ଭୁବନେଶ୍ୱର: ଆଜି ରାଜ୍ୟସ୍ତରୀୟ ସିଙ୍ଗଲ୍ ଓ୍ଵିଣ୍ଡୋ ଅନୁମୋଦନ କର୍ତୃପକ୍ଷ ୩୪୮.୯୫ କୋଟି ମୂଲ୍ୟର ୪ଟି ପୁଞ୍ଜିନିବେଶ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ୬ ହଜାର ସଂଖ୍ୟକ କର୍ମନିଯୁକ୍ତି ସୃଷ୍ଟି ହେବ। ଏଥିମଧ୍ୟରୁ କେରଳଭିତ୍ତିକ ପୋଷାକ କମ୍ପାନି ଗଞ୍ଜାମ ଜିଲ୍ଲାରେ ଏକ ପ୍ରକଳ୍ପ ପ୍ରତିଷ୍ଠା କରିବ। ଏହା କାର୍ଯ୍ୟକାରୀ ହେଲେ, ୫ ହଜାରରୁ ଅଧିକ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୭୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ଵିଣ୍ଡୋ ଅନୁମୋଦନ ବୈଠକରେ ଏହି ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ମିଳିଛି। ବୈଠକରେ ବିଭିନ୍ନ ଶିଳ୍ପ, ଫାର୍ମାସ୍ୟୁଟିକାଲ, ବୟନ ଶିଳ୍ପ, ଧାତବ ଓ ଡାଉନ୍ଷ୍ଟ୍ରିମ୍ ଖଣିଜ ଶିଳ୍ପ କ୍ଷେତ୍ରରୁ ୬ଟି ପ୍ରକଳ୍ପ ପ୍ରସ୍ତାବ ଆସିଥିଲା। ଏଥିମଧ୍ୟରୁ ଶିଳ୍ପ ବିଭାଗର ପୋର୍ଟାଲ୍ ଗୋ-ସ୍ୱିଫ୍ଟ କେରଳଭିତ୍ତିକ ଏକ ପ୍ରମୁଖ ପୋଷାକ କମ୍ପାନି ନିକଟରୁ ଗ୍ରହଣ କରିଥିବା ପ୍ରସ୍ତାବକୁ ସିଙ୍ଗଲ୍ ଓ୍ଵିଣ୍ଡୋ ମଞ୍ଜୁରି ଦେଇଛି। ଦେଶର ଏହି ପ୍ରମୁଖ ରପ୍ତାନୀକାରୀ କମ୍ପାନି ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଥିବା ଟାଟା ଷ୍ଟିଲ୍ର ଏସ୍ଇଜେଡ୍ରେ ୧୭୭ କୋଟି ନିବେଶରେ ଏକ ନିଟିଙ୍ଗ, ଫ୍ୟାବ୍ରିକ୍ ପ୍ରୋସେସିଂ ଓ ପୋଷାକ ମାନୁଫ୍ୟାକ୍ଚରିଂ ୟୁନିଟ୍ ସ୍ଥାପନ କରିବ।
Sambad is now on WhatsApp
Join and get latest news updates delivered to you via WhatsApp
କଟକ ନିକଟ ରାମଦାସପୁରରେ ୬୪.୯୫ କୋଟିର ଏକ ଇଣ୍ଟ୍ରାଭେନସ୍ ଫ୍ଲୁଇଡ୍ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ଏକ କଲ୍କାତାଭିତ୍ତିକ ଫାର୍ମାସ୍ୟୁଟିକାଲ୍ କମ୍ପାନିର ପ୍ରସ୍ତାବକୁ ସିଙ୍ଗଲ୍ ଓ୍ଵିଣ୍ଡୋ ଅନୁମୋଦନ ଦେଇଛି। ପ୍ରସ୍ତାବିତ ପ୍ରକଳ୍ପ ୩୬୫ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କର୍ମନିଯୁକ୍ତି ଯୋଗାଇଦେବ। ରାଜ୍ୟର ଏହା ହେବ ଓଡ଼ିଶାର ପ୍ରଥମ ଫାର୍ମାସ୍ୟୁଟିକାଲ ମାନୁଫ୍ୟାକ୍ଚରିଂ ୟୁନିଟ୍। ଆଲୁମିନା, ଆଲୁମିନିୟମ୍ ଆନୁଷଙ୍ଗିକ ଓ ଡାଉନ୍ଷ୍ଟ୍ରିମ୍ ଶିଳ୍ପ ପାଇଁ ସ୍ୱତନ୍ତ୍ର ୨ଟି ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରି ଦେଇଛି ସିଙ୍ଗଲ୍ ଓ୍ଵିଣ୍ଡୋ। ଅନୁଗୁଳ ଆଲୁମିନିୟମ ପାର୍କରେ ବାର୍ଷିକ ୪୦ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏକ ନିର୍ମାଣ ୟୁନିଟ୍ ସ୍ଥାପନ ପାଇଁ ମୁମ୍ବାଇର ଏକ ପ୍ରମୁଖ ଆଲୁମିନିୟମ କଣ୍ଡକ୍ଟର ନିର୍ମାତା ପ୍ରସ୍ତାବ ଦେଇଛି। ଏହି ପ୍ରକଳ୍ପରେ ୫୬.୩୦ କୋଟି ବିନିଯୋଗ ହେବ। ପ୍ରାୟ ୨୦୦ ଲୋକ କର୍ମନିଯୁକ୍ତି ସୁଯୋଗ ପାଇବେ। ରାଜସ୍ଥାନର ଏକ କେବୁଲ କମ୍ପାନି ଦେଇଥିବା ୨ୟ ପ୍ରସ୍ତାବଟି ସିଙ୍ଗଲ୍ ଓ୍ଵିଣ୍ଡୋର ଅନୁମୋଦନ ଲାଭ କରିଛି। ପ୍ରାୟ ୫୦.୩୦ କୋଟି ବ୍ୟୟରେ ହେବାକୁ ଥିବା ଏହି ଆଲୁମିନିୟମ କଣ୍ଡକ୍ଟର ମାନୁଫ୍ୟାକ୍ଚରିଂ ପ୍ଲାଣ୍ଟରେ ୧୩୦ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ୨ଟି ପ୍ରକଳ୍ପ ମଧ୍ୟରୁ ଗୋଟିଏ ଅନୁଗୁଳ ଓ ଅନ୍ୟଟି ଝାରସୁଗୁଡ଼ାରେ ସ୍ଥାପିତ ହେବ ବୋଲି ସୂଚନା ମିଳିଛି। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଇପିକଲ୍ ଜିଏମ୍ କଲ୍ୟାଣ ମହାନ୍ତି କହିଲେ, ଗତବର୍ଷଠାରୁ ବର୍ତମାନ ପର୍ଯ୍ୟନ୍ତ ବିଭିନ୍ନ ଶିଳ୍ପ ସଂସ୍ଥା, କମ୍ପାନିମାନଙ୍କ ପକ୍ଷରୁ ୨.୦୩ ଲକ୍ଷ କୋଟିର ୧୨୪ଟି ଶିଳ୍ପ ସ୍ଥାପନ ଜନିତ ଆଗ୍ରହ ମିଳିଥିଲା। ସେଥିମଧ୍ୟରୁ ୭୫ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ତନ୍ମଧ୍ୟରୁ ଗତବର୍ଷ ନଭେମ୍ବର ମାସରେ ୧୧୬୯୦ କୋଟିର ୧୫ଟି ଶିଳ୍ପ ପ୍ରକଳ୍ପ ଉଦ୍ଘାଟିତ ହୋଇଥିଲା। ସେହି ପ୍ରକଳ୍ପ ଜରିଆରେ ୮୧୮୭ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଗତ ଜୁନ୍ ମାସରେ ଦ୍ୱିତୀୟ ଥର ପାଇଁ ଆରମ୍ଭ ହୋଇଥିବା ଆଉ ୭ଟି ନିର୍ମାଣ ପ୍ରକଳ୍ପ ସ୍ଥାପନ ହୋଇଛି। ସେହି ପ୍ରକଳ୍ପଗୁଡ଼ିକ ଜରିଆରେ ୮୯୫୩ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁବିଧା ଉପଲବ୍ଧ ହୋଇଛି। ଆସନ୍ତା ଅଗଷ୍ଟ ମାସରେ ଆଉ ୧୮ଟି ଶିଳ୍ପ ପ୍ରକଳ୍ପ ଆରମ୍ଭ ହେବ ବୋଲି ସେ କହିଥିଲେ। ପୂର୍ବ ଭଳି ଆଉ ବୁଝାମଣାପତ୍ର(ଏମ୍ଓୟୁ) ସ୍ୱାକ୍ଷରିତ କରାଯାଉନଥିବା ସେ ପ୍ରକାଶ କରିଥିଲେ।