ଇପିଏଫ୍ଓ ସୁଧ ଅପେକ୍ଷାର ଅନ୍ତ, ଆଜିଠୁ ୨୪.୭୭ କୋଟି ଖାତାରେ ଜମା ହେବ
ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇଫିଏଫ୍ଓ) ଏହାର ସଦସ୍ୟମାନଙ୍କ ଖାତାରେ ଆଜିଠାରୁ ୨୦୨୧-୨୨ ଆର୍ଥିକ ବର୍ଷର ସୁଧ ଜମା କରିବା ପ୍ରକ୍ରିୟା ଆରମ୍ଭ କରିବ। କିଛି ଇପିଏଫ୍ଓ ଖାତାରୁ ଆୟକର ସଂଗ୍ରହ କରିବା ଲାଗି ସଫ୍ଟୱେର ଅପ୍ଗ୍ରେଡ୍ କରିବାକୁ ପଡ଼ିଥିଲା। ସେହି ପ୍ରକ୍ରିୟା ଶେଷ ହୋଇଥିବାରୁ ସୁଧ ଜମା କରିବା କାର୍ଯ୍ୟ ଆରମ୍ଭ ହେବ। ଇପିଏଫ୍ଓର ୨୪.୭୭ କୋଟି ଖାତା ରହିଛି। ସେଥିମଧ୍ୟରୁ ୧୪.୩୬ କୋଟି ଖାତାର ସ୍ବତନ୍ତ୍ର ଆକାଉଣ୍ଟ୍ ନମ୍ବର (ୟୁଏଏନ୍) ଜାରି କରାଯାଇଛି। ସଫ୍ଟୱେର ଅପ୍ଗ୍ରେଡ୍ କାମ ଚାଲିଥିବାରୁ ସଦସ୍ୟମାନେ ୨୦୨୧-୨୨ର ସୁଧକୁ ଆକାଉଣ୍ଟ୍ ଷ୍ଟେଟ୍ମେଣ୍ଟ୍ରେ ଦେଖିପାରୁନଥିଲେ। ଆଲୋଚ୍ୟ ବର୍ଷ ପାଇଁ ଇପିଏଫ୍ଓ ୮.୧ ପ୍ରତିଶତ ସୁଧ ଦେବାକୁ ନିଷ୍ପତ୍ତି ନେଇଛି। ତେବେ ଏଥର ବଜେଟ୍ରେ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ରାଶି ଜମା ହେଉଥିବା ଖାତାରୁ ଆୟକର ସଂଗ୍ରହ କରିବାକୁ ଘୋଷଣା କରାଯାଇଥିଲା। ସେଥିପାଇଁ ସଫ୍ଟୱେର ଅପ୍ଗ୍ରେଡ୍ କରିବା ଜରୁରୀ ଥିଲା। ତେବେ ଏହି କାର୍ଯ୍ୟ ପାଇଁ କୌଣସି ସଦସ୍ୟ ସୁଧ ହରାଇବେ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଯେଉଁ କର୍ମଚାରୀମାନେ ଅବସର ଗ୍ରହଣ କରିଥିବାରୁ ଖାତାର ସବିଶେଷ ଫଇସଲା କରିବାକୁ ଚାହୁଛନ୍ତି ସେମାନଙ୍କୁ ଯେଉଁ ରାଶି ମିଳିବ ସେଥିରେ ସୁଧ ମିଶିବ ବୋଲି ମଧ୍ୟ ମନ୍ତ୍ରାଳୟ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଠିକ୍ ସମୟରେ ସୁଧ ଜମା କରାଯାଉନଥିବାକୁ ନେଇ ଇନ୍ଫୋସିସ୍ର ପୂର୍ବତନ ନିର୍ଦେଶକ ମୋହନ ଦାସ ପାଇ ବିରକ୍ତି ପ୍ରକାଶ କରିବା ସହ ଏକ ଟୁଇଟ୍ କରି ସେଥିରେ ପିଏମ୍ଓ, ପ୍ରଧାନମନ୍ତ୍ରୀ, ଅର୍ଥ ମନ୍ତ୍ରାଳୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ସିଇଏ ସଞ୍ଜୀବ ସାନ୍ୟାଲଙ୍କୁ ଟ୍ୟାଗ୍ କରିଥିଲେ। ପ୍ରଶାସନିକ ଅକ୍ଷମତା ଯୋଗୁ ନାଗରିକମାନେ କାହିଁକି ପ୍ରଭାବିତ ହେବେ ବୋଲି ସେ ପ୍ରଶ୍ନ କରିଥିଲେ ଏବଂ ଏ କ୍ଷେତ୍ରରେ ସଂସ୍କାର ଆସିବା ଦରକାର ବୋଲି ଲେଖିଥିଲେ। ଇପିଏଫ୍ଓ ଖାତାଗୁଡ଼ିକ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ ମାଧ୍ୟମରେ ପରିଚାଳିତ ହେଉଥିବା ସତ୍ତ୍ବେ ପ୍ରତିବର୍ଷ ସୁଧ ଜମା କରିବା କାହିଁକି ବିଳମ୍ବ ହେଉଛି ବୋଲି ଶ୍ରୀ ପାଇ ଜାଣିବାକୁ ଚାହିଥିଲେ। ତାଙ୍କୁ ଉତ୍ତର ଦେଇ ସଫ୍ଟୱେର ଅପ୍ଟେଡ୍ ସମ୍ପର୍କରେ ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଥିଲା।
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୮.୫% ସୁଧ ଦେବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ସଦସ୍ୟମାନଙ୍କ ଖାତାରେ ୨୦୨୧ ଡିସେମ୍ବର ମାସରେ ସୁଧ ଜମା କରାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ୨୦୨୧-୨୨ର ୮.୧% ସୁଧ ବିଷୟରେ ନିଷ୍ପତ୍ତି ହୋଇଛି ଯାହା ୧୯୭୭-୭୮ ପରେ ସର୍ବନିମ୍ନ। ଗତ ଜୁନ୍ରେ ଅର୍ଥ ମନ୍ତ୍ରାଳୟ ସୁଧ ନିଷ୍ପତ୍ତିକୁ ଅନୁମୋଦନ ପ୍ରଦାନ କରିଥିଲା। ସଙ୍ଗେ ସଙ୍ଗେ ସଦସ୍ୟଙ୍କ ଖାତାରେ ସୁଧ ଜମା କରାଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସଦସ୍ୟମାନଙ୍କୁ ନିରାଶ ହେବାକୁ ପଡ଼ିଛି।