ଭୁବନେଶ୍ବର : ଗ୍ରିଲ୍ ତାଡ଼ି ଲୁଟିନେଲେ ଟଙ୍କା, ସୁନା ଅଳଙ୍କାର
ଭୁବନେଶ୍ବର/ଚନ୍ଦ୍ରଶେଖରପୁର : ରାଜଧାନୀରେ ସିନ୍ଧିଚୋର, ଲୁଟେରାଙ୍କ ଆତଙ୍କ ଜାରି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ଘଟଣା ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଗତ ରାତିରେ ବଡ଼ଗଡ଼ ଥାନା ରତ୍ନାକରବାଗରେ ବଡ଼ଧରଣର ସିନ୍ଧିଚୋରି ହୋଇଛି। ଦୁର୍ବୃତ୍ତମାନେ ଘର ଲୋକଙ୍କୁ ତାଲା ପକାଇବା ସହ ଗ୍ରିଲ୍ ତାଡ଼ି ନଗଦ ଟଙ୍କା, ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହେବା ପରେ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ ଆଲମିରା ଭିତରେ ଥିବା ୩୬ହଜାର ଟଙ୍କା, ସୁନାଚେନ୍, ମୁଦି, କାନଫୁଲ ସମେତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ଘଣ୍ଟା, କିଛି ଦାମୀ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଝରକା ଗ୍ରିଲ୍ ତାଡ଼ି ଭିତରକୁ ଯିବା ପରେ ପ୍ରଥମେ ପରିବାର ଲୋକଙ୍କୁ ବାହାର ପଟୁ କବାଟ ବନ୍ଦ କରି ଦେଇଥିଲେ। ପରେ ଲୁଟପାଟ କରି ଫେରାର୍ ହୋଇଯାଇଥିବା ଅନୁମାନ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର କଲୋନିର ଡି.ଏସ କୁମାରଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ଝରକା ଗ୍ରିଲ୍ କାଟି ମୂଲ୍ୟବାନ୍ ଆସବାବପତ୍ର ଚୋରି କରିଛନ୍ତି। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିକଟରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛି।