ଶ୍ରୀନଗର : ଶୀର୍ଷ ହିଜବୁଲ୍ କମାଣ୍ଡର ରିୟାଜ ନିପାତ
ବୁରହାନ୍ ୱାନି ପରେ ହିଜବୁଲ୍ ମୁଜାହିଦ୍ଦିନ୍ର ଦାୟିତ୍ବ ସମ୍ଭାଳିଥିଲା
୮ ବର୍ଷ ଧରି ଲୁଚୁଥିଲା
ମୁଣ୍ଡ ପାଇଁ ୧୨ ଲକ୍ଷର ପୁରସ୍କାର ରାଶି ଘୋଷଣା ହୋଇଥିଲା
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀକୁ ଆଜି ବଡ଼ ଧରଣର ସଫଳତା ମିଳିଛି। ଦୁଇଟି ଅପରେସନ୍ରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ୮ବର୍ଷ ଧରି ସୁରକ୍ଷାବାହିନୀଠାରୁ ଲୁଚୁଥିବା ହିଜବୁଲ୍ର ଶୀର୍ଷ କମାଣ୍ଡର ରିୟାଜ ନାଇକୁ ଶେଷରେ ସୁରକ୍ଷାବାହିନୀ ଗୁଳିରେ ପ୍ରାଣ ହରାଇଛି। ରମଜାନ୍ ପାଇଁ ନାଇକୁ ତା ବାପା ମା’ଙ୍କୁ ଦେଖା କରିବାପାଇଁ ତା’ ଗାଁ ଅବନ୍ତିପୁରାର ବେଗବୋରାକୁ ଗତକାଲି ଆସିଥିଲା। ମଳଙ୍ଗବାର ରାତିରେ ଗୁଇନ୍ଦା ସୂତ୍ରରୁ ସୂଚନା ପାଇବା ପରେ ସେନା, ସିଆରପିଏଫ୍ ଏବଂ କାଶ୍ମୀର ପୁଲିସର ଏକ ମିଳିତ ଟିମ୍ ବେଗବୋରା ଗ୍ରାମକୁ ଘେରାବନ୍ଦି କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ରିଆଜ୍ ସୁଡ଼ଙ୍ଗରେ କେଉଁଠି ଲୁଚିଥିବା ନେଇ ସୂଚନା ମିଳିବାପରେ ରାତିଅଧିଆ ଅନେକ ପଡ଼ିଆ ଏବଂ ରେଳ ଟ୍ରାକ୍ ବି ଖୋଳାଯାଇଥିଲା। ଶେଷରେ ଏକ ବଙ୍କର ମଧ୍ୟରେ ରିଆଜ ନାଇକୁକୁ ଗୁଳି କରି ନିପାତ କରାଯାଇଛି। ଗତକାଲି ରାତିରୁ ଅପରେସନ୍ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ସକାଳେ ସେମାନଙ୍କ ଟେର୍ ମିଳିଥିଲା। ଆଜି ଅପରାହ୍ନରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଥିଲା। ରିୟାଜ୍ ଅବନ୍ତିପୁରାର ଏକ ଘରେ ଲୁଚିଥିବା ଜଣାପଡ଼ିବାପରେ ସୁରକ୍ଷାକର୍ମୀମାନେ ଘରକୁ ମଧ୍ୟ ଉଡ଼ାଇ ଦେଇଥିଲେ। ଏଥିପାଇଁ ୪୦ କେଜି ଆଇଇଡି ବ୍ୟବହାର ହୋଇଥିଲା। କିନ୍ତୁ ରିୟାଜ ନାଇକୁ ଏକ ବଙ୍କର ମଧ୍ୟରେ ରହି ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲା। ଗୁଳିକାଣ୍ଡ ପରେ ସୁରକ୍ଷାକର୍ମୀ ନାଇକୁ ଏବଂ ତା’ର ସହଯୋଗୀକୁ ବଙ୍କର ମଧ୍ୟରୁ ପାଇଥିଲେ। ଆଜି ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଏହି ଅପରେସନ୍ ଚାଲିଥିଲା। ଅନ୍ୟପକ୍ଷେ ଶାରଶାଲି ଗ୍ରାମରେ ଅନ୍ୟ ଏକ ଅପରେସନ୍ରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। କୌଣସି ଆଇନ ଶୃଙ୍ଖଳା ସ୍ଥିତି ନଉପୁଜିବାପାଇଁ କାଶ୍ମୀରରେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି।
୩୨ ବର୍ଷୀୟ ନାଇକୁ ହେଉଛି ଜଣେ କୁଖ୍ୟାତ ଆତଙ୍କବାଦୀ। ଆସନ୍ତା ଜୁନ୍ ୫ ତାରିଖରେ ହିଜବୁଲ୍ ମୁଜାହିଦ୍ଦିନ୍ରେ ତା’ର ୮ ବର୍ଷ ପୂରିଥାନ୍ତା। ଆତଙ୍କବାଦୀ ଗୋଷ୍ଠୀରେ ଏହା ଏକ ବିରଳ କ୍ୟାରିୟର। କାରଣ ଅଧିକାଂଶ କୁଖ୍ୟାତ ଆତଙ୍କବାଦୀ ୫ ବର୍ଷରୁ ଅଧିକ ସମୟ ରହିପାରିନାହାନ୍ତି। ପ୍ରତିଥର ସୁରକ୍ଷାକର୍ମୀଙ୍କ ହାତରୁ ଖସି ଯାଇଥିବା ନାଇକୁ ମୁଣ୍ଡରେ ୧୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ବୁରହାନ୍ ୱାନିର ମୃତ୍ୟୁ ପରେ ସେ ହିଜବୁଲ୍ର ଦାୟିତ୍ବ ସମ୍ଭାଳି ଥିଲା।