ରାୟୁଡୁ ଶତକରେ ଚେନ୍ନାଇ ପ୍ଲେ ଅଫ୍‌ ପକ୍କା

ପୁନେ: ସନ୍‌ରାଇଜର୍ସ ହାଇଦ୍ରାବାଦ ପରେ ପୂର୍ବ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ଦ୍ୱିତୀୟ ଦଳ ଭାବେ ଆଇପିଏଲ-୧୧ର ପ୍ଲେ ଅଫ୍‌ ପର୍ଯ୍ୟାୟରେ ସ୍ଥାନ ପକ୍କା କରି ନେଇଛି। ଦୁଇ ବର୍ଷର ବାସନ୍ଦାଦେଶ ପରେ ଆଇପିଏଲ୍‌କୁ ଫେରିଥିବା ଚେନ୍ନାଇ ରବିବାର ସଂଯୋଗ ବଶତଃ ସେହି ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟ୍‌ରେ ହରାଇ ପ୍ଲେ ଅଫରେ ପ୍ରବେଶ କରିଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଅମ୍ବାତି ରାୟୁଡୁ (୧୦୦*ରନ୍‌, ୬୨ ବଲ୍‌, ୭ ଚୌକା, ୭ ଛକା) ଶତକୀୟ ପାଳି ଖେଳି ଚେନ୍ନାଇକୁ ସହଜ ବିଜୟ ଏବଂ ପ୍ଲେ ଅଫ୍‌ ଟିକେଟ ଉପହାର ଦେଇଥିଲେ। ସନ୍‌ରାଇଜର୍ସ ଆଜି ୧୮୦ ରନ୍‌ର ସମ୍ମାନ ବିଜୟ ଲକ୍ଷ୍ୟ ଦେଇଥିଲା। ଯାହା ଚେନ୍ନାଇ ପାଇଁ କଷ୍ଟକର ହେବ ବୋଲି ଆଶା କରାଯାଉଥିଲା। ହେଲେ ରାୟୁଡୁ ଏବଂ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ସେନ୍‌ ଓ୍ଵାଟସନ୍‌ (୫୭ ରନ୍‌, ୩୫ ବଲ୍‌, ୫ ଚୌକା, ୩ ଛକା) ପ୍ରଥମ ଓ୍ଵିକେଟ୍‌ରେ ୧୩୪ ରନ୍‌ ଯୋଡ଼ିବା ପରେ ଚେନ୍ନାଇ ଶେଷରେ ଏକତରଫା ବିଜୟ ହାସଲ କରିଥିଲା। ଦ୍ୱାଦଶ ମ୍ୟାଚ୍‌ରୁ ଚେନ୍ନାଇ ଆଜି ଅଷ୍ଟମ ବିଜୟ ହାସଲ କରିଥିଲା। ଅନ୍ୟ ପକ୍ଷରେ ସନ୍‌ରାଇଜର୍ସ ସେହି ୧୨ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରିଥିଲା। ଚେନ୍ନାଇ କିନ୍ତୁ ଏହି ଦଳ ବିପକ୍ଷରେ ଲଗାତାର ଦ୍ୱିତୀୟ ବିଜୟ ପାଇଥିଲା। ରବିବାରର ପାଲଟା ମୁକାବିଲା ସହ ଦୁଇ ଦଳ ମଧ୍ୟରେ ହୋଇଥିବା ଚଳିତ ବର୍ଷର ପ୍ରଥମ ଲଢ଼େଇରେ ମଧ୍ୟ ଚେନ୍ନାଇ ବିଜୟୀ ହୋଇଥିଲା। ପୂର୍ବରୁ ସନ୍‌ରାଇଜର୍ସ ତା’ ସଫଳ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନ (୭୯ ରନ୍‌, ୪୯ ବଲ୍‌, ୧୦ ଚୌକା, ୩ ଛକା) ଏବଂ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ (୫୧ ରନ୍‌, ୩୯ ବଲ୍‌, ୫ ଚୌକା, ୨ ଛକା)ଙ୍କ ଅର୍ଧଶତକ ବଳରେ ନିର୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୭୯ ରନ୍‌ କରିଥିଲା। ଯାହା ଶକ୍ତିଶାଳୀ ଚେନ୍ନାଇ ବ୍ୟାଟିଂକ୍ରମ ପାଇଁ ଆଦୌ ପର୍ଯ୍ୟାପ୍ତ ହୋଇ ନଥିଲା। ରାୟୁଡୁ ତାଙ୍କ ଚିତ୍ତାକର୍ଷକ ତଥା ପ୍ରଥମ ଆଇପିଏଲ୍‌ ଶତକ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ସଂକ୍ଷିପ୍ତ ସ୍କୋର: ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୭୯/୪ (ଶିଖର ଧାଓ୍ଵନ ୭୯, କେନ୍‌ ଓ୍ଵିଲିୟମସନ୍‌ ୫୧, ସାର୍ଦୁଲ ଠାକୁର ୨/୩୨, ଦୀପକ ଚହର ୧/୧୬)। ଚେନ୍ନାଇ ସୁପରକିଙ୍ଗ୍ସ ୧୯ ଓଭରରେ ୧୮୦/୨ (ଅମ୍ବାତି ରାୟୁଡୁ ୧୦୦*, ସେନ୍‌ ଓ୍ଵାଟସନ୍‌ ୫୭, ସନ୍ଦୀପ ଶର୍ମା ୧/୩୬)।

ସମ୍ବନ୍ଧିତ ଖବର