ରମାଦେବୀ ବିଶ୍ବବିଦ୍ୟାଳୟ ହଷ୍ଟେଲ୍‌ ସମସ୍ୟା ନେଇ ଛାତ୍ରୀଙ୍କ ଟ୍ବିଟ୍‌ : ଶୁଣୁନି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୁବନେଶ୍ବର : ରାଜ୍ୟର ପ୍ରଥମ ମହିଳା ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଅବ୍ୟବସ୍ଥା। ବିଦ୍ୟୁତ୍‌ ସଂଯୋଗ ବିପଦସଙ୍କୁଳ ଅବସ୍ଥାରେ ଥିବା ବେଳେ ଛାତରୁ ପ୍ଲାଷ୍ଟର ଖସୁଛି। ଛାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଅବ୍ୟବସ୍ଥା ସମ୍ପର୍କରେ ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀ ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଉଚ୍ଚଶିକ୍ଷା ବିଭାଗ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଭିନ୍ନ ଗଣମାଧ୍ୟମକୁ ଫଟୋ ସହ ଟ୍ବିଟ୍‌ କରି ଜଣାଇଥିଲେ। ଇତି ମଧ୍ୟରେ ୧୨ ଦିନ ବିତିଗଲାଣି ତଥାପି କେହି ଶୁଣୁନାହାନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଟେକ୍ନୋଲୋଜି’ ଉପରେ ଗୁରୁତ୍ବ ଦେଉଥିବା ବେଳେ ତାଙ୍କ କାର୍ଯ୍ୟାଳୟ ୧୨ ଦିନ ହେଲା ଚୁପ୍‌ ବସିଛି। ଅଧିକାରୀମାନେ କୌଣସି ପଦକ୍ଷେପ ନେଇନାହାନ୍ତି। ଛାତ୍ରୀ ଜଣକ ଟ୍ବିଟ୍‌ରେ ଦର୍ଶାଇଛନ୍ତି ଯେ ଏକ ନମ୍ବର ଛାତ୍ରୀନିବାସରେ ରହୁଥିବା ଶହେ ଜଣ ଛାତ୍ରୀ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ହଷ୍ଟେଲ କୋଠାରୁ ପ୍ଲାଷ୍ଟର ଖସୁଛି। ପିଲାମାନେ ଅସ୍ବାସ୍ଥ୍ୟକର ପରିବେଶରେ ରହୁଛନ୍ତି। ଶୌଚାଳୟରେ ବିଦ୍ୟୁତ୍‌ ତାରଗୁଡ଼ିକ ଖୋଲାମେଲା ପଡ଼ିରହିଛି। ବିଦ୍ୟୁତ୍‌ ବୋର୍ଡଗୁଡ଼ିକ ଉପୁଡ଼ିଯାଇଥିବା ବେଳେ ତାର ଓହଳି ରହିଛି। ହଷ୍ଟେଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍‌ ନାହିଁ। ଅନେକ ସମୟରେ ରୋଷେଇ ଘରୁ ଗ୍ୟାସ୍‌ ଲିକ୍‌ ହେଉଛି ବୋଲି ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି।

ଛାତ୍ରୀ ଜଣକ କହିଛନ୍ତି ଯେ ହଷ୍ଟେଲରୁ ବାହାରିବା ସମୟରେ ଗେଟ୍‌କିପର ତାଙ୍କୁ ଏକ କାଗଜ ଦେଇ କହିଥିଲେ ଯେ ଜଣେ ବ୍ୟକ୍ତି ଏହାକୁ ତୁମକୁ ଦେବା ଲାଗି କହିଛନ୍ତି। କାଗଜ ଖୋଲିବା ପରେ ଏଥିରେ ଏକ ଫୋନ୍‌ ନମ୍ବର ଦିଆଯାଇଥିଲା। ଆଉ କୁହାଯାଇଥିଲା ଯେ ଆପଣଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ବଡି ମସାଜ ଯୋଗାଇ ଦିଆଯିବ। ଏହି ନମ୍ବରରେ ଯୋଗାଯୋଗ କରନ୍ତୁ। ୧୨ ଦିନ ହେଲା ଛାତ୍ରୀ ଜଣକ ଟ୍ବିଟ୍‌ କରିଥିଲେ ମଧ୍ୟ କେହି ବି ପଦକ୍ଷେପ ନେଇନାହାନ୍ତି। ବିଶ୍ବବିଦ୍ୟାଳୟ କୁଳସଚିବ ଇତିଶ୍ରୀ ଦାଶ କହିଛନ୍ତି ଯେ ଅଭିଯୋଗ ସମ୍ପର୍କରେ କିଛି ଜାଣିନି। ଆପଣମାନଙ୍କଠାରୁ ଏବେ ଜାଣିବାକୁ ପାଇଲି। ଅନୁଧ୍ୟାନ କରାଯିବା ପରେ ପଦକ୍ଷେପ ନିଆଯିବ। ଏବିଷୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଛାତ୍ରୀ ଜଣକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ବିଟ୍ କରିବା ଭଲ କଥା। ସେମାନେ ପଦକ୍ଷେପ ନେବେ। ଆମ ପାଖକୁ କୌଣସି ଅଭିଯୋଗ ଆସିନି। ଆସିଲେ ଅନୁଧ୍ୟାନ କରାଯିବ।

