ପ୍ରାଣବଳି ଦେଲେ, ନଇଁଲେନି
ଦେଶମାତୃକା ପାଇଁ ଏଠାରେ ବିଭିନ୍ନ ଜମିଦାର ପରିବାରର ଶତାଧିକ ସଦସ୍ୟ ତଥା ସମର୍ଥକ ପ୍ରାଣବଳି ଦେଇଥିଲେ। ଫାଶୀଦଣ୍ଡ, ତୋପ ସମ୍ନାରେ ଜୀବନୋତ୍ସର୍ଗ ଏବଂ ଯାବଜ୍ଜୀବନ କାରାଦଣ୍ଡ ଭୋଗିଥିଲେ ସିନା, ହେଲେ ବ୍ରିଟିସ୍ ସରକାର ସମ୍ମୁଖରେ ନଇଁ ନଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଗୁଲାନ୍ର ସହିଦମାନେ
ଫାଶୀ ପାଇଥିଲେ: ଉଜ୍ଜ୍ୱଳ ସାଏ (ଖିଣ୍ଡା), ମାଧୋ ସିଂହ, କୁଂଜଲ ସିଂହ (ଘେଁସ), ସାଲେଗ୍ରାମ ବରିହା (ରାଜବୋଡାସମ୍ବର), କରୁଣାକର ନାୟକ, ଖଗେଶ୍ବର ନାୟକ ଓ କହ୍ନାଇ ନାୟକ (କୋଲାବିରା), ଦିଆଲ ସର୍ଦ୍ଦାର (ଖର୍ସଲ), ଜନାର୍ଦ୍ଦନ ସିଂହ ଗଡ଼ତିଆ (ପାହାଡ଼ଶ୍ରୀଗିଡ଼ା), ଗଣେଶ ଉପାଧ୍ୟାୟ (ସିଂଘାବଗା), ମଧୁସୂଦନ ସିଂହ ଗୌନ୍ତିଆ (ଯୁଯୋମୁରା ) ଓ ଆହୁରି ଅନେକ..
ଯୁଦ୍ଧରେ ସହିଦ ହୋଇଥିଲେ: ଛବିଳ ସାଏ (ଖିଣ୍ଡା), ବଳଭଦ୍ର ସିଂହ ଦାଉ (ଲଖନପୁର), ମନୋହର ସିଂହ (ଭେଡେନ), ବିଜୟ ରାଉତ ଓ ମହାଦେବ (ଲଖନପୁର), ଅଏରି ସିଂହ (ଘେଁସ) ଓ ଆହୁରି ଅନେକ..
ଜେଲରେ ବନ୍ଦୀ ଭାବରେ ରହି ପ୍ରାଣ ହରାଇଥିଲେ: ବୀର ସୁରେନ୍ଦ୍ର ସାଏ, ବଳରାମ ସିଂହ, ଉଦନ୍ତ ସାଏ, ମେଦିନୀ ସାଏ ( ଖିଣ୍ଡା), କମଳ ସିଂହ ଦାଉ, ଖଗେଶ୍ୱର ସିଂହ ଦାଉ (ଲଖନପୁର), ଲୋକନାଥ ପଣ୍ଡା (ରମ୍ପେଲା), ବୈରୀ ସିଂହ ( ଘେଁସ), ମୃତ୍ୟୁଞ୍ଜୟ ପାଣିଗ୍ରାହୀ (ଅର୍ଡା)
ନିର୍ବାସନ ଭୋଗିଥିଲେ: କଳାପାଣି (ସେଲୁଲାର ଜେଲ୍)ରେ ନିର୍ବାସନ ଦଣ୍ଡ ଭୋଗିଥିଲେ ହଟ୍ଟେ ସିଂହ (ଘେଁସ)
ଜେଲ୍ ଓ ଜରିମାନା : ମିତ୍ରଭାନୁ ସାଏ, ଧ୍ରୁବ ସାଏ (ଖିଣ୍ଡା), ପଦ୍ମନାଭ ଗୁରୁ, ଶ୍ରଦ୍ଧାକର ମଲ୍ଲିକ, ଜଗବନ୍ଧୁ ହୋତା ( ସମ୍ବଲପୁର), ତ୍ରିଲୋଚନ ପାଣିଗ୍ରାହୀ (ଅର୍ଡା), ମୀନକେତନ ଦାଉ, ମୋହନ ଦାଉ (ଲଖନପୁର), ଗୋବିନ୍ଦ ସିଂହ ( ସୋହେଲା) ପ୍ରମୁଖ ।
ମୁକ୍ତିକାମୀ ସହଯୋଗୀ
ସୁରେନ୍ଦ୍ରଙ୍କୁ ତାଙ୍କ ଭାଇମାନେ ଉଦନ୍ତ, ଧ୍ରୁବ, ଉଜ୍ଜ୍ବଳ, ଛବିଳ, ଜାଜ୍ଜ୍ବଲ୍ୟ, ମେଦିନୀ, କାକା ବଳରାମ ପୂର୍ଣ୍ଣ ସମର୍ଥନ ଓ ସହଯୋଗ କରିଥିଲେ। ପରିବାର ବାହାରେ ତାଙ୍କ ପ୍ରତି ସମର୍ଥନ ଜଣାଇ ସଶସ୍ତ୍ର ସଂଗ୍ରାମରେ ସାମିଲ ହୋଇଥିବା ଜମିଦାର ଓ ଗାଁ ମୁଖିଆମାନେ ଆଦିବାସୀ (ଗଣ୍ଡ, ବିଂଝାଲ, କନ୍ଧ ଓ ଚୌହାନ) ହୋଇଥିବାରୁ ସାଧାରଣ ନିରକ୍ଷର ପ୍ରଜା ମଧ୍ୟ ଏହି ବ୍ରିଟିସ ବିରୋଧୀ ଲଢ଼େଇରେ ଝାସ ଦେଇଥିଲେ। ସୁରେନ୍ଦ୍ରଙ୍କ ଏହି ସେନାରେ ଲଖନପୁର, ଘେଁସ, ଭେଡ଼େନ ବିଷେଇକେଲା, ଖରସଲ, ପାହାଡ଼ଶ୍ରୀଗିଡ଼ା, ଖରମୁଣ୍ଡା, କୋଲାବିରା, ରମ୍ପେଲା, ଅଢ଼ାପଡ଼ା, କୁମ୍ଭାରବନ୍ଧ,ସୋନାଖାନ, ତାନୁଟ, ପାଟକୁଲୁଣ୍ଡା, ସେହେଲା, ଅର୍ଡା, କୁଡ଼ାବଗା, ବାମଣ୍ଡା କୁଶଲୀ, ଲୁହୁରାପାଲି, ମଚିଦା, ଗଙ୍ଗଘୋର, ଯୁଯୋମୁରା, ବଡ଼ପଡ଼ା, ବାଉଁଶପାଲି, ଜମଲା, ରାମପୁର, କୁରୁଣ୍ଡଲା, ମୁଣ୍ଡୋମହୁଲ ପ୍ରଭୃତିର ଜମିଦାର ଏବଂ ତାଙ୍କ ପରିବାର ତଥା ସମର୍ଥକମାନେ ରହିଥିଲେ। ସୁରେନ୍ଦ୍ରଙ୍କ ପ୍ରତି ସମ୍ବଲପୁର ସହରର କେତେକ ସ୍ବାଧୀନଚେତା ବ୍ୟକ୍ତି ତଥା ତାଙ୍କ ପରିବାରର ପୂର୍ଣ୍ଣ ସମର୍ଥନ ମିଳିଥିଲା।
