ଚନ୍ଦ୍ରଶେଖରପୁର : ହୋଟେଲ୍ରେ ଗଣ୍ଡଗୋଳ, ୩ ଗିରଫ
ଚନ୍ଦ୍ରଶେଖରପୁର : ହୋଟେଲ ମାଲିକଙ୍କ ବାରଣ ସତ୍ତ୍ବେ ଜୋର୍ ଜବରଦସ୍ତ ହୋଟେଲ ଭିତରେ ଚଉକି ପକାଇ ବସିଲେ। ମାଛ, ମାଂସ, ରୁଟି ଓ ସାଲାଡ୍ ମଗେଇ ପେଟ ଭର୍ତ୍ତି କରି ଖାଇଲେ। କିନ୍ତୁ ପଇସା ମାଗିବାରୁ ଗଣ୍ଡଗୋଳ କଲେ। ହୋଟେଲ କର୍ମଚାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରି ପକାଇଲେ। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ହୋଟେଲରେ ପହଞ୍ଚି ଗଣ୍ଡଗୋଳ କରୁଥିବା ୩ ଯୁବକଙ୍କୁ ଗିରଫ କଲା। ମିଛିମିଛିକା ନିଶାସକ୍ତ ଅବସ୍ଥାର ଅଭିନୟ କରି ହୋଟେଲ ମାଲିକକୁ ଚକ୍ମା ଦେବାକୁ ବସିଥିବା ଏହି ୩ ଠକ ଗିରଫ ହେବା ପରେ ମାମଲାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ, ପଣ୍ଡା ପାର୍କର ପଦ୍ମଲୋଚନ ସେଠୀ, ସୋମନାଥ ନାୟକ ଓ ସୂର୍ଯ୍ୟକାନ୍ତ ବଳିଆରସିଂହ ଆଜି ଅପରାହ୍ଣରେ ନୀଳାଦ୍ରି ବିହାରସ୍ଥିତ ଏକ ହୋଟେଲରେ ପହଞ୍ଚିଥିଲେ। ହୋଟେଲ ମାଲିକ ସେମାନଙ୍କଠାରୁ ଖାଦ୍ୟ ବରାଦ ରଖିଲେ ଓ ବାହାରେ ଅପେକ୍ଷା କରିବାକୁ କହିଲେ। କିନ୍ତୁ ସେମାନେ ଭିତରେ ବସି ଖାଇବେ ବୋଲି ଜିଦ୍ କରି ଜୋର୍ ଜବରଦସ୍ତ ହୋଟେଲ ଭିତରେ ପଶି ଚଉକି ଅକ୍ତିଆର କଲେ। ପେଟେ ଖାଇବା ପରେ ସେମାନେ ଟଙ୍କା ନଦେଇ ଚାଲି ଯାଉଥିଲେ। କିନ୍ତୁ ହୋଟେଲ ମାଲିକ ଟଙ୍କା ମାଗିବାରୁ ସେମାନଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ହୋଟେଲ ମାଲିକ ପୁଲିସକୁ ଫୋନ୍ କରିବା ଭିତରେ ୩ ଜଣଯାକ ହୋଟେଲ କର୍ମଚାରୀମାନଙ୍କୁ ମାଡ଼ ମାରି ଆହତ କରିଥିଲେ।