ରଥଯାତ୍ରା

0 47

ଭକ୍ତ ସାଲବେଗ ଗାଇଥିଲେ: ‘ରଥ ଚାରିପାଖେ ଲମ୍ବେ ମୁକୁତାର ଝରା, ଝଲମଲ ଦିଶୁଥାଇ ପ୍ରଭୁ ଚକାଡ଼ୋଳା। …..ଆଗେ ଚାଲେ ବଳଭଦ୍ର ମଧ୍ୟେ ଚାନ୍ଦମୁହୀଁ, ପଛେ ଆସୁଛି କାଳିଆ ଗହଳ ଲଗାଇ।’ କେଉଁ ପୁରୁଣା କାଳରୁ ବିଶ୍ୱର ବିଭିନ୍ନ ଅଞ୍ଚଳ, ସମାଜ ଓ ଧର୍ମରେ ରଥଯାତ୍ରା ପ୍ରଚଳିତ। ତେବେ, ପୁରୁଷୋତ୍ତମ ପୀଠର ରଥଯାତ୍ରା ସବୁଠାରୁ ପ୍ରସିଦ୍ଧ। ଏହା ହେଉଛି, ପତିତମାନଙ୍କ ପାଇଁ ପତିତପାବନଙ୍କର ଯାତ୍ରା। ପ୍ରଭୁମାନେ ଭକ୍ତମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ମିଶିବା ନିମନ୍ତେ ବର୍ଷରେ ଥରେ ରତ୍ନ-ସିଂହାସନରୁ ଓହ୍ଲାଇଆସନ୍ତି। ରଥଯାତ୍ରା କେତେ ପ୍ରାଚୀନ କହିବା ସଂଭବ ନୁହେଁ। ଏକ କିଂବଦନ୍ତି ଅନୁଯାୟୀ ପୁରୀ ମନ୍ଦିରର ପ୍ରାଣ-ପ୍ରତିଷ୍ଠାତା ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ମହାରାଣୀ ଗୁଣ୍ଡିଚା ଦେବୀ ଏହି ଯାତ୍ରାର ପ୍ରଚଳନ କରାଇଥିଲେ। ତେଣୁ, ଏହାର ଅନ୍ୟ ନାମ ‘ଗୁଣ୍ଡିଚା ଯାତ୍ରା’। ଇନ୍ଦ୍ରଦ୍ୟୁମ୍ନ ସରୋବର ନିକଟବର୍ତ୍ତୀ ଗୁଣ୍ଡିଚା ମନ୍ଦିରର ମହାବେଦି ଉପରେ ପ୍ରଥମେ ଶ୍ରୀଜଗନ୍ନାଥ ଆବିର୍ଭୂତ ହୋଇଥିଲେ। ଏଠାରେ ଇନ୍ଦ୍ରଦ୍ୟୁମ୍ନ ସହସ୍ର ଅଶ୍ୱମେଧ ଯଜ୍ଞ କରି ଶ୍ରୀମନ୍ଦିର ତୋଳାଇଥିଲେ। ତେଣୁ, ବର୍ଷରେ ଥରେ ମହାପ୍ରଭୁମାନଙ୍କୁ ମହାବେଦି ଉପରେ ଅବସ୍ଥାନ କରାଇବା ପାଇଁ ଏହି ଯାତ୍ରାର ପ୍ରଚଳନ। ଆଉ ଏକ ମତ ଅନୁଯାୟୀ ‘ଗୁଡ଼ିସା’ ଶବ୍ଦରୁ ‘ଗୁଣ୍ଡିଚା ଯାତ୍ରା’ର ନାମକରଣ ହୋଇଥିଲା। ‘ଗୁଡ଼ିସା’ ଅର୍ଥ ‘କାଠ’। ମହାପ୍ରଭୁମାନଙ୍କର ବିଗ୍ରହ କାଠରେ ଗଢ଼ା। ତେଣୁ, ଏହା କାଠ ଦିଅଁଙ୍କ ଯାତ୍ରା। ‘ରଥସ୍ଥଂ ବାମନଂ ଦୃଷ୍ଟ୍ଵା ପୁନର୍ଜନ୍ମ ନ ଲଭ୍ୟତେ’: ଅର୍ଥାତ୍‌, ରଥ ଉପରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ, ମଣିଷକୁ ମୋକ୍ଷ ପ୍ରାପ୍ତି ହୁଏ। ସେ ଆଉ ପାପ-ତାପପୂର୍ଣ୍ଣ ଜଗତ୍‌ରେ ଜନ୍ମ ହୁଏନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.