୯ ବର୍ଷରେ ୫୦,୦୦୦ କିମି ରାଜପଥ ନିର୍ମାଣ

ନୂଆଦିଲ୍ଲୀ: ଦେଶରେ ରାଜପଥ ନିର୍ମାଣରେ ବଡ଼ ଧରଣର ବୃଦ୍ଧି ହୋଇଛି। ଗତ ନଅ ବର୍ଷ ଭିତରେ ୫୦ ହଜାରରୁ କିମିରୁ ଅଧିକ ରାଜପଥ ନିର୍ମାଣ କରାଯାଇଛି। ୨୦୧୪-୧୫ ସୁଦ୍ଧା ଦେଶରେ ୯୭,୬୩୦ କିମିର ଜାତୀୟ ରାଜପଥ ଥିଲା। ୨୦୨୩ ମାର୍ଚ୍ଚ ସୁଦ୍ଧା ତାହା ୧,୪୫,୧୫୫ କିମିକୁ ବୃଦ୍ଧି ପାଇଛି। ୨୦୧୪-୧୫ ବେଳକୁ ଦୈନିକ ୧୨.୧ କିମି ରାଜପଥ ତିଆରି କରାଯାଉଥିଲା। ୨୦୨୨-୨୩ରେ ଦୈନିକ ୨୪.୧୪ କିମି ରାଜପଥ ନିର୍ମାଣ କରାଯାଇଛି। ୨୦୨୦-୨୧ କରୋନା ମହାମାରୀ ବ୍ୟାପିଥିବା ବର୍ଷରେ ଦୈନିକ ରେକର୍ଡ ୩୬ କିମି ରାଜପଥ ନିର୍ମାଣ ହୋଇଥିଲା। ଦେଶର ଅର୍ଥନୈତିକ ବିକାଶରେ ସଡ଼କ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏକ ରିପୋର୍ଟ ଅନୁସାରେ ୮୫ ପ୍ରତିଶତ ଯାତ୍ରୀ ଓ ୭୦ ପ୍ରତିଶତ ମାଲ ସଡ଼କରେ ପରିବହନ ହେଉଛି। ତାହା ଲୋକଙ୍କ ଜୀବନଜୀବିକାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସଡ଼କ ଦ୍ବାରା କେବଳ ଅର୍ଥନୈତିକ ସହିତ ସାମାଜିକ ଓ ପ୍ରତିରକ୍ଷା କ୍ଷେତ୍ରର ମଧ୍ୟ ବିକାଶ ହେଉଛି।

ଭାରତରେ ମୋଟ ଉପରେ ୬୩ ଲକ୍ଷ ୭୩ ହଜାର କିମିର ସଡ଼କ ପଥ ନେଟ୍‌ୱର୍କ ରହିଛି ଯାହା ବିଶ୍ବର ଦ୍ବିତୀୟ ବୃହତ୍ତମ। ଦେଶରେ ରାଜପଥ ବଢ଼ାଇବା ଲାଗି ଗତ ନଅ ବର୍ଷ ଭିତରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୧୪-୧୫ରୁ ୨୦୨୧-୨୨ ମଧ୍ୟରେ ଦୈନିକ ସଡ଼କ ନିର୍ମାଣରେ ପର୍ଯ୍ୟାୟକ୍ରମେ ବୃଦ୍ଧି ହୋଇଛି। ଦେଶରେ ଏକ୍ସପ୍ରେସ୍‌ୱେ ନିର୍ମାଣ ମଧ୍ୟ ଜୋରସୋରରେ ଚାଲିଛି। ୨୦୨୨-୨୩ରେ ୧୨,୫୦୦ କିମି ନୂଆ ଜାତୀୟ ରାଜପଥ ନିର୍ମାଣ କରିବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। କିନ୍ତୁ ବର୍ଷ ଶେଷ ସୁଦ୍ଧା ୧୦,୯୯୩ କିମି ରାଜପଥ ନିର୍ମାଣ ହୋଇପାରିଥିଲା। ଫଳରେ ନିର୍ଧାରିତ ଲକ୍ଷ୍ୟଠାରୁ ମନ୍ତ୍ରାଳୟ ୧୩.୭୦ କିମି ପଛୁଆ ରହିଯାଇଥିଲା। ୨୦୧୯-୨୦ରେ ୧୦,୨୩୭ କିମି, ୨୦୨୦-୨୧ରେ ୧୩,୩୨୭ କିମି ଓ ୨୦୨୧-୨୨ରେ ୧୦,୪୫୭ କିମି ରାଜପଥ ନିର୍ମାଣ ହୋଇଥିଲା। ୨୦୧୫-୧୬ରେ ୬,୦୬୧ କିମି ରାଜପଥ ନିର୍ମାଣ ହୋଇଥିଲା। ଏହାର ପରବର୍ତ୍ତୀ ବର୍ଷଗୁଡ଼ିକରେ ନିର୍ମାଣ କାର୍ଯ୍ୟ ବେଶ ତ୍ବରାନ୍ବିତ ‌ହୋଇପାରିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏନ୍ଏଚ୍‌ଏଆଇ ଲାଗି ବଜେଟ୍‌ରେ ଆବଣ୍ଟନ ରାଶିକୁ ୧.୬୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୨-୨୩ ସଂଶୋଧିତ ଅଟକଳ ସୁଦ୍ଧା ଏନ୍ଏଚ୍ଏଆଇକୁ ୧.୪୨ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ୨୦୨୩-୨୪ରେ ମୋଟ ଉପରେ ପରିବହନ ମନ୍ତ୍ରଣାଳୟର ବଜେଟ୍‌ ଅଟକଳକୁ ୨.୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୨-୨୩ରେ ମନ୍ତ୍ରାଳୟକୁ ୨.୦୬ ଲକ୍ଷ କୋଟି ଟଙ୍କା ଦିଆଯାଇଥିଲା।

ସମ୍ବନ୍ଧିତ ଖବର