କଟକ: ସେ ଥିଲେ ଏ ଜାତିର ସଂପତ୍ତି। କିନ୍ତୁ ବିଶ୍ବବ୍ୟାପି ବ୍ୟାପ୍ତ ଥିଲା ତାଙ୍କ ବ୍ୟକ୍ତିତ୍ବ। ଦେଶର ସ୍ବାଧୀନତା ଆନ୍ଦୋଳନକୁ ସଂପୂର୍ଣ୍ଣ ଉତ୍ସର୍ଗୀକୃତ ଅର୍ନ୍ତଜାତୀୟ ଅଭିଯାନର ରୂପ ଦେବାରେ ତାଙ୍କର ଅବଦାନ ଅତୁଳନୀୟ। ନିସ୍ବାର୍ଥପର ଭାବେ ଏ ଦେଶ ଆଉ ସମାଜ ପାଇଁ ପ୍ରତ୍ୟେକ ସଂଗ୍ରାମରେ ଜୀବନର ପ୍ରତିଟି ପାଦରେ ଆଗରେ ରହୁଥିବାରୁ ସେ ଥିଲେ ବାସ୍ତବରେ ଜଣେ ନେତା। ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଓଡ଼ିଶାର କଟକ ଭଳି ଏକ ଐତିହାସିକ ସହରରେ ଜନ୍ମ ନେଇ, ବାଲ୍ୟକାଳ ଅତିବାହିତ କରି, ସ୍କୁଲ୍ ଶିକ୍ଷା ଶେଷ କରିବା ପରେ ସେ ଉଚ୍ଚଶିକ୍ଷା ପାଇଁ ଯାଇଥିଲେ କଲିକତା। କିନ୍ତୁ କଟକ ଆଉ ଓଡ଼ିଶା ସହିତ ରହି ଆସିଥିଲା ତାଙ୍କର ଆତ୍ମିକ ଆଉ ପାରିବାରିକ ସଂପର୍କ। ନେତାଜୀଙ୍କ ବାପା ଜାନକୀନାଥ ବୋଷ ତ ଥିଲେ ଏଇ କଟକ ସହରର ସ୍ଥାୟୀ ବାସିନ୍ଦା, ହାଇକୋର୍ଟର ଓକିଲ। ପରବର୍ତ୍ତି ସମୟରେ ତାଙ୍କର ଝିଅ ଅନିତା ବୋଷ ବି କଟକକୁ ଆସି ନେତାଜୀଙ୍କ ବନ୍ଧୁ ଓ ସଂପର୍କୀୟଙ୍କୁ ଭେଟୁଥିଲେ, ନିୟମିତ ଯୋଗାଯୋଗରେ ଥିଲେ। ୧୨୫ତମ ଜୟନ୍ତୀ ଅବସରରେ କଟକ ଆଉ ଓଡ଼ିଶା ମାଟିର ପୁଅ ନେତାଜୀ ସୁଭାଷଙ୍କ ପ୍ରତି ‘ସମ୍ବାଦ’ର ସ୍ବତନ୍ତ୍ର ପ୍ରତିବେଦନ।
ପ୍ରସ୍ତୁତି: ଚିରଂଜୀବ କର, ଫଟୋ: ଚିତ୍ତ ମହାନ୍ତି
ମାଟ୍ରିକ ଟପର୍
ରେଭେନ୍ସା କଲିଜିଏଟ୍ ସ୍କୁଲରେ ନେତାଜୀ ସୁଭାଷ ୧୯୦୯ ଜାନୁଆରି ୧୧ ତାରିଖରେ ନାମ ଲେଖାଇ ଥିଲେ। ସେହି ସମୟର ଆଡମିସନ୍ ରେଜିଷ୍ଟରରେ ନେତାଜୀଙ୍କ ଦସ୍ତଖତ ସଂକ୍ରାନ୍ତ ଦସ୍ତାବିଜ୍ ଆଜି ବି ସଂଗ୍ରହାଳୟରେ ସାଇତା ହୋଇ ରଖାଯାଇଛି। କଲିଜିଏଟ୍ ସ୍କୁଲରେ ନେତାଜୀ ୧୯୧୩ ମସିହାରେ ମାଟ୍ରିକ ପରୀକ୍ଷାରେ ଫାଷ୍ଟ ଡିଭିଜନ୍ ପାଇଥିଲେ। ମୋଟ ୨୫ ଜଣ ସହପାଠୀ ସେହି ବ୍ୟାଚରେ ଫାଷ୍ଟ ଡିଭିଜନରେ ପାସ୍ କରିଥିଲେ। ଏହି ତାଲିକାର ସର୍ବାଗ୍ରେ ନେତାଜୀଙ୍କ ନାଁ ଥିଲା। ତାଲିକାର ଦ୍ବିତୀୟରେ ହୃଦାନନ୍ଦ ଭୋଳ ଓ ପରକୁ ପର ପର୍ଶୁରାମ ଭୋଳ, ଜଗନ୍ନାଥ ଦାସ ଚୌଧୁରୀ, ସନ୍ତୋଷ କୁମାର ଚୌଧୁରୀଙ୍କ ଭଳି ସହପାଠୀଙ୍କ ନାଁ ରହିଥିଲା। ମାଟ୍ରିକ୍ ପାସ୍ ପରେ କଲେଜ ପଢ଼ିବା ପାଇଁ ନେତାଜୀ କଲିକତା ଯାଇଥିଲେ।
ସ୍କୁଲ କ୍ୟାରେକ୍ଟର ସାର୍ଟିଫିକେଟରେ ‘ଭେରି ଗୁଡ୍’
ଷ୍ଟୁଆର୍ଟ ସ୍କୁଲର ନେତାଜୀ ୧୯୦୨ ଜାନୁଆରି ୮ ତାରିଖରେ ନାମ ଲେଖାଇଥିଲେ। ଆଡମିସନ୍ ରେଜିଷ୍ଟରରେ ନେତାଜୀଙ୍କ ଦସ୍ତଖତ ରହିଛି। ସେଠାରେ ସେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ୧୯୦୮ ଡିସେମ୍ବରରେ ସେ ସ୍କୁଲ ଛାଡ଼ିଥିଲେ। ସ୍କୁଲ ପକ୍ଷରୁ ଦିଆଯାଇଥିବା ତାଙ୍କ ଚରିତ୍ର ସାର୍ଟିଫିକେଟରେ ‘ଭେରି ଗୁଡ୍’ ଲେଖା ଯାଇଥିଲା। ସେ ସମୟର ସ୍କୁଲ ରେଜିଷ୍ଟର ଆଜି ବି ରହିଛି।
୧୯୩୯ରେ କଟକ ଆସି ହାତୀ ପିଠିରେ ବୁଲିଥିଲେ
ନେତାଜୀଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ଓଡ଼ିଆବଜାରସ୍ଥିତ ଜାନକୀନାଥ ଭବନରେ କଟି ଥିଲା। ଏଇଠି ରହିଛି ତାଙ୍କ ଅନ୍ତୁଡ଼ିଶାଳ। ଏଇ ଘରେ ତାଙ୍କର ଭାଇଭଉଣୀମାନେ ମଣିଷ ହେଇଥିଲେ। ମା’ ପ୍ରଭାବତୀଙ୍କ ଆଦର ଓ ଉପଦେଶ ସହିତ କଟକର ସଦ୍ଭାବନାପୂର୍ଣ୍ଣ ପରିବେଶ ତାଙ୍କୁ ଅନେକ କଥା ଶିଖିବାକୁ ପ୍ରୋତ୍ସାହିତ କରିଥିଲା। ନେତାଜୀଙ୍କ ଜନ୍ମ ୧୮୯୭ ଜାନୁଆରି ୨୩ରୁ ପିତା ଜାନକୀନାଥ ବୋଷଙ୍କ ପରଲୋକ ୧୯୩୪ ମସିହା ପର୍ଯ୍ୟନ୍ତ ଦୀର୍ଘ ୩୭ ବର୍ଷ ଧରି ଜାନକୀନାଥ ଭବନ ସହିତ ତାଙ୍କର ଅତୁଟ ସଂପର୍କ ରହିଥିଲା। ଏହାପରେ ବି ଓଡ଼ିଶା ସହିତ, ଓଡ଼ିଶାର ଲୋକମାନଙ୍କ ସହିତ ଆତ୍ମିକ ସଂପର୍କ ରହି ଆସିଥିଲା। