ଆଧାର ହେଲ୍‌ପଲାଇନ୍‌ ନମ୍ବର ଜରିଆରେ ତଥ୍ୟ ଚୋରି ଭୟ

ନୂଆଦିଲ୍ଲୀ: ଗୁଗୁଲ୍‌ ପକ୍ଷରୁ ଭୁଲ୍‌ରେ କେତେକ ଆଣ୍ଡ୍ରଏଡ୍‌ ଫୋନ୍‌ରେ ସେଭ୍‌ ହୋଇଥିବା ଆଧାର ହେଲ୍‌ପଲାଇନ୍‌ ନମ୍ବର ଦ୍ୱାରା ଫୋନ୍‌ରୁ କୌଣସି ତଥ୍ୟ ଚୋରି କରାଯାଇ ପାରିବ ନାହିଁ। ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ (ୟୁଆଇଡିଏଆଇ) ପକ୍ଷରୁ ଆଜି ଏ ନେଇ ସ୍ପଷ୍ଟ କରାଯାଇଛି। କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଆଧାରର ଛବି ଖରାପ କରିବା ଏବଂ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଲାଗି ଏଭଳି ଅପପ୍ରଚାର କରୁଛନ୍ତି ବୋଲି ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି। ଫୋନ୍‌ରେ ଗୁଗୁଲ୍‌ ପକ୍ଷରୁ ସେଭ୍‌ କରାଯାଇଥିବା ନମ୍ବରକୁ ନେଇ ଯେଉଁମାନେ ଗୁଜବ ସୃଷ୍ଟି କରୁଛନ୍ତି ୟୁଆଇଏଡିଆଇ ସେମାନଙ୍କର ଘୋର ନିନ୍ଦା କରିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ଫ୍ରାନ୍ସର ଏଲିଅଟ୍‌ ଆଲ୍‌ଡରସନ୍‌ ନାମକ ଜଣେ ନିରାପତ୍ତା ବିଶେଷଜ୍ଞ ପ୍ରଥମେ ଏ ନେଇ ଖବର ପ୍ରସାର କରିଥିଲେ। ଫୋନ୍‌ରେ ୟୁଆଇଡିଏଆଇ ନମ୍ବର ସେଭ୍‌ ହୋଇଥିବା ସେ ଟ୍ଵିଟ୍‌ କରିଥିଲେ। ଗ୍ରାହକଙ୍କ ସମ୍ମତି ବିନା ଏହା କରାଯାଇଥିବା ସେ କହିଥିଲେ। ଏହାପରେ ଲୋକେ ଛାନିଅାଁ ହୋଇଯାଇଥିଲେ। ଏହାର କିଛି ସମୟ ପରେ ଗୁଗୁଲ୍‌ ମୁହଁ ଖୋଲିଥିଲା। ଫୋନ୍‌ରେ ଭୁଲବଶତଃ ଆଧାରର ପୁରୁଣା ହେଲ୍‌ପଲାଇନ୍‌ ନମ୍ବର ୧୮୦୦୩୦୦୧୯୪୭ ଏବଂ ପୁଲିସ୍‌ ଓ ଅଗ୍ନିଶମ ସେବା ପାଇବା ପାଇଁ ୧୧୨ ନମ୍ବର ୨୦୧୪ ମସିହାରେ ସେଭ୍‌ ହୋଇଥିବା କହିଥିଲା। ସେବେଠାରୁ ଏହି ନମ୍ବର ଫୋନ୍‌ରେ ରହି ଯାଇଥିବା କମ୍ପାନି କହିଥିଲା। ତେବେ ମୋବାଇଲ ଫୋନ୍‌ର କଣ୍ଟାକ୍ଟ ଲିଷ୍ଟ୍‍ରେ ହେଲ୍‌ପଲାଇନ୍‌ ନମ୍ବର ସେଭ୍‌ ହୋଇଥିଲେ ତାହା ମାଧ୍ୟମରେ ଆଧାର ତଥ୍ୟ ଚୋରି ହୋଇପାରିବ ନାହିଁ। ଏପରିକି ଏହି ନମ୍ବରକୁ ଡିଲିଟ୍‌ କରିବା ଲାଗି କୌଣସି ଭୟ ମଧ୍ୟ ରହିବା ଉଚିତ ନୁହେଁ। ବରଂ ଲୋକମାନେ ଆଧାରର ଏହି ପୁରୁଣା ହେଲ୍‌ପଲାଇନ ନମ୍ବର ଡିଲିଟ୍‌ କରି ଏହା ସ୍ଥାନରେ ନୂଆ ହେଲ୍‌ପଲାଇନ ନମ୍ବର ୧୯୪୭କୁ ସେଭ୍‌ କରିବା ଉଚିତ ବୋଲି ୟୁଆଇଡିଏଆଇ କହିଛି।

ସମ୍ବନ୍ଧିତ ଖବର