କମୁଛି ଭୂତଳ ଜଳସ୍ତର, ଲୁଣା ହେଉଛି ନଳକୂପ

୫ ବର୍ଷରେ ଖସିଲାଣି ୧୬୦ଫୁଟ ଜଳସ୍ତର

ରାଜନଗର, (ସୂର୍ଯ୍ୟନାରାୟଣ ଲେଙ୍କା): ନଦୀ, ସମୁଦ୍ର, ଘେରି ରହିଥିବା ଉପକୂଳବର୍ତୀ ଜିଲ୍ଲାରେ ଉତ୍କଟ ହେଲାଣି ପାନୀୟଜଳ ସମସ୍ୟା। ଭୂତଳ ଜଳସ୍ତର ଦ୍ରୁତ ଗତିରେ ତଳକୁ ଖସୁଥିବାରୁ ପିଇବା ପାଣି ନେଇ ସମସ୍ୟା ଉଭା ହୋଇଛି। ଭୂତଳ ଜଳସ୍ତର ଦ୍ରୁତ ଗତିରେ ତଳକୁ ଖସିବା ବା ହ୍ରାସ ପାଇବା ଯୋଗୁଁ ଗତ ୫ବର୍ଷରେ ୨ଶହ ନଳକୂପ ଅଚଳ ହୋଇ ପଡିଲାଣି। ପୂର୍ବରୁ ଯେଉଁଠି ୧୮୦ ମିଟର ତଳେ ମିଠା ପାଣି ମିଳୁଥିଲା ଏବେ ସେଠି ୨୫୦ ମିଟର ତଳେ ମଧୁର ପାଣି ମିଳିବା ସ୍ବପ୍ନ ହୋଇଗଲାଣି। ୫ ବର୍ଷ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ରେ ଭୂତଳ ଜଳସ୍ତର ପ୍ରାୟ ୧୬୦ ଫୁଟ ତଳକୁ ଖସି ଗଲାଣି। ଏପରିକି ନଳକୂପ ଖୋଳା ହେଉ ହେଉ ନଳକୂପ ଲୁଣି ହୋଇଯାଉଛି ଓ ଲୁଣି ପାଣି ବାହାରୁଛି।

ରାଜନଗର ବ୍ଲକ୍‌ ମୁଖ୍ୟାଳୟରେ ୫ବର୍ଷ ତଳେ ୧୮୦ ରୁ ୨୦୦ ମିଟର ତଳେ ଭଲ ପିଇବା ପାଣି ମିଳୁଥିଲା। ୨୦୧୮ ମସିହା ପୂର୍ବରୁ ଖୋଳା ଯାଇଥିବା ସମସ୍ତ ନଳକୂପ ୧୮୦ରୁ ୨୦୦ ମିଟର ମଧ୍ୟରେ ଖୋଳାଯାଉଥିଲା। ମାତ୍ର ଜଳ ଓ ପରିମଳ ବିଭାଗର ସୂଚନା ଅନୁଯାୟୀ, ଏବେ ୨୪୦ ରୁ ୨୫୦ ମିଟର ତଳେ ମଧୁର ପିଇବା ପାଣି ମିଳୁଛି। ୧୪୦ ରୁ ୨୦୦ ମିଟର ମଧ୍ୟରେ ଲୌହଯୁକ୍ତ ପାଣି ରହୁଛି। ୨ଶହ ମିଟର ତଳେ ମାଟି ରହୁଛି। ୨୪୦ରୁ ୨୫୦ ମିଟର ଖୋଳାଯିବା ପରେ ଭଲ ପିଇବା ପାଣି ମିଳୁଛି। ଅର୍ଥାତ୍ ୨୦୨୮-୨୦୨୩ ୫ବର୍ଷ ମଧ୍ୟରେ ଭୂତଳ ଜଳସ୍ତର ୫୦ ମିଟର ଅର୍ଥାତ୍ ୧୬୦ ଫୁଟରୁ ଅଧିକ ତଳକୁ ଖସିଗଲାଣି। ରାଜନଗର ସହରରେ ଏହି ସ୍ଥିତି ଥିବା ବେଳେ ଅନ୍ୟ ଅଂଚଳରେ ଭୂତଳ ଜଳର ସ୍ଥିତି ଆହୁରି ସଂଗିନ। କୋଇଲିପୁର ପଞ୍ଚାୟତର ବଡ଼ପଲ୍ଲୀ ଅଂଚଳରେ ପୂର୍ବରୁ ୨୮୦ରୁ ୩୦୦ ମିଟର ତଳେ ଭଲ ପିଇବା ପାଣି ମିଳୁଥିଲା ମାତ୍ର ୫ବର୍ଷ ମଧ୍ୟରେ ଏହା ୩୨୫ ମିଟର ତଳକୁ ଖସି ଗଲାଣି। ରଂଗଣୀ ଅଂଚଳରେ ୫ ବର୍ଷ ତଳେ ୧୮୦ରୁ ୨୦୦ ମିଟର ତଳେ ପିଇବା ପାଣି ମିଳୁଥିଲା। ମାତ୍ର ଏବେ ୨୪୦ ଫୁଟ ତଳେ ଅର୍ଥାତ୍ କେଉଁଠି ୨୫୦ ଫୁଟ ତ ଆଉ କେଉଁଠି ୨୬୦ ଫୁଟ ତଳେ ପିଇବା ପାଣି ମିଳୁଛି। ଖାସ୍‌ ଏହି କାରଣରୁ ଗତ ୫ ବର୍ଷରେ ରାଜନଗର ବ୍ଲକ୍‌ରେ ୨ଶହ ଅଧିକ ନଳକୂପରୁ ଲୁଣି ପାଣି ବାହାରିବା କାରଣରୁ ଅଚଳ ହୋଇପଡିଛି।