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ବିଦେଶରେ ରହି ବି ସେ ପ୍ରେରଣା ଦେଉଥିଲେ। ୧୯୩୯ ମସିହାରେ ସେ ଶେଷଥର କଟକ ଆସିଥିଲେ। ତାଙ୍କୁ ହାତୀ ପିଠିରେ ବସାଇ ସହର ପରିକ୍ରମା କରାଯାଇଥିଲା। ସେ ତାଙ୍କର ପ୍ରିୟ ରେଭେନ୍ସା କଲିଜିଏଟ୍ ସ୍କୁଲକୁ ଯାଇ ବେଶ କିଛି ସମୟ ଅତିବାହିତ କରିଥିଲେ।
ନେତାଜୀଙ୍କୁ ନେଇ ଦୁଇଟି ଡକ୍ୟୁମେଣ୍ଟାରି କରିଥିଲେ ଗୋପାଳ ଘୋଷ
ନେତାଜୀ କଟକ ପାଣିପବନରେ ବଢ଼ିଛନ୍ତି। ତାଙ୍କ ପିଲାଦିନ କଟକ ଧୂଳିମାଟିରେ କଟିଛି। କଟକର ଫୌଜି ସୁନିଲ ରାୟ, ଆଇନଜୀବୀ ବିବୁଧେନ୍ଦ୍ର ମିଶ୍ର, ଅଭିନେତା-ଚଳଚିତ୍ର ନିର୍ଦ୍ଦେଶକ ଗୋପାଳ ଘୋଷ ପ୍ରମୁଖ ବହୁ କଟକ ବାସିନ୍ଦା ନେତାଜୀଙ୍କ ଘନିଷ୍ଠ ସହଯୋଗୀ ଥିଲେ। ନେତାଜୀଙ୍କ ଉପରେ ଗୋପାଳ ଘୋଷ ଦୁଇଟି ଡକ୍ୟୁମେଣ୍ଟାରି ନିର୍ମାଣ କରିଛନ୍ତି। ଏବେ ବି ନେତାଜୀଙ୍କ ହାତଗଢ଼ା ବହୁ ଅନୁଷ୍ଠାନ କଟକରେ ରହିଛି ବୋଲି କୁହନ୍ତି ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ବିଶ୍ବଜିତ ଘୋଷ।
ବଙ୍ଗଳାରେ ‘ଗାଈ’ ରଚନା ଲେଖି ନପାରି କ୍ଲାସ୍ରେ ହୋଇଥିଲେ ହଟହଟା
ରେଭେନ୍ସା କଲିଜିଏଟ୍ ସ୍କୁଲରେ ବଙ୍ଗଳା କ୍ଲାସରେ ଦିନେ ଶିକ୍ଷକ ‘ଗାଈ’ ବିଷୟରେ ଗୋଟିଏ ରଚନା ଲେଖିବାକୁ ପିଲାଙ୍କୁ କହିଥିଲେ। ସୁଭାଷ ସେହି ପ୍ରବନ୍ଧରେ ଯେଭଳି ବଙ୍ଗଳା ଲେଖିଥିଲେ ତାହା ପଢ଼ି ଶିକ୍ଷକ ନିଜ ହସ ସମ୍ଭାଳି ପାରି ନଥିଲେ। ଶିକ୍ଷକ ସେହି ପ୍ରବନ୍ଧଟିକୁ ବଡ଼ ପାଟିରେ ପଢ଼ି ପିଲାଙ୍କୁ ଶୁଣାଇଥିଲେ। ଏହି ପ୍ରବନ୍ଧ ପଢ଼ି ଉଭୟ ଶିକ୍ଷକ ଓ ପିଲାମାନେ ବଡ଼ ପାଟିରେ ହସିଥିଲେ। ଏଭଳି ବିଦ୍ରୁପାତ୍ମକ ହାସ୍ୟରୋଳ ଶୁଣି ସୁଭାଷ ଲଜ୍ଜା ଅନୁଭବ କରିଥିଲେ। ସେହିଦିନଠାରୁ ସେ ବଙ୍ଗଳା ଭାଷା ଭଲଭାବେ ଶିଖିବା ପାଇଁ ଶପଥ ନେଇଥିଲେ।