ଭୁଲିଗଲେ କି
ସମ୍ବଲପୁର : ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଭୂମି ସମ୍ବଲପୁର ଜିଲ୍ଲା ଖିଣ୍ଡାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା, ସଂସଦ ଭବନରେ ତାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ରହିଛି ପ୍ରତିଶ୍ରୁତି। ପ୍ରତିବର୍ଷ ସୁରେନ୍ଦ୍ର ସାଏ ଜୟନ୍ତୀରେ ଏଥିସଂକ୍ରାନ୍ତରେ ଆଲୋଚନା ହୁଏ। ମାତ୍ର ଅନ୍ୟ ଦିନରେ ଭୁଲି ଯାଆନ୍ତି ସମସ୍ତେ।ସୂଚନା ଅନୁଯାୟୀ, ୨୦୧୭ ମସିହାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖିଣ୍ଡା, ଭୀମମଣ୍ଡଳିକୁ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ପ୍ରସ୍ତାବ ଦେଇଥିଲା ଜିଲ୍ଲା ପର୍ଯ୍ୟଟନ ବିଭାଗ। କୌଣସି ପ୍ରକାର ପ୍ରଚାର-ପ୍ରସାର ବିନା ମଧ୍ୟ ଖିଣ୍ଡାକୁ ଅନେକ ଲୋକ ଆସୁଛନ୍ତି। ପର୍ଯ୍ୟଟନ କ୍ଷେତ୍ର ଭାବରେ ଏହାକୁ ବିକସିତ କରାଗଲେ ଆହୁରି ଲୋକ ଆସିବେ। ଏହି ପ୍ରସ୍ତାବ ଆଧାରରେ ଆଉ କିଛି ବିନ୍ଦୂ ଉପରେ ରିପୋର୍ଟ ଦେବା ପାଇଁ ୨୦୧୮ ମସିହାରେ ରାଜ୍ୟ ସରକାର କହିଥିଲେ। ସେହି ଅନୁଯାୟୀ, ସେହି ବର୍ଷ ଅକ୍ଟୋବର ମାସରେ ଜିଲ୍ଲା ପ୍ରଶାସନ ଆଉ ଏକ ରିପୋର୍ଟ ଦାଖଲ କଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଖିଣ୍ଡାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରେ ଏନଏଲସି ପକ୍ଷରୁ ଖିଣ୍ଡାରେ ସୁରେନ୍ଦ୍ର ସ୍ମାରକୀ ପାଇଁ ଘୋଷଣା କରାଯାଇ ଥିଲା। ଦେଢ ବର୍ଷ ପରେ ମଧ୍ୟ ଏହାବି କାର୍ଯ୍ୟକାରୀ ହେଲା ନାହିଁ। ସୁରେନ୍ଦ୍ରଙ୍କ ପ୍ରତିମୂର୍ତ୍ତି ସଂସଦ ଭବନରେ ପ୍ରତିଷ୍ଠା ପାଇଁ ପୂର୍ବତନ ସାଂସଦ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ନେତୃତ୍ବରେ ୧୦ ଜଣିଆ ଦଳ ତତକାଳୀନ ବାଚସ୍ପତି ସୋମନାଥ ଚାଟାର୍ଜିଙ୍କୁ ଭେଟିଥିଲେ। କିନ୍ତୁ ସ୍ଥାନାଭାବ ଦର୍ଶାଇ ସେତେବେଳେ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେଲା ନାହିଁ। କିନ୍ତୁ ଏହାପରେ ଅନେକ ମହାନ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସଂସଦ ଭବନରେ ଲାଗିଥିଲା। କିନ୍ତୁ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସଂସଦ ଭବନରେ ନଲାଗିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଯୁବ ନେତା ସୌରଭ ମହାପାତ୍ର।