ନୃତ୍ୟରେ ବଖାଣିଲେ ଜୀବନର ‘ନବରସ’ ଗାଥା

ଭୁବନେଶ୍ୱର: ଜୀବନର ୯ଟି ରସକୁ ନୃତ୍ୟରେ ଦର୍ଶାଉଥିଲେ ନୃତ୍ୟାଙ୍ଗନା ଇଲିଆନି ସିତାରିଷ୍ଟ୍‍। ପ୍ରତିଦିନ ଆମେ ଅନୁଭବ କରୁଥିବା ରାଗ, ରୌଦ୍ର, ଶୃଙ୍ଗାର, ପ୍ରେମ, ହାସ୍ୟ, କରୁଣା ଓ ବୀଭତ୍ସ ଭଳି ବିଭିନ୍ନ ରସକୁ ସେ ନିଜ ହାତର ମୁଦ୍ରା ଓ ପାଦର ଛନ୍ଦରେ ଅତି ଚମତ୍କାର ଭାବେ ବଖାଣୁଥିଲେ ନୃତ୍ୟ ‘ନବରସ’ ମାଧ୍ୟମରେ। ଅବସର ଥିଲା ଗୁରୁ କେଳୁଚରଣ ମହାପାତ୍ରଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ‘ଗୁରୁଜୀଙ୍କ ସ୍ମରଣେ’ର। ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ସାଂସ୍କୃତିକ ଅନୁଷ୍ଠାନ ‘ଆର୍ଟ ଭିଜନ୍‌’ ଓ ‘ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର’ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀମାନେ ଗୁରୁଜୀଙ୍କ ସ୍ମରଣ କରି ନୃତ୍ୟ ନୈବେଦ୍ୟ ଅର୍ପଣ କରୁଥିଲେ। ନୃତ୍ୟଶିଳ୍ପୀମାନେ ୧୯୫୫ରୁ ୧୯୯୦ ମସିହା ପର୍ଯ୍ୟନ୍ତ ଗୁରୁଜୀଙ୍କ ସଂଯୋଜିତ ସମସ୍ତ ନୃତ୍ୟ ଏଥିରେ ପରିବେଷଣ କରିଥିଲେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପୁଣି କାର୍ଯ୍ୟକ୍ରମ ଆରମ୍ଭରେ ଗୁରୁ କେଳୁଚରଣ ମହାପାତ୍ରଙ୍କ କାର୍ଯ୍ୟାବଳୀ ସମ୍ବଳିତ ୩୦ ମିନିଟ୍‌ର ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହାପରେ ପ୍ରଣତି ମହାନ୍ତି ପଦ ବନ୍ଦେ ଗଣନାଥ….‘ମଙ୍ଗଳାଚରଣ’ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ଶିଳ୍ପୀ ପ୍ରଶାନ୍ତ ଓ ତେଜସ୍ୱିନୀ ‘କଲ୍ୟାଣୀ ପଲ୍ଲବୀ’, କୁମ୍‌କୁମ୍‌ ମହାନ୍ତିଙ୍କ ଛାତ୍ରଛାତ୍ରୀମାନେ ‘ବଟୁ’ ନୃତ୍ୟ ଆଦି ପରିବେଷଣ କରିଥିଲେ। କୁମ୍‌କୁମ୍‌ ମହାନ୍ତି, ସିକତା ଦାସ, ପ୍ରଣତି ମହାନ୍ତି, ମୀରା ଦାସ, ମନୋରଞ୍ଜନ ପ୍ରଧାନ ଓ ମିନତି ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ଗୁରୁ ରତିକାନ୍ତ ମହାପାତ୍ର ଓ ପ୍ରୀତିଷା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର