ଜମି ପଟ୍ଟା ପାଇଁ ସାଢ଼େ ୩ ବର୍ଷ

ଓ୍ଵାର୍ଡ ନଂ ୫୫

ଭୁବନେଶ୍ୱରରେ ସ୍ମାର୍ଟ ସିଟିର ମୋହର ବାଜିଛି। ଏକ ରଙ୍ଗିନ୍‌ ଭବିଷ୍ୟତର ଚିତ୍ର ଆଙ୍କି ଆମେ ଏହି ସ୍ୱୀକୃତି ସାଉଁଟିଛୁ। ଅଥଚ ବର୍ତମାନର ବାସ୍ତବତା ଆଉ କିଛି ବୟାନ କରୁଛି। ଅନେକ ମୌଳିକ ସମସ୍ୟା ଏବେ ବି ସହରକୁ ଆଗକୁ ବଢ଼ିବାରେ ପ୍ରତିବନ୍ଧକ ସାଜିଛି। ରାସ୍ତା-ପାଣି-ଆଲୁଅ-ସଫେଇ-ସ୍ୱେରେଜ ସବୁ କ୍ଷେତ୍ରରେ ଅଭିଯୋଗର ଲମ୍ବା ଫର୍ଦ। ଉପରକୁ ଚକ୍‌ଚକ୍‌ ଦେଖାଇ ଆଧୁନିକତା ଆଡ଼କୁ ସହର ମାଡ଼ୁଛି ସତ, କିନ୍ତୁ ଭିତରେ ଭିତରେ ସମସ୍ୟାଗୁଡ଼ିକ ସ୍ଥାନୀୟ ବାସିନ୍ଦାଙ୍କୁ ଅଣନଶ୍ୱାସୀ କରିଦେଉଛି। ଖାଲି ସମସ୍ୟା ବଖାଣିଲେ ହେବନି, ତା’ର ସମାଧାନର ବାଟ ବାହାର କରିବାକୁ ପଡ଼ିବ। ସରକାରୀ କଳର ତ ଦାୟିତ୍ୱ ନିଶ୍ଚିତ ଅଛି, ନାଗରିକ ବି ସେମାନଙ୍କ କର୍ତବ୍ୟରୁ ଓହରି ପାରିବେ ନାହିଁ। ଲୋକଙ୍କ ମୁହଁରୁ ସେମାନଙ୍କ ସମସ୍ୟା ଶୁଣି ସରକାରଙ୍କୁ ଜଣାଇବା ପାଇଁ ‘ସମ୍ବାଦ’ ପକ୍ଷରୁ ଆଗେଇ ଚାଲିଛି ଅଭିନବ ଅଭିଯାନ ‘ଆମେ ଗଢ଼ିବା ଆମ ସହର’। ଏହି କ୍ରମରେ ଓ୍ଵାର୍ଡ ନଂ ୫୫ରେ ଗତ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ସପ୍ତମ ବୈଠକ।

 

‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ‘ଆମେ ଗଢ଼ିବା ଆମ ସହର’ ଅଭିଯାନର ସପ୍ତମ ବୈଠକ ଗତ ସୋମବାର ୫୫ ନଂ ଓ୍ଵାର୍ଡ ନାଗେଶ୍ୱରଟାଙ୍ଗୀସ୍ଥିତ ଅନ୍ନପୂର୍ଣ୍ଣା ମେମୋରିଆଲ୍‌ ହସ୍ପିଟାଲ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନାଗେଶ୍ୱରଟାଙ୍ଗୀ, ଗୌତମନଗର, ବିଏମ୍‌ସି ହନୁମାନମନ୍ଦିର ଅଞ୍ଚଳ, ଅକରପୁରୀ, ବିନ୍ଦୁସାଗର ପଶ୍ଚିମପାଖ ଅଞ୍ଚଳ, ମହାରଣା ସାହି, ଗୌତମନଗର ବସ୍ତି, ଭୋଇନଗରର ବାସିନ୍ଦାମାନେ ସାମିଲ୍‌ ହୋଇ ନିଜ ଅଞ୍ଚଳର ସମସ୍ୟା ବାବଦରେ ଆଲୋଚନା କରିବା ସହ ସମାଧାନ ପାଇଁ ସ୍ୱର ଉଠାଇଥିଲେ।
ନାଗେଶ୍ୱର ମହାଦେବଙ୍କ ନାମରେ ଖ୍ୟାତ ଏହି ଅଞ୍ଚଳ ପୁରୁଣାଭୁବନେଶ୍ୱରର ଏକ ମୁଖ୍ୟ ଅଙ୍ଗ। ଏ ଦୃଷ୍ଟିରୁ ଜନବସତିଟି ପୁରୁଣା ହୋଇଥିବା ବେଳେ ପାଣି-ପବନ-ଆଲୁଅ ଭଳି ମୌଳିକ ସମସ୍ୟା ଏତେ ନଥିଲେ ହେଁ ଅନେକ ଅଦେଖା ଓ ଅଡ଼ୁଆ ସମସ୍ୟା ଅଞ୍ଚଳବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ଅବସ୍ଥିତି ଦୃଷ୍ଟିରୁ ଏ ଅଞ୍ଚଳ ଏକ ସମ୍ଭ୍ରାନ୍ତ ଅଞ୍ଚଳ। ମାତ୍ର ଏହି ସଂଭ୍ରାନ୍ତ ମନୋବୃତ୍ତି ଭିତରେ ସରକାରୀ ଜାଗାକୁ ମାଡ଼ିବସିବାର ମୋହ ଯୋଗୁଁ ପୂରା ଅଞ୍ଚଳବାସୀ ଯାତାୟାତ ପାଇଁ କଲବଲ ହେଉଛନ୍ତି। ସବୁଠୁ ବଳିଯାଇଛି ଦୀର୍ଘଦିନ ଧରି ଲାଗି ରହିଥିବା ପଟ୍ଟା ପାଇବା ସମସ୍ୟା। ୯୦ ଦିନରେ ପଟ୍ଟା ମିଳିଯିବ ବୋଲି ସରକାର ସ୍ୱପ୍ନ ଦେଖେଇଛନ୍ତି। ତହସିଲଦାର ଆସି ମ୍ୟୁଟେସନ୍‌ କରିଛନ୍ତି। କିନ୍ତୁ ଦରଖାସ୍ତ କରିବାର ସାଢ଼େ ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ସେଠିକାର ବାସିନ୍ଦା ପଟ୍ଟା ଖଣ୍ଡେ ପାଇବାକୁ ସକ୍ଷମ ହୋଇପାରି ନାହାନ୍ତି।

