ଅମୃତସର: ପାକିସ୍ତାନ ଗସ୍ତ ପାଇଁ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଗତକାଲି ସେ କହିଥିଲେ, ମୋ କ୍ୟାପଟେନ୍ ରାହୁଲ ଏବଂ ତାଙ୍କ ନିର୍ଦ୍ଦେଶରେ ହିଁ ମୁଁ ପାକିସ୍ତାନ ଯାଇଥିଲି। କିନ୍ତୁ ସିଦ୍ଧୁ ଆଜି ପୁଣିଥରେ ନିଜ ମତ ବଦଳାଇ ଦେଇଛନ୍ତି। ଆଜି ଏକ ଟ୍ବିଟ୍ ମାଧ୍ୟମରେ ସିଦ୍ଧୁ କହିଛନ୍ତି ଯେ ସମଗ୍ର ବିଶ୍ବବାସୀ ଜାଣନ୍ତି ମୁଁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବ୍ୟକ୍ତିଗତ ଆମନ୍ତ୍ରଣରେ ହିଁ ପାକିସ୍ତାନ ଯାଇଥିଲି। ରାହୁଲ ମତେ ପାକିସ୍ତାନ ଯିବା ପାଇଁ କହିନଥିଲେ। ଉଲ୍ଲେଖଯୋଗ୍ୟ, ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନରେ ଉତ୍ତର ଦେଇ ସିଦ୍ଧୁ କହିଥିଲେ ଯେ ତାଙ୍କ କ୍ୟାପଟେନ୍ ହେଉଛନ୍ତି ରାହୁଲ। ତାଙ୍କ ନିର୍ଦ୍ଦେଶରେ ସେ ପାକିସ୍ତାନ ଯାଇଥିଲେ। ତେବେ ସିଦ୍ଧୁ ରାହୁଲଙ୍କୁ ନିଜ କ୍ୟାପଟେନ୍ କହିବା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପ୍ରତି ଅପମାନ ସଦୃଶ ହୋଇଛି। ଅମରିନ୍ଦର ସେନାବାହିନୀରେ ଜଣେ ପୂର୍ବତନ କ୍ୟାପଟେନ୍। ତେଣୁ ସିଦ୍ଧୁଙ୍କର ଏଭଳି ବୟାନ ପାଇଁ ପଞ୍ଜାବର ଜଣେ ବରିଷ୍ଠ ମନ୍ତ୍ରୀ ତାଙ୍କ ଇସ୍ତଫା ଦାବି କରିଛନ୍ତି। ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ତ୍ରିପ୍ତ ରାଜିନ୍ଦର ସିଂହ ବଜ୍ୱା କହିଛନ୍ତି ଯେ ଯଦି ସିଦ୍ଧୁ ଅମରିନ୍ଦରଙ୍କୁ ତାଙ୍କ କ୍ୟାପଟେନ୍ ଭାବୁନାହାନ୍ତି ତେବେ ସେ ନୈତିକତା ଦୃଷ୍ଟିକୋଣରୁ କ୍ୟାବିନେଟ୍ରୁ ଇସ୍ତଫା ଦେଇଦେବା ଉଚିତ।