ମୁମ୍ବାଇ: ବ୍ୟାଙ୍କଗୁଡ଼ିକ ପାଖରେ ନଗଦ ଟଙ୍କାର ଅଭାବ ରହିବନି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଆଜି ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଯାହାକୁ ବ୍ୟବହାର କରି ବ୍ୟାଙ୍କଗୁଡ଼ିକ ଅଧିକ ନଗଦ ରାଶି ହାସଲ କରିପାରିବେ। ରିଜର୍ଭ ବ୍ୟାଙ୍କ ବୈଧାନିକ ନଗଦ ଅନୁପାତ (ଏସ୍ଏଲ୍ଆର୍)ଅଧୀନରେ ବ୍ୟାଙ୍କ ଗୁଡ଼ିକୁ ପ୍ରଦାନ କରୁଥିବା ଏଲ୍ସିଆର୍ (ଲିକ୍ବିଡିଟି କଭରେଜ ରେସିଓ)ରେ ୨% କୋହଳ କରିଛନ୍ତି। ବ୍ୟାଙ୍କଗୁଡ଼ିକ ଏହି ଅତିରିକ୍ତ ଏଲସିଆର୍କୁ ବ୍ୟବହାର କରି ନଗଦ ରାଶି ହାସଲ କରିପାରିବେ। ପୂର୍ବରୁ ଏଲସିଆର୍ ସୀମା ୧୩% ଥିବା ବେଳେ ଏବେ ତାହାକୁ ୧୫% କରାଯାଇଛି। ବେସେଲ୍-୩ରେ ହିସାବ ବେଳେ ବ୍ୟାଙ୍କଗୁଡ଼ିକ ସରକାରୀ ସିକ୍ୟୁରିଟିରେ କରିଥିବା ନିବେଶକୁ ଉଚ୍ଚ ଶ୍ରେଣୀର ନଗଦ ସମ୍ପତ୍ତି (ଏଚ୍କ୍ୟୁଏଲ୍ଏ) ଭାବେ ବିଚାର କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ କହିଛନ୍ତି। ସେହି ନଗଦ ସମ୍ପତ୍ତିକୁ ରେପୋ ବଜାରରେ ବନ୍ଧକ ରଖି ବ୍ୟାଙ୍କଗୁଡ଼ିକ ନଗଦ ରାଶି ହାସଲ କରିପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ବିଜ୍ଞପ୍ତି ଜାରି କରି ବ୍ୟାଙ୍କଗୁଡ଼ିକ ପାଇଁ ଏଲସିଆର୍ ପରିମାଣକୁ ସେମାନଙ୍କ ଜମାର ୧୫% ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରିଜର୍ଭ ବ୍ୟାଙ୍କ । ଏଲସିଆର୍ରେ ବୃଦ୍ଧି ଘୋଷଣା କରାଯାଇଥିବାରୁ ବ୍ୟାଙ୍କଗୁଡ଼ିକ ପାଖରେ ଅଧିକ ୨ ଲକ୍ଷ କୋଟି ଟଙ୍କାର ନଗଦ ରାଶି ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏସ୍ଏଲ୍ଆର୍ ଜରିଆରେ ନଗଦ ରାଶି ହାସଲ ସୁବିଧାକୁ ବ୍ୟାଙ୍କଗୁଡ଼ିକ ଅକ୍ଟୋବର ୧ରୁ ବ୍ୟବହାର କରିପାରିବେ। ବ୍ୟାଙ୍କ ପାଖରେ ଅଧିକ ନଗଦ ଟଙ୍କା ରହିଲେ ବଜାରରେ ମଧ୍ୟ ନଗଦ ଟଙ୍କା ପର୍ଯ୍ୟାପ୍ତ ପରିମାଣରେ ରହିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଆଇଏଲ୍ଆଣ୍ଡ୍ଏଫ୍ଏସ୍ ପକ୍ଷରୁ ୯୧ ହଜାର କୋଟି ଟଙ୍କାର ଖିଲାପ କରାଯିବା ପରେ ବଣ୍ଡ୍ ବଜାର ଏହାର ଆକର୍ଷଣ ହରାଇଛି। ଏଭଳି ଏକ ପରିସ୍ଥିତିରେ ରିଜର୍ଭ ବ୍ୟାଙ୍କ ଏସ୍ଏଲ୍ଆର୍ କୋହଳ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ବ୍ୟାଙ୍କଗୁଡ଼ିକ କହିଛନ୍ତି। ତେବେ, ରିଜର୍ଭ ବ୍ୟାଙ୍କ ଯେଉଁ ସୁବିଧା ପ୍ରଦାନ କରିଛନ୍ତି ତାହାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବ୍ୟବହାର କରିବ ନାହିଁ। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଆମ ପାଖରେ ନଗଦ ଟଙ୍କାର କୌଣସି ଅଭାବ ନାହିଁ। ତେଣୁ ଏହି ସୁବିଧାକୁ ବ୍ୟବହାର କରିବାର ଆବଶ୍ୟକତା ନାହିଁ। ଆଜି ରିଜର୍ଭ ବ୍ୟାଙ୍କ ଏହା ମଧ୍ୟ ଜଣାଇଛି ଯେ ବଜାରରେ ନଗଦ ପ୍ରବାହକୁ ଜାରି ରଖିବା ପାଇଁ ଯାହା ଦରକାର ସେଭଳି ପଦକ୍ଷେପ ଗ୍ରହଣ କରାଯିବ। ଚଳିତ ମାସ ୨୬ ତାରିଖ ସୁଦ୍ଧା ରିଜର୍ଭ ବ୍ୟାଙ୍କର ମିଆଦୀ ରେପୋ ଜରିଆରେ ବ୍ୟାଙ୍କଗୁଡ଼ିକ ୧.୮୮ ଲକ୍ଷ କୋଟି ଟଙ୍କା ହାସଲ କରିଛନ୍ତି।