କୃମି ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ସଇଁନ୍ତଲା : କୃମିନାଶକ ବଟିକା ଖାଇବା ପରେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଗ୍ରାମସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ। ସେମାନଙ୍କ ମଧ୍ୟରୁ ୫୧ ଜଣଙ୍କୁ ସଇଁନ୍ତଲା ସିଏଚ୍‌ସିରେ ଚିକିତ୍ସା କରାଯାଇଥିଲା। ସୁସ୍ଥ ହେବା ପରେ ସେମାନେ ଘରକୁ ଫେରିଥିବା ଡାକ୍ତରଖାନା ସୂତ୍ରରୁ କୁହାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଚିକିତ୍ସାରେ ଅବହେଳା ଦର୍ଶାଇ ଅଭିଭାବକମାନେ ସିଡିଏମ୍‌ଓଙ୍କୁ ଘେରାଉ କରିବା ସହ ସ୍କୁଲରେ ବି ଭଙ୍ଗାରୁଜା କରିଥିଲେ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଆସନ୍ତା ୨୬ ତାରିଖ ଦିନ ଛାତ୍ରଛାତ୍ରୀମାନଙ୍କୁ କୃମିନାଶକ ଔଷଧ (ଆଲବେଣ୍ଡାଜଲ- ୪୦୦) ଖୁଆଇବା ପାଇଁ ଗତ ଶନିବାର ସମସ୍ତ ଆଶାକର୍ମୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଆଶାକର୍ମୀ କୁନ୍ତଳା କୁମ୍ଭାର ସୋମବାର ଦିନ ସାଢ଼େ ୧୦ଟାରେ ଘୁନସରସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ପହଂଚି ପ୍ରଧାନ ଶିକ୍ଷକ ଅନୁଗ୍ରହ ନନ୍ଦଙ୍କ ଅନୁମତିକ୍ରମେ ଉକ୍ତ କୃମିନାଶକ ଔଷଧ ଛାତ୍ରଛାତ୍ରୀମାନଙ୍କୁ ଖାଇବାକୁ ଦେଇଥିଲେ। ଔଷଧ ଖାଇବା ପରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରିଥିଲେ। କିଛି ଅଭିଭାବକ ଏ ସଂପର୍କରେ ସୂଚନା ପାଇ ଘୁନସରସ୍ଥିତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଖବର ଦେଇଥିଲେ। କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବସ୍ଥାପିତ ଡାକ୍ତର ବିଦ୍ୟାଳୟକୁ ନ ଆସିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ଅଭିଭାବକ ସ୍କୁଲରେ ଭଙ୍ଗାରୁଜା କରିଥିଲେ। ସଇଁନ୍ତଲା ପୁଲିସ, ବିଡିଓ, ଅତିରିକ୍ତ ତହସିଲଦାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ଛାତ୍ରଛାତ୍ରୀଙ୍କ ପ୍ରାଥମିକ ଚିକିତ୍ସା କରାଇବା ବ୍ୟବସ୍ଥା କରିଥିଲେ। ଗୁରୁତର ଥିବା ୫୧ଜଣ ଛାତ୍ରଛାତ୍ରୀଙ୍କୁ ସଇଁନ୍ତଲା ସିଏଚ୍‌ସିକୁ ସ୍ଥାନାନ୍ତର କରିଥିଲେ। ଏହି ସମୟରେ ସିଡିଏମ୍‌ଓ ଡା. ସୁଜ୍ଞାନେନ୍ଦ୍ର ମିଶ୍ର ଦୁଇଟି ଡାକ୍ତରୀ ଦଳ ଧରି ସଇଁନ୍ତଲାରେ ପହଞ୍ଚିଥିଲେ। କିନ୍ତୁ ଶ୍ରୀ ମିଶ୍ରଙ୍କୁ ଉତ୍ତ୍ୟକ୍ତ ଅଭିଭାବକମାନେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଘେରାଉ କରି ଘଟଣାର ତଦନ୍ତ କରାଯିବା ତଥା ଘୁନସର ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ ଅବହେଳା ନିମନ୍ତେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଘଟଣା ସମ୍ପର୍କରେ ସିଡିଏମଓ ଡା. ମିଶ୍ରଙ୍କୁ ପଚାରିବାରୁ ପୂର୍ବରୁ ମଧ୍ୟ ଏଭଳି ଘଟଣା ଦୁଇ ତିନୋଟି ଜାଗାରେ ଘଟିଥିଲା; ଘୁନସର ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ।

ଏ ବିଷୟରେ ବିଇଓ ଫ୍ଲୋରା ଗୋରିଆଙ୍କୁ ପଚାରିବାରୁ ସ୍କୁଲର ୯୦ ଜଣ ଛାତ୍ରଛାତ୍ରୀ ଔଷଧ ସେବନ କରିଥିବା ବେଳେ ୬୬ଜଣ ଅସୁସ୍ଥ ହୋଇଥିଲେ ଏବଂ ସେମାନଙ୍କୁ ସଇଁନ୍ତଲା ସିଏଚ୍‌ସିକୁ ଚିକିତ୍ସା ପାଇଁ ଅଣାଯାଇଥିଲା ବୋଲି କହିଥିଲେ।

ସମ୍ବନ୍ଧିତ ଖବର