ଆଦିମ ଜନଜାତି ମହିଳାଙ୍କ ପାଇଁ ମମତା ଯୋଜନା ଅବଧି ୫ ବର୍ଷ ବୃଦ୍ଧି

୨ରୁ ଅଧିକ ସନ୍ତାନ ଜନ୍ମ କଲେ ବି ମିଳିବ ସହାୟତା

ଭୁବନେଶ୍ବର: ଏଣିକି ଆଦିମ ଜନଜାତି ବର୍ଗର ମହିଳାଙ୍କର ଦୁଇରୁ ଅଧିକ ସନ୍ତାନ ଜନ୍ମ ହେଲେ ବି ସେମାନଙ୍କୁ ମମତା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ମହିଳା ଓ ଶିଶୁ ବିକାଶ ବିଭାଗ ଆଜି ଏ ନେଇ ନିର୍ଦ୍ଦେଶନାମା ଜାରି କରିଛି। ଏହାସହିତ ସେମାନଙ୍କ ପାଇଁ ମମତା ଯୋଜନା ଅବଧିକୁ ଆଗାମୀ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଜନଜାତି ବହୁଳ ଅଞ୍ଚଳରେ ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ପାଇଁ ୨୦୧୧ ମସିହାରୁ ମମତା ଯୋଜନାରେ ଆଦିମ ଜନଜାତି (ପିଭିଟିଜି)ର ମହିଳାମାନଙ୍କୁ ସାମିଲ କରାଯାଇଛି। ସେମାନଙ୍କ ପାଇଁ ୨୦୧୪ ମସିହାରୁ ୨୦୧୯ ଜୁଲାଇ ପର୍ଯ୍ୟନ୍ତ ଏହି ଯୋଜନା ଲାଗୁ ହୋଇଥିଲା। କିନ୍ତୁ ଆଦିମ ଜନଜାତି ଅଞ୍ଚଳରେ ମାତୃ ଓ ଶିଶୁ ମୃତ୍ୟୁ ହାରରେ ସେତେଟା ସଫଳତା ନ ମିଳିବାରୁ ମମତା ଯୋଜନାକୁ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସରକାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ମମତା ଯୋଜନାରେ ୨ଟି କିସ୍ତିରେ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଦୁଇଟି ଜନ୍ମ ହୋଇଥିବା ସନ୍ତାନଙ୍କ ପାଇଁ ସିଧାସଳଖ ଗର୍ଭବତୀ ବା ପ୍ରସୂତୀ ମହିଳାଙ୍କ ଜମାଖାତାକୁ ହସ୍ତାନ୍ତର କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ପ୍ରାୟ ୩୮.୮୯ ଲକ୍ଷ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ୧୮୧୦ କୋଟି ୭୬ ଲକ୍ଷ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ହସ୍ତାନ୍ତର କରାଯାଇଛି। ଡାକ୍ତରଖାନାରେ ସନ୍ତାନ ପ୍ରସବ କରିବା ସହ ସୁଷମ ଓ ପୌଷ୍ଟିକ ଆହାର ମାଧ୍ୟମରେ ପ୍ରସୂତିଙ୍କ ସ୍ବାସ୍ଥ୍ୟରକ୍ଷା କ୍ଷେତ୍ରରେ ଏହି ଯୋଜନା ଫଳପ୍ରସୁ ହୋଇଛି ବୋଲି ସରକାର ଜଣାଇଛନ୍ତି।

ସମ୍ବନ୍ଧିତ ଖବର