବିଷୟରେ ବୁଝାଉଛନ୍ତି । ସେପରି ଜଣେ ଚାଷୀ ହେଉଛନ୍ତି ରବି ମଙ୍ଗଲେଶ୍ୱର, ଯିଏ ଚାଷ କ୍ଷେତ୍ରରେ ଏବେ ସାରା ଦେଶରେ ଉଦାହରଣ ପାଲଟିଛନ୍ତି । ମାସ୍କଟରେ ୧୦ ବର୍ଷ ପର୍ଯ୍ୟନ୍ତ ଇଞ୍ଜିନିୟରିଂ ଚାକିରି କରିବା ପରେ ୨୦୦୧ ମସିହାରେ ପୁଣି ନିଜ ଗାଁକୁ ଫେରି ଆସିଥିଲେ ଏବଂ ଗାଁକୁ ଫେରି ଚାଷ କରିବାକୁ ମନସ୍ଥ କଲେ । ଜଣେ ଇଞ୍ଜିନିୟର ଭାବେ ଚାଷ କ୍ଷେତ୍ରରେ କିଭଳି ଉନ୍ନତି ଅଣାଯାଇ ପାରିବ ସେ ବିଷୟରେ ଆରମ୍ଭ କଲେ ଗବେଷଣା ।
ଆଉ ଏହି ଗବେଷଣା ଓ ପରୀକ୍ଷନିରୀକ୍ଷାର ସଫଳତା ମଧ୍ୟ ପାଇଲେ ରବି । ଗୋଟିଏ ଗଛରେ ୫୧ କିସମର ଆମ୍ବ ଉତ୍ପାଦନ କରି ପୂରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲେ । ମହାରାଷ୍ଟ୍ରର ବିଦର୍ଭ କ୍ଷେତ୍ରରେ ରହୁଥିବା ରବିଙ୍କ ଦ୍ୱାରା ଆବିଷ୍କାର ହୋଇଥିବା ଏହି ନୂଆ ପ୍ରଣାଳୀ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ରବି ନିଜ ଗବେଷଣା ବଳରେ ଏହା ସମ୍ଭବ କରି ଦେଖାଇଛନ୍ତି ଏବଂ ୨.୫ ଏକର ଅଞ୍ଚଳରେ ୧,୦୦୦ ଆମ୍ବ ଗଛ ଲଗାଇଛନ୍ତି । କୃଷି କ୍ଷେତ୍ରରେ ପାଦ ଦେବା ସମୟରେ ହିଁ ସେ କିଛି ଅଲଗା କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ୫ ଏକର ଜାଗାରେ ସେ ଚାଷ କାମ ଆରମ୍ଭ କରିଥିଲେ । ତେବେ ଚାଷ ବିଷୟରେ ଅଧିକ ଜ୍ଞାନ ପାଇଁ ସେ ୫୦୦ରୁ ଅଧିକ ଜାଗା ପରିଭ୍ରମଣ କରିଥିଲେ । ରବିଙ୍କ ବାପା ଚାଷ କରୁଥିଲେ ଏବଂ ସମାଜ ପାଇଁ ମଧ୍ୟ କାମ କରୁଥିଲେ । ତେଣୁ କରି ରବି ମଧ୍ୟ ଏହି କ୍ଷେତ୍ରରେ କାମ କରିବ ପାଇଁ ନିଜ ଗାଁକୁ ଫେରି ଆସିଥିଲେ ।