ସକାଳେ ଯୁକ୍ତ୨, ପୂର୍ବାହ୍ନରୁ ଯୁକ୍ତ୩ ପାଠପଢ଼ା

ବିଶ୍ବବିଦ୍ୟାଳୟରେ ଭିତ୍ତିଭୂମି ସମସ୍ୟା ଲାଗିରହିଛି। କ୍ୟାମ୍ପସ ଅଲଗା ହେଉ ନଥିବାରୁ ଏଥର ବି ଗୋଟିଏ କ୍ୟାମ୍ପସରେ ଚାଲିବ ୪ଟି ଶିକ୍ଷାନୁଷ୍ଠାନ। ଯୁକ୍ତ୨, ଯୁକ୍ତ୩, ପିଜି ଓ ଏମ୍‌ ଫିଲ୍‌ ପାଠ୍ୟକ୍ରମର ଛାତ୍ରୀଙ୍କ ପାଠପଢ଼ା ହେବ। ଏଥିପାଇଁ ସମୟ ବଣ୍ଟା ଯାଇଛି। କେଉଁ ସମୟରେ କେଉଁ କଲେଜ ଛାତ୍ରୀଙ୍କ କ୍ଲାସ ହେବ ସେନେଇ ଉଭୟ ବିଶ୍ବବିଦ୍ୟାଳୟ ଓ ଯୁକ୍ତ୨ କଲେଜ କର୍ତୃପକ୍ଷଙ୍କ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଏଥିରେ ସମୟସାରଣୀକୁ ଭାଗ ଭାଗ କରାଯାଇଛି। ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ୧୫ ପର୍ଯ୍ୟନ୍ତ ଯୁକ୍ତ୨ ଛାତ୍ରୀଙ୍କ କ୍ଲାସ ହେବ। ଡିଗ୍ରି, ପିଜି ଓ ଏମ୍‌ ଫିଲ୍‌ ଛାତ୍ରୀଙ୍କ ପାଠପଢ଼ା ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ କ୍ଲାସ ଚାଲିବ। ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ କ୍ଲାସ ପୂର୍ବରୁ ୪ଟା ୪୫ରେ ସରିଯାଉଥିଲା। ଏବେ ତାହାକୁ ଆଉ ୪୫ ମିନିଟ୍‌ ବଢ଼ାଇ ଦିଆଯାଇଛି। ଏହି ବୈଠକରେ ବିଶ୍ବବିଦ୍ୟାଳୟ କୁଳସଚିବ ଇତିଶ୍ରୀ ଦାଶ, ପିଜି କାଉନସିଲ୍‌ ଅଧ୍ୟକ୍ଷ ସରିତା ସୁପକାର, ଯୁକ୍ତ୨ କଲେଜ ଅଧ୍ୟକ୍ଷା ଉପସ୍ଥିତ ଥିଲେ। ପିଜି କାଉନସିଲ୍‌ ଅଧ୍ୟକ୍ଷ ଡ. ସରିତା ସୁପକାର କହିଛନ୍ତି, ଚଳିତବର୍ଷଠାରୁ ବିଶ୍ବବିଦ୍ୟାଳୟରେ ପିଜି ଇନ୍‌ ଇଣ୍ଡଷ୍ଟ୍ରିଆଲ ମାଇକ୍ରୋବାଇଓଲୋଜି ବିଭାଗ ‌ଖୋଲିଛି। ୨୪ଟି ସିଟ୍‌ରେ ନାମଲେଖା ହେବ। ଏବେ ସୁଦ୍ଧା ୧୬ଟି ସିଟ୍‌ ପୂରଣ ହୋଇଛି।

ସମ୍ବଲପୁରୀ ଡ୍ରେସ୍‌ ପିନ୍ଧିଲେ ଛାତ୍ରୀ

ପୂର୍ବ ନିଷ୍ପତ୍ତି ଅନୁଯାୟୀ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରୀମାନେ ସମ୍ବଲପୁରୀ ‌ପୋଷାକ ପିନ୍ଧିଛନ୍ତି। ଛାତ୍ରୀଙ୍କ ଆଗ୍ରହ ତଥା ଓଡ଼ିଶାର ପରିଚୟକୁ ବିଶ୍ବ ଦରବାରରେ ପ୍ରତିପାଦିତ କରିବା ପାଇଁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସ୍ନାତକୋତ୍ତର ଛାତ୍ରୀଙ୍କ ସାଲୱାର/ଚୁଡ଼ିଦାର ଓ ଦୁପଟା ଧଳା ରଙ୍ଗର କରିଛନ୍ତି। ଛାତ୍ରୀମାନେ ଡାର୍କ ପିଙ୍କ୍‌ ରଙ୍ଗର କୁର୍ତ୍ତା ଓ କମିଜ୍‌ ପିନ୍ଧିଛନ୍ତି। ସ୍ନାତକ ଓ ବି.ଏଡ୍‌ ଛାତ୍ରୀଙ୍କ ପୋଷାକର ସାଲୱାର/ଚୁଡ଼ିଦାର ଓ ଦୁପଟା ଧଳା ରଙ୍ଗର ରହିଥିବା ବେଳେ କୁର୍ତ୍ତା ଓ କମିଜ୍‌ ବ୍ଲୁ ରଙ୍ଗର ହୋଇଛି। ଯେଉଁ ଛାତ୍ରୀମାନେ ଚଳିତ ବର୍ଷ‌ ନାମ ଲେଖାଇଛନ୍ତି ସେମାନଙ୍କ କ୍ଷେତ୍ରରେ ନୂଆ ପୋଷାକ ନିୟମ ଲାଗୁ ହୋଇଛି। ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରୀମାନଙ୍କ କ୍ଷେତ୍ରରେ କୌଣସି ପରିବର୍ତନ ହୋଇନି। ନୂଆ ପୋଷାକକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେମାନେ ନୂଆ ‌ପୋଷାକରେ ସେଲ୍ଫି ଉଠାଇ ସୋସିଆଲ ମିଡ଼ିଆରେ ପ୍ରଚାର ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧିତ ଖବର