ଭୁବନେଶ୍ବର: ପୁରୁଷ ବିଶ୍ବକପ୍ ହକି ଆରମ୍ଭ ହୋଇଗଲାଣି। କିନ୍ତୁ ରାଜଧାନୀରେ ମରାମତି, ନିର୍ମାଣ କାର୍ଯ୍ୟ ସରୁନି। ସ୍ମାର୍ଟ ସିଟି ଯୋଜନାରେ ବିଏମ୍ସି ଓ ବିଡିଏର କେତେକ ପ୍ରକଳ୍ପ ଶେଷ ହୋଇଥିବା ବେଳେ ପୂର୍ତ୍ତ ବିଭାଗର କିନ୍ତୁ କାମ ସରୁନି। ଏପରିକି ବିଶ୍ବକପ୍ ହକି ପାଇଁ ପୂର୍ତ୍ତ ବିଭାଗ ରାଜଧାନୀରେ ତରବରିଆ ଭାବେ ରାସ୍ତା ମରାମତି କରିଥିଲେ ହେଁ ଏବେ ବି ବମିଖାଲ ଓଭରବ୍ରିଜ୍ ନିର୍ଯାତନାରୁ ଲୋକଙ୍କୁ ଉଦ୍ଧାର ମିଳୁନି। ରାଜଧାନୀର ରାସ୍ତା ଗତ ଦୁଇ ସପ୍ତାହ ମଧ୍ୟରେ ପୂରା ଚକାଚକ୍ ହୋଇଯାଇଛି। କିନ୍ତୁ ଏହା ଏବେ ଯେତିକି ସୁନ୍ଦର ଲାଗୁଛି, ଆସନ୍ତା ବର୍ଷା ଦିନେ କିମ୍ବା ହଠାତ୍ ବଡ଼ ବର୍ଷା ହେଲେ ଯନ୍ତ୍ରଣାଦାୟକ ପାଲଟିଯିବ। ପୂର୍ତ୍ତ ବିଭାଗ ପକ୍ଷରୁ ତରବରିଆ ଭାବେ ରାତିଅଧିଆ ସମସ୍ତ ରାସ୍ତା ମରାମତି କରାଯାଇଛି। ଗାଇଡଲାଇନ୍କୁ କୌଣସି ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇନି। ଫଳରେ ରାସ୍ତା ଏବେ ପୂର୍ବ ଅପେକ୍ଷା ଉଚ୍ଚା ହୋଇଯାଇଛି। ଏପରିକି ଅଧିକାଂଶ ସ୍ଥାନରେ ରାସ୍ତା କଡ଼ରେ ବର୍ଷା ଜଳ ନିଷ୍କାସନ ପାଇଁ ଥିବା ଡ୍ରେନ୍କୁ ବାଟ ବନ୍ଦ ହୋଇଯାଇଛି। କେଉଁଠି ଅଧା ବନ୍ଦ ହୋଇଯାଇଛି ତ କେଉଁଠି ରାସ୍ତା ଡ୍ରେନ୍କୁ ଥିବା ଗାତଠାରୁ ବହୁ ଉଚ୍ଚା ହୋଇଯାଇଛି। ଯାହା ବର୍ଷା ଜଳ ନିଷ୍କାସନରେ ପ୍ରମୁଖ ବାଧକ ସାଜିବ। ଏପରିକି ଡ୍ରେନ୍ ଗୋଟେ ପାର୍ଶ୍ବରେ ଥିବା ପାଣି ଅନ୍ୟ ଦିଗରେ ବହିବ। ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗର ଗାଇଡଲାଇନ୍ ଅଛି। ନିୟମ ଅନୁଯାୟୀ ଯେଉଁଠି ରାସ୍ତା ମରାମତି ହେବ ସେଠାରେ ରାସ୍ତାକୁ ପ୍ରଥମେ ଆମ୍ପୁଡ଼ି ପୂର୍ବରୁ ପଡ଼ିଥିବା ପିଚୁ ଆବରଣକୁ ଛଡ଼ାଯିବ। ଏହାପରେ ଖାଲୁଆ ଅଞ୍ଚଳକୁ ପୋତି ସମାନ କରାଯିବ। ଉଠାଣି ଓ ଗଡ଼ାଣିକୁ ଧ୍ୟାନ ଦେଇ ଏହା ଉପରେ ପିଚୁ ପଡ଼ିବ। ହେଲେ ଏବେ ତରବରିଆ ଭାବେ ରାସ୍ତା ମରାମତି ହୋଇଥିବାରୁ ଖୁବ୍ କମ୍ ସମୟରେ ଖୋଳି ତାଡ଼ି କାମ କରିବା ସମ୍ଭବ ହେଲାନି। ପୂର୍ବ ପିଚୁ ଆବରଣ ଉପରେ ଆଉ ଏକ ସ୍ତର ପକାଇ ଦିଆଯାଇଛି। ପିଚୁ ରାସ୍ତା ନିର୍ମାଣ ସମୟରେ ଏଥିରେ ଏକ ଉପାଦାନ ମିଶାଯାଇଥାଏ। ଯାହାଦ୍ବାରା ପିଚୁ ରାସ୍ତା ପାଣିକୁ ଜାବୁଡ଼ି ଧରିବନି। ହେଲେ ରାସ୍ତା ନିର୍ମାଣ ବେଳେ ଏହାକୁ ଧୢାନ ଦିଆଯାଇନି। ଯାହା ଆଗକୁ ସାଂଘାତିକ ରୂପ ନେବାକୁ ଯାଉଛି। ଏଥର ବର୍ଷା ପାଣି ଜମିଲେ ବିଏମ୍ସି ପୂର୍ତ୍ତ ବିଭାଗ ଉପରେ ଦୋଷ ଦେଇ ଖସିବା କଷ୍ଟକର ହେବ। କାରଣ ହକି ବିଶ୍ବକପ୍ ପାଇଁ ସମସ୍ତ କାର୍ଯ୍ୟ ମିଳିତ ବୈଠକ ପରେ ଧାର୍ଯ୍ୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ତ୍ତ ବିଭାଗ ଭାବୁଛି ଆଉ ମାସେ ଅଛି ବିଶ୍ବକପ୍
ବମିଖାଲ ଓଭରବ୍ରିଜ୍ର ସନ୍ତୋଷୀ ମା’ ମନ୍ଦିର ପାର୍ଶ୍ବ ସର୍ଭିସ୍ ରୋଡ୍ ହକି ବିଶ୍ବକପ୍ ପୂର୍ବରୁ ଖୋଲିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଖେଳ ଆରମ୍ଭ ହୋଇଗଲା, କାମ ସରିଲାନି। କେବେ ଖୋଲିବେ ତାହା ବି ବିଭାଗୀୟ ଅଧିକାରୀ କହୁନାହାନ୍ତି। ଏଠାେର ଏବେବି ଗୋଟିଏ ପାର୍ଶ୍ବରେ ପ୍ରାୟ ୧୦୦ମିଟର ପର୍ଯ୍ୟନ୍ତ ଗାଡ଼ି ଧକଡ଼ଚକଡ଼ ହୋଇ ଯାଉଥିବାରୁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ଏପରିକି ବମିଖାଲ ଦୁର୍ଗାପୂଜା ମଣ୍ଡପ ସମ୍ମୁଖେର ରାସ୍ତା ଅଣଓସରିଆ ଥିଲେ ହେଁ ଏହାର ମରାମତି କରାଯାଉନି। ଏହାର ମରାମତି କରିବା ପାଇଁ ସାମଗ୍ରୀ ଦୀର୍ଘ ଦିନ ହେଲା ଗଦା ହୋଇଥିଲେ ହେଁ ଏହାକୁ କାମରେ ଲଗାଯାଉନି। ବମିଖାଲ ଓଭରବ୍ରିଜ୍ ଏବଂ ଏହା ସଂଲଗ୍ନ ରାସ୍ତା କାମ ଦେଖି ସ୍ଥାନୀୟ ଲୋକ କହିଲେଣି ପୂର୍ତ୍ତ ବିଭାଗ ଭାବୁଛି ହକି ବିଶ୍ବକପ୍ ଆଉ ମାସେ ଅଛି। ତେଣୁ ଧୀରେଧୀରେ, ମନଇଚ୍ଛା କାମ କରୁଛନ୍ତି। ପୂର୍ତ୍ତ ବିଭାଗ ଧିମେଇ ଯାଇଥିବା ବେଳେ ଏହା ଏବେ ରାଜଧାନୀର ସୌନ୍ଦର୍ଯ୍ୟକରଣରେ କଳଙ୍କ ସଦୃଶ୍ୟ ହୋଇଯାଇଛି।
ଯନ୍ତ୍ରୀଙ୍କ ମୃତ୍ୟୁ ପରେ ରାତିରେ କାମ ଧିମେଇ ଯାଇଛି
ଗତ ସପ୍ତାହରେ ଶିରିପୁର ଛକ ନିକଟରେ ବିଳମ୍ବିତ ରାତିରେ ରାସ୍ତା ମରାମତି ସମୟରେ ଜଣେ ଯନ୍ତ୍ରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହାପରେ ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ ରାତିରେ ଘରୁ ବାହାରିବାକୁ ଡରୁଛନ୍ତି। କାମ େହଉ କି ନହେଉ ଯନ୍ତ୍ରୀ କାମ ହେଉଥିବା ସ୍ଥାନକୁ ଆସୁନାହାନ୍ତି। ଯଦି କିଏ ଆସୁଛନ୍ତି, ତେବେ ବିଳମ୍ବିତ ରାତି ଯାଏ ରହୁନାହାନ୍ତି। ଫଳରେ ରାତିରେ ନିର୍ମାଣ ଓ ମରାମତି କାମ ପ୍ରାୟ ହେଉନି। ଯେଉଁଠି ହେଉଛି ତାହା ପୂରା ଧିମେଇ ଧିମେଇ।