Shutterstock

ଚାଆଁରାକୋହ୍ଲାରେ ୨ଟି, ପଟାପାରିଆରେ ୩ଟି, ଭେକ୍ଟାରେ ୫ଟି, ରଂଗଣୀରେ ଗୋଟିଏ, ହରିଣପୋଖରୀରେ ଗୋଟିଏ, ନାରାୟଣପୁରରେ ଗୋଟିଏ, ସୌରେନ୍ଦ୍ରପୁରରେ ୨ଟି, ଗୋପାଳଜିଉପାଟଣାରେ ୨ଟି, ଶୈଳେନ୍ଦ୍ରନାରାୟଣପୁରରେ ୨ଟି, ଗୁମୁରାରେ ଗୋଟିଏ, ବେଲପାଳରେ ୨ଟି, ବାଲିଚନ୍ଦ୍ରପୁରରେ ଗୋଟିଏ, ବାଲିସାହିପାଟଣା, ଜଗନ୍ନାଥପୁର, ମଲିଆବୁଦା, ଗର୍ଜନପୁର, ଝାରପଡା, ନଳଦିଆ, ଧନେଶ୍ବରପୁର, ତାଳଚୁଆ, ଗୋବର୍ଦ୍ଧନପୁର, ରାଜନଗର, କହ୍ନୁଆ, ସାନବଡଗୋପାଳପୁର, ନୂଆଗାଁ, ଚମ୍ପାଦିଆ ପ୍ରଭୃତି ଗାଁରେ ନଳକୂପଗୁଡିକ ଲୁଣି ପଡ଼ିବା କାରଣରୁ ଅଚଳ ହୋଇପଡିଛି। ସୌରେନ୍ଦ୍ରପୁର ଗାଁରେ ଭାରତୀ ପ୍ରଧାନଙ୍କ ଘର ନିକଟରେ, ବେଲପାଳ ଘାଟ ନିକଟରେ, ଚମ୍ପାଦିଆ ଭେଡ଼ିସାହି ଅର୍ଜୁନ ସାହୁଙ୍କ ଘର ପାଖରେ ନଳକୂପ ଖୋଳାଯିବା ପରଠୁ ଲୁଣି ପାଣି ବାହାରୁଛି।

ନଦୀ ଓ ବଂଗୋପସାଗର ଘେରି ରହିଥିବା ରାଜନଗର ବ୍ଲକ୍‌ରେ ପାନୀୟଜଳ ସଂଟକ ନୂଆ ସମସ୍ୟା ଭାବେ ଉଭା ହୋଇଛି। ଏହି ଅଂଚଳରେ ଭୂତଳ ଜଳସ୍ତର ଭଲ ଥିଲା। ଏହା ଏବେ ଜଳସ୍ତର ଲୁଣି ପାଲଟି ଗଲାଣି। ଗତ ୫ବର୍ଷ ମଧ୍ୟରେ ଏହି ସମସ୍ୟା ସଂକଟ ଆଡ଼କୁ ଗତି କଲାଣି। ସରକାରୀସ୍ତରରେ ନଷ୍ଟ ହେଉଥିବା ଜଳକୁ ଭୂଗର୍ଭକୁ ଛାଡ଼ିବା ପାଇଁ ଯୋଜନା ମାଧ୍ୟମରେ ଅର୍ଥ ବ୍ୟୟ କେବଳ କାଗଜକଲମରେ ସୀମିତ ରହିଛି। ପାଣିରେ ଉବୁଡୁବୁ ହେଉଥିବା ଅଂଚଳରେ ପାନୀୟଜଳ ସଂକଟ ଯେ, ଜଳବାୟୁ ପରିବର୍ତନର ପ୍ରଭାବ ତାହା ଅସ୍ବୀକାର କରାଯାଇ ନ ପାରେ। ଏବେଠୁ ସଚେତନ ନ ହେଲେ ଓ ଠୋସ୍‌ ପଦକ୍ଷେପ ନ ନେଲେ ଆଗକୁ ପାନୀୟଜଳ ସଂକଟ ଉତ୍କଟ ରୂପ ଧାରଣ କରିପାରେ।

ସମ୍ବନ୍ଧିତ ଖବର