ଗାଡ଼ି ବଜାରର ଅଗଷ୍ଟ ଯନ୍ତ୍ରଣା: ୨୧ ବର୍ଷରେ ବିକ୍ରି ସବୁଠୁ ଖରାପ

କାରଖାନାରେ ଉତ୍ପାଦନ ଠପ୍‌, ପୁଞ୍ଜିନିବେଶ ଅଟକିଲା

ନୂଆଦିଲ୍ଲୀ: ବିଗତ ୨୧ ବର୍ଷ ଭିତରେ ଗାଡ଼ି ବିକ୍ର‌ିରେ ଏଭଳି ଖରାପ ସମୟ ଦେଖିବାକୁ ମିଳିନଥିଲା। ଗତ ଅଗଷ୍ଟରେ ଗାଡ଼ି ବିକ୍ରିରେ ବଡ଼ ଧରଣର ହ୍ରାସ ଘଟିଛି। କାର୍‌ ଠାରୁ ଆରମ୍ଭ କରି ବାଇକ୍, ବସ୍ ଓ ଟ୍ରକ୍ ପର୍ଯ୍ୟନ୍ତ ସବୁ ପ୍ରକାର ଗାଡ଼ିର ବିକ୍ରି କମିଛି। ଗତ ୧୦ ମାସ ହେଲାଣି କ୍ରମାଗତ ଭାବେ ଗାଡ଼ି ବିକ୍ରି ହ୍ରାସ ପାଉଛି। ଶେଷ ଥର ପାଇଁ ୧୯୯୭-୯୮ରେ ଗାଡ଼ି ବିକ୍ରି କ୍ଷେତ୍ରରେ ଏଭଳି ଖରାପ ସ୍ଥିତି ଦେଖିବାକୁ ମିଳିଥିଲା ବୋଲି ଭାରତୀୟ ଗାଡ଼ି ନିର୍ମାତା ସଂଘ (ସିଆମ୍‌) ପକ୍ଷରୁ କୁହାଯାଇଛି।

ଗତ ଅଗଷ୍ଟ ମାସରେ ମୋଟ ୧୮ ଲକ୍ଷ ୧ ହଜାର ୪୯୦ଟି ଗାଡ଼ି ବିକ୍ରି ହୋଇଛି। ୨୦୧୮ ଅଗଷ୍ଟ ତୁଳନାରେ ଚଳିତ ବର୍ଷ ୨୩.୫୫ ପ୍ରତିଶତ କମ୍ ଗାଡ଼ି ବିକ୍ରି ହୋଇଛି। ଗତବର୍ଷ ଏହି ମାସରେ ୨୩ ଲକ୍ଷ ୮୨ ହଜାରରୁ ଅଧିକ ଗାଡ଼ି ବିକ୍ରି ହୋଇଥିଲା। ୨୦୧୯ ଜୁଲାଇରେ ଗାଡ଼ି ବିକ୍ରିରେ ୧୮.୭୧ ପ୍ରତିଶତ ହ୍ରାସ ଘଟିଥିଲା। ଜୁଲାଇରେ ମୋଟ ୨୨ ଲକ୍ଷ ୪୫ ହଜାର ଗାଡ଼ି ବିକ୍ରି ହୋଇଥିଲା। ଅଗଷ୍ଟରେ ଏହି ବ୍ୟବଧାନ ଆହୁରି ବଢ଼ିଛି। ସବୁଠୁ ଖରାପ ସ୍ଥିତିରେ କାର୍ ବଜାର ରହିଛି। କାର୍‌ ବିକ୍ରି ୩୧.୫୭ ପ୍ରତିଶତ କମିଯାଇଛି। ଗତ ଅଗଷ୍ଟରେ ମୋଟ ଏକ ଲକ୍ଷ ୯୬ ହଜାର ୫୨୪ଟି କାର୍ ବିକ୍ରି ହୋଇଛି। ଗତ ଜୁଲାଇରେ କୌଣସି ପ୍ରକାରରେ ୨ ଲକ୍ଷରୁ ଅଧିକ କାର୍ ବିକ୍ରି ହୋଇଥିଲା। ଅଗଷ୍ଟରେ ସ୍ଥିତି ଆହୁରି ଖରାପ ହୋଇଛି। ସବୁ କାର୍ କଂପାନିର ବିକ୍ରି କମିଛି। ଦୁଇ ଚକିଆ ବିକ୍ରିରେ ୨୨.୨୪% ହ୍ରାସ ଘଟିଛି। ଗତ ଅଗଷ୍ଟ ମାସରେ ଦେଶରେ ୧୫ ଲକ୍ଷ ୧୪ ହଜାର ୧୯୬ଟି ଦୁଇ ଚକିଆ ଗାଡ଼ି ବିକ୍ରି ହୋଇଛି। ମୋଟରସାଇକଲ୍‌ ବିକ୍ରି ୨୨.୨୩% ହ୍ରାସ ପାଇଛି। ଅଗଷ୍ଟରେ ମୋଟ ୯ ଲକ୍ଷ ୩୭ ହଜାର ୩୮୬ଟି ମୋଟରସାଇକଲ୍ ବିକ୍ରି ହୋଇଛି। ସେହିପରି ସ୍କୁଟର ବିକ୍ରି ୨୨.୧୯ ପ୍ରତିଶତ ହ୍ରାସ ପାଇଛି। ଏହି ମାସରେ ୫ ଲକ୍ଷ ୨୦ ହଜାର ୮୯୮ଟି ସ୍କୁଟର ବିକ୍ରି ହୋଇଛି। ମାଲ୍‌ ପରିବହନରେ ବ୍ୟବହାର କରାଯାଉଥିବା ବାଣିଜ୍ୟିକ ଯାନ ବିକ୍ରି ୩୮.୭୧% କମିଛି। ଦେଶରେ ଅଗଷ୍ଟରେ ମୋଟ ୫୧,୮୯୭ଟି ବାଣିଜ୍ୟିକ ଯାନ ବିକ୍ରି ହୋଇଛି।

