ନିଅାଁରେ ପୋଡ଼ି ଯୁବକ ମୃତ

ଖଣ୍ଡଗିରି : ରୋଷେଇ କଲାବେଳେ ଗ୍ୟାସ୍‌ ଲିକ୍‌ଜନିତ ଅଗ୍ନିକାଣ୍ଡରେ ପୋଡ଼ି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରବିବାର ରାତି ପ୍ରାୟ ୧୦ଟାବେଳେ ତମାଣ୍ଡୋ ଥାନା କଳିଙ୍ଗନଗର କେ-୪ରେ ଏଭଳି ଅଘଟଣ ଘଟିଛି। ମୃତକ ହେଲେ କଟକ ଜିଲ୍ଲା ବୈଦେଶ୍ୱର ଥାନା ବରବରା ଗାଁର ପ୍ରହଲ୍ଲାଦ ସାହୁଙ୍କ ପୁଅ ଲଳିତ୍‌ କୁମାର(୨୫)। ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

ସୂଚନାନୁସାରେ ଲଳିତ ଏକ ଫାର୍ମା କମ୍ପାନିରେ ରିପ୍ରେଜେଣ୍ଟେଟିଭ୍‌ ଭାବେ କାମ କରୁଥିଲେ। ସେ କଳିଙ୍ଗବିହାର କେ-୪ରେ ଏକ ଭଡ଼ା ଘରେ ଏକାକୀ ରହୁଥିଲେ। ଗତକାଲି ରାତି ପ୍ରାୟ ୧୦ଟା ବେଳେ ହଠାତ୍‌ ତାଙ୍କ ଚିତ୍କାର ଶୁଣି ଘର ମାଲିକ ଓ ଅନ୍ୟ ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସେତେବେଳକୁ ଘର ଭିତରେ ନିଅାଁ ଜଳୁଥିଲା ଓ ଲଳିତ ପୋଡ଼ି ହୋଇ ଯାଉଥିଲେ। ତୁରନ୍ତ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ମାତ୍ର ତାଙ୍କ ଶରୀରର ପ୍ରାୟ ୯୦ ଶତକଡ଼ା ପୋଡ଼ି ଯାଇଥିବାରୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନଥିଲା। ରାତି ପ୍ରାୟ ୧୨ଟାବେଳକୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସକାଳୁ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ତନଖି କରିଥିଲା। ଲଳିତଙ୍କ ଭାଇ ମନୋଜ ଏହାକୁ ଏକ ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ବୋଲି ଲିଖିତ ଭାବେ ଜଣାଇଥିବା ପୁଲିସ ସୂଚନା ଦେଇଛି। କିନ୍ତୁ ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଆତ୍ମହତ୍ୟା ଭଳି ଜଣାପଡ଼ୁଥିବା ପୁଲିସ ସନ୍ଦେହ କରୁଛି। ଲଳିତଙ୍କ ରୁମ୍‌ରୁ ପ୍ରଚୁର ଖାଲି ମଦ ବୋତଲ ମିଳିଥିବାବେଳେ ମସିଣା ଉପରେ ଅଧା ମଦବୋତଲ ଓ ଗ୍ଲାସ ମିଳିଛି। ତେଣୁ ମଦ ପିଇ ନିଶାରେ ରୋଷେଇ କରୁ କରୁ ଗ୍ୟାସ୍‌ ଚୁଲାରୁ ତାଙ୍କ ଦେହକୁ ନିଅାଁ ଧରିଥିବା ଅନୁମାନ କରାଯାଉଛି। କିନ୍ତୁ ତଦନ୍ତ ଶେଷ ହୋଇ ନଥିବାରୁ ପୁଲିସ କିଛି ସ୍ପଷ୍ଟ ସୂଚନା ଦେଇ ପାରିନାହିଁ।

ସମ୍ବନ୍ଧିତ ଖବର