ନାଗେଶ୍ୱରଟାଙ୍ଗୀ ଉନ୍ନୟନ ପରିଷଦର ବିପିନ ଦାଶଙ୍କ ଅଧ୍ୟକ୍ଷତାରେ ବୈଠକରେ ଅଞ୍ଚଳବାସୀ ଏହି ପ୍ରମୁଖ ଦାବି ବାବଦରେ ଦୃଷ୍ଟି ଆକର୍ଷଣ କରିଥିଲେ। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ନାରୀସୁରକ୍ଷା ଏବଂ ମଦ ଭଳି ସମସ୍ୟା କୌଣସି ଓ୍ଵାର୍ଡ ଭିତରେ ସୀମିତ ନୁହେଁ। ତେଣୁ ଏ ଦିଗରେ କର୍ପୋରେଟର୍‌ ଗୁରୁତ୍ୱ ଦେବା ସହିତ ଲାଗି ରହିଥିବା ସମସ୍ୟାର ସମାଧାନ ସମ୍ପର୍କରେ ନିଜର ଅଭିମତ ରଖିଥିଲେ। କର୍ପୋରେଟର୍‌ ସୀମା ନାୟକ ଏବଂ ତାଙ୍କ ସ୍ୱାମୀ ନୃପେଶ ନାୟକ ବାସିନ୍ଦାଙ୍କଠାରୁ ସମସ୍ତ ସମସ୍ୟା ଶୁଣିବା ପରେ ଏହାର ସମାଧାନ ଦିଗରେ ଲୋକଙ୍କ ସହଯୋଗ ଲୋଡ଼ିଥିଲେ। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ବୈଠକରେ ଅମରେଶ୍ୱର ମିଶ୍ର, ଆଡ୍‌ଭୋକେଟ୍‌ ସୁଧୀର ମହାନ୍ତି, ସନ୍ଧ୍ୟା ଶତପଥୀ, ପ୍ରଭାତ କୁମାର ମହାନ୍ତି, ଡାକ୍ତର ରାଜେନ୍ଦ୍ର ଶତପଥୀ, ହରେକୃଷ୍ଣ ମହାନ୍ତି, ଇଂ ସେନାପତି, ସୁଷମା ପଟ୍ଟନାୟକ, ଜୁଲି ବେହେରା, ପ୍ରେମାନନ୍ଦ ପଟ୍ଟନାୟକ, ଦେବାନନ୍ଦ ପାତ୍ର, ଆଡ୍‌ଭୋକେଟ୍‌ ଯାଇଦୁର ରେହମାନ, ପ୍ରଫୁଲ୍ଲ କୁମାର ସାହୁ, ଗୁରୁଚରଣ ଦାଶ, ସଂଯୁକ୍ତା ବେହେରା ପ୍ରମୁଖ ସମସ୍ୟା ସମ୍ପର୍କରେ କହିଥିଲେ।
ପ୍ରାରମ୍ଭରେ ‘ସମ୍ବାଦ’ ମହାନଗର ସଂସ୍କରଣ ମୁଖ୍ୟ ଗୌତମବୁଦ୍ଧ ଦାସ ଅତିଥିଙ୍କୁ ସ୍ୱାଗତ କରିଥିବାବେଳେ ‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର ବୈଠକର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ଶେଷରେ ସ୍ଥାନୀୟ ‘ସମ୍ବାଦ’ ପ୍ରତିନିଧି ଲିଙ୍ଗରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଗିଡ଼ି ଗଲାଣି ଭୂତଳ ଜଳ ସ୍ଥିତି

ନାଗେଶ୍ୱରଟାଙ୍ଗୀ ଏବଂ ଗୌତମନଗର ଅଞ୍ଚଳରେ ଭୂତଳ ଜଳ ଅବସ୍ଥା ଅତି ଖରାପ ସ୍ଥିତି ଆଡ଼କୁ ଚାଲିଗଲାଣି। ଉଚ୍ଚ ଅଟ୍ଟାଳିକା, ଫ୍ଲାଟ୍‌ ଓ ଆପାର୍ଟମେଣ୍ଟ୍‌ ବହୁଳ ଭାବେ ଗଢ଼ି ଉଠିବା ପରେ ବୋରିଂ ପାଣି ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିବ। ଆସନ୍ତା ୧୦ ବର୍ଷ ବେଳକୁ ଏଠି ଭୂତଳ ଜଳକୁ ପାନୀୟ ଜଳ ଭାବେ ବୋରିଂରେ ଉଠାଇବା ସମ୍ଭବ ହେବନି। ତେଣୁ ମୂଳା ପଡ଼ିଆ ପର୍ଯ୍ୟନ୍ତ ପିଏଚ୍‌ଡି ପାଣି ପାଇପ୍‌ ଲାଇନ୍‌ ଆସିଥିବା ବେଳେ ଏହି ଅଞ୍ଚଳ ମଧ୍ୟରେ ବି ପିଏଚ୍‌ଡି ପକ୍ଷରୁ ପାଇପ୍‌ ଲାଇନ୍‌ ଜରିଆରେ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଦାବି ହୋଇଛି।

