ଲକ୍ଡାଉନ୍ ପରେ ସ୍ବାଭାବିକ ହେଉଛି ଶିକ୍ଷାନୁଷ୍ଠାନ
ନୂଆଦିଲ୍ଲୀ: ଦେଶରେ ଲକ୍ଡାଉନ୍ ପାଇଁ ବନ୍ଦ ରହିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକ ଧୀରେ ଧୀରେ ସ୍ବାଭାବିକ ହେଉଥୁବା ଜଣାଯାଇଛି। ଏ ପରିପ୍ରେକ୍ଷୀରେ ସେପ୍ଟେମ୍ବର ୨୬ ତାରିଖରୁ ହରିଆଣାରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ପରୀକ୍ଷାମୂଳକ ଭାବେ ଚାଲୁ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି। ସେହିପରି ଗତ ୨୧ ତାରିଖରୁ ମଧ୍ୟ ଏଠାରେ ବିଦ୍ୟାଳୟ ଆଂଶିକ ଭାବେ ସବୁ ଖୋଲିଛି। ସେହିପରି ଆଉ ସପ୍ତାହକ ପରେ ଆସାମ, ମିଜୋରାମ, ନାଗାଲାଣ୍ଡ, ମେଘାଳୟ, ଜାମ୍ମୁକାଶ୍ମୀର, ପଞ୍ଜାବ ଓ ହିମାଚଳପ୍ରଦେଶରେ ମଧ୍ୟ ବିଦ୍ୟାଳୟଗୁଡ଼ିକ ଆଂଶିକ ଭାବରେ ଚାଲୁହେବ। ଆଗାମୀ ସପ୍ତାହଗୁଡ଼ିକରେ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଅନୁରୂପ ଭାବେ ଶିକ୍ଷାନୁଷ୍ଠାନ ସବୁ ଖୋଲିବା ପାଇଁ ବିଚାର କରୁଥିବା ଜଣାଯାଇଛି। ସେହିପରି ଘରୋଇ ବିଦ୍ୟାଳୟଗୁଡ଼ିକ ମଧ୍ୟ ଶ୍ରୀଘ୍ର ଖୋଲିବା ପାଇଁ ରାଜ୍ୟ ସରକାରମାନଙ୍କ ଉପରେ ଚାପ ପକାଉଛନ୍ତି। ତେବେ ବିଶେଷ କରି ଆସନ୍ତା ୨୮ ତାରିଖରୁ ବିହାରରେ କନିଷ୍ଠ ଶ୍ରେଣୀଗୁଡ଼ିକ ଖୋଲିଯିବ ବୋଲି ସ୍ପଷ୍ଟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅପରପକ୍ଷେ, କଣ୍ଟେନ୍ମେଣ୍ଟ୍ ଅଞ୍ଚଳରେ ନଥିବା ନବମରୁ ଦ୍ବାଦଶ ଶ୍ରେଣୀ ଯାଏ ଛାତ୍ରଛାତ୍ରୀ ଆବଶ୍ୟକ ସ୍ଥଳେ ଶିକ୍ଷକଙ୍କ ପରାମର୍ଶ ନେବା ଲାଗି ବିଦ୍ୟାଳୟକୁ ଯାଇପାରିବେ ବୋଲି କୁହାଯାଇଛି । ସେହିପରି ଅକ୍ଟୋବର ୫ ତାରିଖରୁ ତ୍ରିପୁରାରେ ଶିକ୍ଷାନୁଷ୍ଠାନଗୁଡ଼ିକ ପୂର୍ଣ୍ଣମାତ୍ରାରେ ଖୋଲିବ ବୋଲି ଜଣାଯାଇଛି। ଅପରପକ୍ଷେ, ଆସନ୍ତା ଅକ୍ଟୋବର ପହିଲାରୁ ତାମିଲନାଡୁ ସରକାର ରାଜ୍ୟର ଦଶମ, ଏକାଦଶ ଓ ଦ୍ବାଦଶ ଶ୍ରେଶୀ ପିଲାଙ୍କୁ ସ୍ବେଚ୍ଛାକୃତ ଭାବେ ଶିକ୍ଷକଙ୍କ ପାଖକୁ ଆସି ପରାମର୍ଶ କରିବା ଲାଗି ଅନୁମତି ଦେଇଛନ୍ତି। ଉତ୍ତରପ୍ରଦେଶରେ ଅକ୍ଟୋବର ୧୨ ତାରିଖରୁ ନବମରୁ ଦ୍ବାଦଶ ଶ୍ରେଣୀଗୁଡ଼ିକ ପୁଣି ଚାଲୁ କରିବା ଲାଗି ସରକାରୀ ସାହାଯ୍ୟରୁ ରହିତ ଘରୋଇ ବିଦ୍ୟାଳୟଗୁଡ଼ିକ ଅନୁମତି ଲୋଡ଼ିଛନ୍ତି। ଅପରପକ୍ଷେ, ଆସନ୍ତା ଅକ୍ଟୋବର ମାସରେ ଦୁର୍ଗାପୂଜା ଥିବା ବେଳେ ସେହି ମାସରେ ପଶ୍ଚିମବଙ୍ଗରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବାର ଆଶା କ୍ଷୀଣ ରହିଛି। ସେହିପରି ଦିଲ୍ଲୀରେ ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖକୁ ଅକ୍ଟୋବର ୫କୁ ଘୁଞ୍ଚାଇ ଦିଆଯାଇଥିବା ବେଳେ କୋଭିଡ୍ ସ୍ଥିତି ଦେଖି କେଜ୍ରିଵାଲ ସରକାର ପୁଣି ତାହାର ପୁନର୍ବିଚାର କରିପାରନ୍ତି ବୋଲି ଜଣାଯାଇଛି।