ବ୍ୟାଙ୍କ ଧର୍ମଘଟ ଆରମ୍ଭ: ୫୦୦୦ ଶାଖାରେ ତାଲା

ଭୁବନେଶ୍ୱର/ନୂଆଦିଲ୍ଲୀ: ଦୁଇ ପ୍ରତିଶତ ବେତନ ବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀମାନେ ଆଜିଠାରୁ ଦୁଇ ଦିନିଆ ଧର୍ମଘଟ ଆରମ୍ଭ କରିଛନ୍ତି। ଏଥିରେ ଓଡ଼ିଶାର ୪୦ ହଜାର କର୍ମଚାରୀ ସମେତ ସାରା ଦେଶର ୧୦ ଲକ୍ଷରୁ ଅଧିକ କର୍ମଚାରୀ ସାମିଲ ହୋଇଛନ୍ତି। ବ୍ୟାଙ୍କ ଶାଖା ବନ୍ଦ ରହିଥିବାରୁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଧର୍ମଘଟ ଯୋଗୁଁ ସବୁ ସରକାରୀ ବ୍ୟାଙ୍କଗୁଡ଼ିକର ଶାଖାରେ ତାଲା ପଡ଼ିଛି। ଏଟିଏମ୍‌ କାଉଣ୍ଟର୍‌ରେ ମଧ୍ୟ ଟଙ୍କା ଉଠାଣ ପ୍ରଭାବିତ ହୋଇଛି। ଓଡ଼ିଶାରେ ସରକାରୀ ବ୍ୟାଙ୍କଗୁଡ଼ିକର ୫୦୦୦ରୁ ଅଧିକ ଶାଖା ଓ ୮୦୦୦ ପାଖାପାଖି ଏଟିଏମ୍‌ କାଉଣ୍ଟର୍‌ ରହିଛି। ଗ୍ରାହକମାନଙ୍କ ପାଇଁ ଗୋଟିଏ ଆଶ୍ୱସ୍ତିର ବିଷୟ ହେଉଛି ଘରୋଇ ବ୍ୟାଙ୍କଗୁଡ଼ିକର ଶାଖା ଓ ଏଟିଏମ୍‌ ସ୍ୱାଭାବିକ ଭାବେ କାମ କରୁଛି। ବ୍ୟାଙ୍କ ଶାଖାରେ ଟଙ୍କା ଜମା ଓ ଉଠାଣ, ଋଣ ମଞ୍ଜୁରି, ଚେକ୍‌ କ୍ଲିୟରାନ୍ସ, ଡ୍ରାଫ୍ଟ କରିବା, ସରକାରୀ ଟ୍ରେଜେରି କାରବାର, ଏଫ୍‌ଡି ନବୀକରଣ, ନୂଆ ଖାତା ଖୋଲିବା ଓ ଶାଖା ଜରିଆରେ ଟଙ୍କା ପଠାଇବା ଭଳି ସବୁ ପ୍ରକାର କାରବାର ପ୍ରଭାବିତ ହୋଇଛି। ବ୍ୟାଙ୍କ ଧର୍ମଘଟ ଯୋଗୁଁ ଜାତୀୟ ସ୍ତରରେ ୨୦ ହଜାର କୋଟି ଟଙ୍କାର ଗ୍ରାହକ କାରବାର ପ୍ରଭାବିତ ହୋଇଛି ବୋଲି ଆସୋଚାମ୍‌ ପକ୍ଷରୁ ଆକଳନ କରାଯାଇଛି। ପ୍ରତିଦିନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଗ୍ରାହକମାନେ ଏତିକି ଟଙ୍କାର କାରବାର କରିଥାନ୍ତି। ଓଡ଼ିଶା ବିଷୟରେ ୟୁନାଇଟେଡ୍‌ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ (ୟୁବିଏଫ୍‌୍‌ୟୁ)ର ଓଡ଼ିଶା ଆବାହକ ସମ୍ବିତ ମିଶ୍ର କହିଛନ୍ତି ଯେ, ଏଠାରେ ମୋଟ ଉପରେ ୪୦ ହଜାର କୋଟି ଟଙ୍କାର କାରବାର ପ୍ରଭାବିତ ହୋଇଛି ବୋଲି କୁହାଯାଇପାରିବ। ବ୍ୟାବସାୟିକ କାରବାର ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି। ସେହିପରି, ଏଆଇବିଓସିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦାମୋଦର ନନ୍ଦ କହିଛନ୍ତି ଯେ, ଏନ୍‌ଡିଏ ସରକାର ଯେଉଁ ସବୁ କାମ ପାଇଁ ବାହାବା ନେଉଛନ୍ତି ସେସବୁ କାମ ବ୍ୟାଙ୍କ କର୍ମଚାରୀମାନେ କହିଛନ୍ତି। ସେମାନେ ଅଧିକ ଦରମା ପାଇବାକୁ ହକ୍‌ଦାର। ଯଦି ସରକାର ଆମ ଦାବିକୁ ନମାନିବେ ତେବେ ଆଗାମୀ ଦିନରେ ଆମେ ଅନିର୍ଦିଷ୍ଟକାଳୀନ ଧର୍ମଘଟ କରିବୁ ବୋଲି ସେ କହିଛନ୍ତି। ଶ୍ରୀ ନନ୍ଦ କହିଛନ୍ତି ଯେ, ଗୁରୁବାର ଓ ଶୁକ୍ରବାର ଗ୍ରାହକମାନେ ଅଧିକ ସମସ୍ୟା ସାମ୍ନା କରିବେ। କାରଣ ଏଟିଏମ୍‌ଗୁଡ଼ିକ ପ୍ରାୟ ଖାଲି ହୋଇଯିବ। ଶୁକ୍ରବାର ଦିନ ଏଟିଏମ୍‌ରେ ଟଙ୍କା ଭର୍ତି କରିବାକୁ ସମୟ ଲାଗିବ। ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସି ଏଚ୍‌ ଭେଙ୍କଟଚେଲମ୍‌ କହିଛନ୍ତି ଯେ, ଆମେ ଦୁଇ ପ୍ରତିଶତ ବେତନ ବୃଦ୍ଧିକୁ ବିରୋଧ କରୁଛୁ। ପୂର୍ବ ଥର ଆମର ଦରମା ୧୫% ବଢ଼ିଥିଲା। ବିମୁଦ୍ରାକରଣ ସମୟରେ ବ୍ୟାଙ୍କ କର୍ମଚାରୀମାନେ ବହୁତ ପରିଶ୍ରମ କରିଛନ୍ତି। ସରକାରଙ୍କ ଯୋଜନାଗୁଡ଼ିକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ପାଇଁ ସେମାନଙ୍କ ଉପରେ ବହୁତ ଚାପ ରହିଛି। ଏଭଳି ପରିସ୍ଥିତିରେ ବ୍ୟାଙ୍କ କର୍ମଚାରୀମାନେ ଅଧିକ ବେତନ ପାଇବାକୁ ହକ୍‌ଦାର।

ସମ୍ବନ୍ଧିତ ଖବର