ଭଡ଼ା ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର

କୋମଳମତି ପିଲାଙ୍କ ଆଦ୍ୟ ଶିକ୍ଷା ଜୀବନର ଆରମ୍ଭ ପାଇଁ ଅଙ୍ଗନବାଡ଼ି ଚଳାଇଥିବା ସରକାର ଅଙ୍ଗନବାଡ଼ି ପାଇଁ ଘରଟିଏ ବି ଯୋଗାଇ ଦେବାକୁ ସକ୍ଷମ ନୁହନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଏହି ଅଞ୍ଚଳରେ ଦେଖିବାକୁ ମିଳେ। ନଳାମୁହଁ ସାହିରେ ପିଲାମାନଙ୍କ ପାଇଁ ଏକ ଅଙ୍ଗନବାଡ଼ି ଖୋଲାଯାଇଛି। ହେଲେ ତାହା ଏକ ଭଡ଼ାଘରେ ଚାଲିଛି। ୫ ବର୍ଷ କାଳ ଏମିତି ଭଡ଼ାଘରେ ପାଠ ପଢ଼ା ଚାଲିଛି। ପାଖରେ ଗଭୀର ନାଳ ଥିବାରୁ ପିଲା ଯଆସ ବେଳେ ଗଳିପଡ଼ିବା ସମ୍ଭାବନା ମଧ୍ୟ ରହିଛି। ତେବେ ଏକ ସରକାରୀ ଜାଗାରେ ଅଙ୍ଗନବାଡ଼ି ଘର ପାଇଁ ବାଲି-ସିମେଣ୍ଟ୍‌-ଗୋଡ଼ି ଆସି ବି କାମ ହୋଇପାରିଲା ନାହିଁ। କିଛି ସ୍ଥାନୀୟ ବ୍ୟକ୍ତିଙ୍କ ବିରୋଧ ଯୋଗୁଁ ପିଲାମାନେ ଅଙ୍ଗନବାଡ଼ି ନିଜସ୍ୱ ଗୃହ ପାଇପାରୁନାହାନ୍ତି।

ବର୍ଷା ହେଲେ ଗନ୍ଧରେ ରହି ହେଉନି

ନାଗେଶ୍ୱର ମନ୍ଦିର ରାସ୍ତାରେ ଡମ୍ପିଂୟାର୍ଡ ଯୋଗୁଁ ବର୍ଷା ସମୟରେ ବିଷମ ସ୍ଥିତି ଉପୁଜୁଛି। ବର୍ଷା ସମୟରେ ଏହି ରାସ୍ତାର ଅବସ୍ଥା ଅତି ଦୟନୀୟ ହୋଇଯାଏ। ବର୍ଷାରେ କୁଢ଼କୁଢ଼ ଅଳିଆ ଓ ପାଣି ଏକାକାର ହୋଇଯିବା ପରେ ଏ ରାସ୍ତାରେ ଚାଲିକରି ମନ୍ଦିରକୁ ଯିବା ସମ୍ଭବ ହୁଏନି। ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଏଠି ଚଳିବା ଏକରକମ ମୁସ୍କିଲ୍‌ ହୋଇଯାଏ। ଅନେକ ସ୍ଥାନରେ ନାଳ ଜାମ୍‌ ହୋଇ ଦୁର୍ଗନ୍ଧ ହେଉଛି। ଏନେଇ ସ୍ଥାନୀୟ କର୍ପୋରେଟର୍‌ କହିଛନ୍ତି ଯେ, ଏଠି ମାଟି ତଳେ ନେଟ୍‌, ଟେଲି, ପିଏଚ୍‌ଡି ଭଳି ବିଭିନ୍ନ ତାର ଓ ପାଇପ୍‌ ଯାଇଥିବାରୁ ନାଳ ଖୋଳିବା ସମ୍ଭବ ହେଉନି। ଏହା ଏକ ଗଡ଼ାଣିଆ ଅଞ୍ଚଳ ହୋଇଥିବାରୁ ପାଣି ମଧ୍ୟ ଗଡ଼ିଯାଏ। କେବଳ ଯାହା ସମୟ ଲାଗେ। ତେଣୁ କିଛି ସ୍ଥାନରେ ତାର ଓ ପାଇପ୍‌ ଯୋଗୁଁ ଚୋକ୍‌ ହୋଇଯିବାରୁ ଏଭଳି ସମସ୍ୟା ସୃଷ୍ଟି ହୁଏ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର