କଟକ : ‘‘ନେକ୍ସଟ୍ ଡେ’ରେ ମୁଁ ଆଉ ନଥିବି ଦୁନିଆରେ। ବିକଜ୍ …ର ବାହାଘର। ତା’ ନୂଆ ଲଭର୍ ସହିତ ହେଉଛି। ଡିସେମ୍ବର ମାସରୁ ପ୍ରେମ ଚାଲିଲାଣି। ମତେ ସେ ଆଭଏଡ୍ କରୁଥିଲା। ମତେ ଆଜି କହିଲା ମୋ ଲାଇଫ୍ରୁ ଦୂରେଇ ଯା। ମୁଁ କହିଲି, ତୋ ବିନା ମୁଁ ରହି ପାରିବିନି। ସିଏ ଶୁଣିଲାନି। ଜୀବନରେ ପ୍ରଥମ ଥର ପାଇଁ ସମସ୍ତଙ୍କୁ କହୁଛି, କେବେ ହାର୍ଟଲି ଭଲ ପାଇବ ନାହିଁ। ବହୁରୂପୀ ଝିଅ। ଥ୍ୟାଙ୍କ ୟୁ…’’ ଭିଡିଓରେ ଏଭଳି ବୟାନ ରଖି ସୋସିଆଲ ମିଡିଆରେ ନିଜ ସାଙ୍ଗଙ୍କ ନିକଟକୁ ଛାଡ଼ିବା ପରେ ଜଣେ ଶିକ୍ଷିତ ଯୁବକ ରେଳଧାରଣାରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ୧ ମିନିଟ୍ ୪୨ ସେକେଣ୍ତର ଏଭଳି ଏକ ଭିଡିଓ ଭାଇରାଲ୍ କରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଆତ୍ମହତ୍ୟା କରିଥିବା ଏହି ଯୁବକ ହେଉଛନ୍ତି ନିଆଳିର ମନୋଜ କୁମାର ସ୍ବାଇଁ(୨୭)। ତାଙ୍କ ମୃତଦେହକୁ ଜିଆର୍ପି ଥାନା ପୁଲିସ କଟକର ମାତୃଭବନ ନିକଟ ତାଳଦଣ୍ଡା କେନାଲ ରେଳ ପୋଲ ଉପରୁ ଉଦ୍ଧାର କରିଛି। ମୃତଦେହକୁ ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିଆଳି ଥାନା ଅନ୍ତର୍ଗତ କଣ୍ଟିଶାଳର ନିମାଇଁ ଚରଣ ସ୍ବାଇଁଙ୍କ ପୁଅ ମନୋଜ କୁମାର ସ୍ବାଇଁ କଟକର ନୂଆ ରାଉସାପାଟଣାରେ ପରିବାର ସହିତ ରୁହନ୍ତି। ସେ ବନ୍ଧନ ବ୍ୟାଙ୍କରେ କାମ କରନ୍ତି। ଗଲା ୩ ବର୍ଷ ହେବ ଯାଜପୁରର ଜଣେ ଯୁବତୀଙ୍କୁ ସେ ପ୍ରେମ କରୁଥିଲେ। ମନୋଜ ଅନ୍ୟ ଜାତିର ହୋଇଥିବାରୁ ଯୁବତୀ ଜଣକ ତାଙ୍କୁ ଛାଡ଼ି ଆଉ ଜଣେ ଯୁବକଙ୍କୁ ଗଲା ଡିସେମ୍ବରରୁ ଭଲ ପାଉଥିଲେ। ନିକଟରେ ଉଭୟଙ୍କ ବାହାଘର ଠିକ ହୋଇଥିବା ଖବର ମନୋଜ ଜାଣିବା ପରେ ଗଲାକାଲି ଯୁବତୀଙ୍କୁ ଫୋନ୍ କରି ଏ ସମ୍ପର୍କରେ ପଚାରିଥିଲେ। କିନ୍ତୁ ସେ ତାଙ୍କୁ ବିବାହ କରିବାକୁ ରୋକ୍ଠୋକ୍ ମନା କରିଦେଇଥିଲେ। ଏଭଳି ଘଟଣାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ମନୋଜ। ଗତକାଲି ଅପରାହ୍ନ ପ୍ରାୟ ଚାରିଟା ବେଳେ ସେ ତାଳଦଣ୍ଡା କେନାଲ ଉପର ରେଳ ଧାରଣା ନିକଟକୁ ଯାଇ ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ନିଜ ପ୍ରେମିକା କିଭଳି ତାଙ୍କୁ ଧୋକା ଦେଇଥିଲା, ସେ ସମ୍ପର୍କରେ ଭିଡିଓରେ କହିଥିଲେ। ଆଜି ସକାଳେ ତାଙ୍କ ମୃତଦେହ ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଜିଆର୍ପି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତେବେ ମନୋଜ ଗତକାଲି ଅପରାହ୍ନରେ ଭିଡିଓ ରେକର୍ଡ କଲା ପରେ ନିଜ ସାଙ୍ଗଙ୍କ ଫୋନ୍କୁ ପଠାଇଥିଲେ। ପରେ ଗତକାଲି ରାତିରେ ହିଁ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ତାଙ୍କ ପକେଟ୍ରୁ ଏକ ଚିଠି ଜବତ କରିଛି। ସେହି ଚିଠିରେ ବି ସେ ନିଜ ପ୍ରେମିକାଙ୍କ ସମ୍ପର୍କରେ ଉଲ୍ଲେଖ କରିଥିବା ସୂଚନା ମିଳିଛି।