ଗାଡ଼ି ବିକ୍ରି କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଗାଡ଼ି ଉପରୁ ଜିଏସ୍‌ଟିକୁ ୨୮%ରୁ କମାଇ ୧୮% କରିବାକୁ ଗାଡ଼ି କଂପାନିଗୁଡ଼ିକ ଦାବି କରୁଛନ୍ତି। ଆସନ୍ତା ୨୦ ତାରିଖରେ ଗୋଆ ଠାରେ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଏନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ଜିଏସ୍‌ଟି କମ୍ କରିବା ଲାଗି ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ପ୍ରତିଶ୍ରୁତି ଦେଇଛନ୍ତି। ଗାଡ଼ି ବିକ୍ରି ହ୍ରାସ ପାଉଥିବାରୁ କଂପାନିଗୁଡ଼ିକ କାରଖାନାକୁ କିଛି ଦିନ ପାଇଁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଚଳିତ ମାସରେ ମାରୁତି ଏହାର ଦୁଇ କାରଖାନାକୁ ଦୁଇ ଦିନ ପାଇଁ ବନ୍ଦ କରିଛି। ଅଶୋକ ଲେଲ୍ୟାଣ୍ଡ୍ ମଧ୍ୟ ଏହାର କାରଖାନାକୁ ୧୬ ଦିନ ପାଇଁ ବନ୍ଦ କରିବ ବୋଲି କହିଛି। ଗତ ଜୁଲାଇରେ ଟିଭିଏସ୍‌, ସୁନ୍ଦରମ କ୍ଲେଟନ୍, ମାରୁତି ସୁଜୁକି, ହିରୋ ମୋଟାକର୍ପ, ଟାଟା ଓ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ନିଜ କାରଖାନାରେ କିଛି ଦିନ ପାଇଁ ତାଲା ପକାଇଥିଲେ। ଗାଡ଼ି ବିକ୍ରି ମାନ୍ଦା ରହିଥିବାରୁ କଂପାନିଗୁଡ଼ିକ ନିଜର ପୁଞ୍ଜିନିବେଶକୁ ଅଟକାଇ ଦେଇଛନ୍ତି। ଗାଡ଼ି କଂପାନିଗୁଡ଼ିକୁ ଯନ୍ତ୍ରାଂଶ ଯୋଗାଇ ଦେଉଥିବା ସଂସ୍ଥାଗୁଡ଼ିକ ୧୪,୩୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଅଟକାଇଛନ୍ତି। ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଏହାର ନିବେଶ ପରିମାଣ ୧୦୦୦ କୋଟି ଟଙ୍କା କମ୍ କରିଛି। ସୁଜୁକି ମଧ୍ୟ ପୁଞ୍ଜିନିବେଶ କମ୍ କରିବ ବୋଲି କହିଛି।

କାର୍‌ କଂପାନି ଗାଁ ମୁହାଁ
ନୂଆଦିଲ୍ଲୀ: ସହରାଞ୍ଚଳରେ ଅଧିକ ଗାଡ଼ି ବିକ୍ରି ହେଉନଥିବାରୁ କାର୍‌ କଂପାନିଗୁଡ଼ିକ ଗ୍ରାମାଞ୍ଚଳ ମୁହାଁ ହୋଇଛନ୍ତି। ଗ୍ରାମାଞ୍ଚଳରେ ଆୟୋଜନ କରାଯାଉଥିବା ବଡ଼ ଧରଣର କାର୍ଯ୍ୟକ୍ରମ ଓ ମହୋତ୍ସବଗୁଡ଼ିକରେ କଂପାନିଗୁଡ଼ିକ ଅଂଶଗ୍ରହଣ କରୁଛନ୍ତି। ବିଭିନ୍ନ ପ୍ରକାର ଆକର୍ଷଣୀୟ ଫାଇନାନ୍ସ ସ୍କିମ୍ ଓ ଏକ୍ସଚେଞ୍ଜ୍‌ ଅଫର୍ ଜରିଆରେ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ କରୁଛନ୍ତି। ମାରୁତି ସୁଜୁକିର ୩୮% ଗ୍ରାହକ ଗ୍ରାମାଞ୍ଚଳରେ ଅଛନ୍ତି। ସେମାନଙ୍କ ସଂଖ୍ୟା ବଢ଼ାଇବାକୁ କଂପାନି ଉଦ୍ୟମ ଜାରି ରଖିଛି। କଂପାନିର ମୋଟ ବିକ୍ରିକୁ ଅନୁଧ୍ୟାନ କଲେ ଏହା ଜଣାପଡ଼ୁଛି ଯେ ସହରାଞ୍ଚଳରେ ତୁଳନାରେ ଗ୍ରାମାଞ୍ଚଳରେ ବିକ୍ରି ପରିମାଣ ବହୁତ କମିଛି। ସେହିପରି, ଟୟୋଟା କିର୍ଲୋସ୍କର ମୋଟର୍ସର ମେଟ୍ରୋ ସହର ତୁଳନାରେ ଛୋଟ ସହର ଓ ଗ୍ରାମାଞ୍ଚଳରେ ଅଧିକ କାର୍ ବିକ୍ରି ହେଉଛି। କଂପାନିର ନୂଆ ମଡେଲ୍‌ ଗ୍ଲାଞ୍ଜା ପାଇଁ ଗ୍ରାମାଞ୍ଚଳରୁ ଅଧିକ ବୁକିଙ୍ଗ ଆସିଛି।

ହୁଣ୍ଡାଇ ମୋଟର ଇଣ୍ଡିଆର ବିକ୍ରି ମୁଖ୍ୟ ବିକାଶ ଜୈନ କହିଛନ୍ତି ଯେ, ଗ୍ରାମାଞ୍ଚଳ ବଜାରରେ ବିକ୍ରି ବଢ଼ିବାର ଆଶା ରହିଛି। ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ଅଧା ଗାଡ଼ି ଗ୍ରାମାଞ୍ଚଳ‌ରେ ବିକ୍ରି ହୋଇଥାଏ। କଂପାନି ଗ୍ରାମାଞ୍ଚଳ‌ରେ ଏହାର ଗାଡ଼ି ବିକ୍ରି ଆହୁରି ବଢ଼ାଇବା ଲାଗି ୩୦୦୦ରୁ ଅଧିକ ତହସିଲରେ ବିକଳ୍ପ ବିକ୍ରି ଓ ସର୍ଭିସ୍ ବ୍ୟବସ୍ଥା ବିକଶିତ କରୁଛି। ଚଳିତ ବର୍ଷ ଭଲ ମୌସୁମୀ ବର୍ଷା ହୋଇଥିବାରୁ ଗ୍ରାମାଞ୍ଚଳରେ ଲୋକମାନଙ୍କ ଆୟ ବଢ଼ିବ ବୋଲି କାର୍ କଂପାନିଗୁଡ଼ିକ ଭାବୁଛନ୍ତି। ଯଦି ସେଭଳି ସ୍ଥିତି ସୃଷ୍ଟି ହେବ ତେବେ ଗ୍ରାମାଞ୍ଚଳରେ ଆହୁରି ଅଧିକ କାର୍ ବିକ୍ରି ହେବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର