ରାଇସୁଙ୍ଗୁଡ଼ା :  ଦୋକାନ ତାଲା ଭାଙ୍ଗି ପିଆଜ ଚୋରି

ରାଇସୁଙ୍ଗୁଡ଼ା : ଦୋକାନରେ ପଶି ଦୁର୍ବୃତ୍ତ ଚୋରି କରି ନେଇଛନ୍ତି ୧୦ କିଲୋ ପିଆଜ। ଏଭଳି ଚୋରି ସଂପର୍କରେ ଥାନାରେ ଅଭିଯୋଗ ହୋଇଛି। ପିଆଜ କିଲୋ ଆଜି ୧୪୦ ଟଙ୍କାରେ ପହଞ୍ଚି ଥିବା ବେଳେ ରାତିରେ ଦୋକାନରୁ ପିଆଜ ଚୋରିକୁ ନେଇ ଥାନାରେ ମାମଲା ରୁଜୁ ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ସାଲେପୁର ଥାନା ଅନ୍ତର୍ଗତ ରାଇସୁଙ୍ଗୁଡ଼ା ବଜାରରେ ଥିବା ୮ଟି ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଏଭଳି ଚୋରି ହୋଇଥିବା ଅଭିଯୋଗ ହୋଇଛି।

ବଜାରରେ ଥିବା କରୁଣାକର ବାରିକଙ୍କ ପରିବା ଦୋକାନ, କୈଳାସ ସେଠୀଙ୍କ ବିଦ୍ୟୁତ୍ ରିପ୍ୟାରିଂ ଦୋକାନ, ଦୀପକ ପ୍ରଧାନଙ୍କ ଷ୍ଟେସନାରୀ ଦୋକାନ, ମନୋଜ ମହାନ୍ତିଙ୍କ କ୍ୟାବିନ୍, ନବ ରାଉତ, ସଂଜୟ ସାହୁଙ୍କ ମିଷ୍ଠାନ୍ନ ଭଣ୍ତାର, ଦିଲ୍ଲୀପ୍ ବେହେରାଙ୍କ ଇଲେକ୍ଟ୍ରି ସାମଗ୍ରୀ ଦୋକାନ, ମା’ ନିମ ମଙ୍ଗଳା ମନ୍ଦିରର ପୂଜକ ଉମେଶ ଚନ୍ଦ୍ର ମିଶ୍ର ରହୁଥିବା ମନ୍ଦିର ପରିସର ଘରୁ ଗୋଟିଏ ରାତିରେ ଚୋରି ହୋଇଛି। ଚୋର ଏହି ଦୋକାନ ଗୁଡ଼ିକର ତାଲା ଭାଙ୍ଗି ଇଲେକ୍ଟ୍ରି ମଟର, ନଗଦ ଟଙ୍କା ଓ ଅନ୍ୟାନ୍ୟ ଜିନିଷପତ୍ର ନେଇଯାଇଛନ୍ତି। କିନ୍ତୁ କରୁଣାକର ବାରିକଙ୍କ ପରିବା ଦୋକାନରୁ ଦୁର୍ବୃତ୍ତ ୧୦ କେଜି ପିଆଜ ଚୋରି କରିଥିବା ସଂପର୍କରେ ଥାନାରେ ଅଭିଯୋଗ ହୋଇଛି। ଦୋକାନରେ ବିଭିନ୍ନ ପ୍ରକାର ପରିବା ରହିଥିବା ବେଳେ ଦୁର୍ବୃତ୍ତ କେବଳ ପିଆଜ ଚୋରି କରିଛନ୍ତି। ପୁଲିସ୍‌ ବଜାରକୁ ଆସି ଘଟଣାର ତଦନ୍ତ କରିଛି। ସାଲେପୁର ଥାନା ପକ୍ଷରୁ ଦୁଇ ଜଣ ପୁଲିସ୍‌ କର୍ମଚାରୀ ବଜାରରେ ପୂର୍ବରୁ ରାତିରେ ଡ୍ୟୁଟି କରୁଥିବା ବେଳେ ୩ ବର୍ଷ ହେବ ଥାନାରେ କର୍ମଚାରୀ ନଥିବା ଦର୍ଶାଇ ସେମାନଙ୍କୁ ପ୍ରତ୍ୟାହାର କରି ନିଆଯାଇଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଚୋରି ବୃଦ୍ଧି ପାଉଛି ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର