ଭାରତ ନେଟ୍‌ ପ୍ରକଳ୍ପ ପାଇଁ ୧,୩୯,୫୭୯ କୋଟି ମଞ୍ଜୁର: ୬.୪ ଲକ୍ଷ ଗାଁରେ ମିଳିବ ବ୍ରଡବ୍ୟାଣ୍ଡ ସଂଯୋଗ

ନୂଆଦିଲ୍ଲୀ: ଭାରତ ନେଟ୍‌ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ୧,୩୯,୫୭୯ କୋଟି ଟଙ୍କା ମଞ୍ଜୁର କରିଛି। ଭାରତ ନେଟ୍‌ ପ୍ରକଳ୍ପ ଜରିଆରେ ଦେଶର ୬.୪ ଲକ୍ଷ ଗାଁରେ ଭାରତ ନେଟ୍‌ ପ୍ରକଳ୍ପ ଅଧୀନରେ ବ୍ରଡବ୍ୟାଣ୍ଡ୍‌ ସଂଯୋଗ ଯୋଗାଇ ଦିଆଯିବ। ବର୍ତ୍ତମାନ ସୁଦ୍ଧା ଭାରତ ନେଟ୍‌ ପ୍ରକଳ୍ପ ଅଧୀନରେ ୧.୯୪ ଲକ୍ଷ ଗ୍ରାମକୁ ବ୍ରଡବ୍ୟାଣ୍ଡ୍‌ ସଂଯୋଗ ଯୋଗାଇ ଦିଆଯାଇଛି। ତେଣୁ ଅବଶିଷ୍ଟ ଗ୍ରାମ ଗୁଡ଼ିକୁ ଆସନ୍ତା ଅଢ଼େଇ ବର୍ଷ ମଧ୍ୟରେ ସଂଯୋଗ ଯୋଗାଇ ଦିଆଯିବ ବୋଲି ଅଧିକାରୀମାନଙ୍କ ସୂତ୍ରରୁ ଜଣାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଉକ୍ତ ପାଣ୍ଠିକୁ ମଞ୍ଜୁରି ଦିଆଯାଇଛି। ଭାରତ ବ୍ରଡବ୍ୟାଣ୍ଡ୍ ନେଟୱର୍କ ଲିମିଟେଡ ଗ୍ରାମୀଣ ସ୍ତରର ଉଦ୍ୟୋଗୀଙ୍କ ଜରିଆରେ ଏହି ସେବା ଯୋଗାଇ ଦେବ। ଏସଂକ୍ରାନ୍ତ ପାଇଲଟ ପ୍ରକଳ୍ପ ସଫଳ ହେବା ପରେ ଉକ୍ତ ନିଷ୍ପତ୍ତି ନିଆଯାଇଛି। ପାଇଲଟ ପ୍ରକଳ୍ପ ପ୍ରଥମେ ୪ଟି ଜିଲ୍ଲାରେ ଆରମ୍ଭ ହୋଇଥିଲା। ପରେ ଏହା ଅଧିକାଂଶ ରାଜ୍ୟର ୬୦ ହଜାର ଗ୍ରାମକୁ ପରିବ୍ୟାପ୍ତ ହୋଇଥିଲା। ପାଇଲଟ ପ୍ରକଳ୍ପରେ ପ୍ରାୟ ୩୮୦୦ ଉଦ୍ୟୋଗୀ ସାମିଲ ହୋଇଥିଲେ। ସେଥିରେ ୩.୫୧ ଲକ୍ଷ ବ୍ରଡବ୍ୟାଣ୍ଡ୍‌ ସଂଯୋଗ ଯୋଗାଇ ଦିଆଯାଇଥିଲା। ଏଥିରେ ଘରପିଛା ମାସିକ ଡାଟା ବ୍ୟବହାର ୧୭୫ ଗିଗାବାଇଟ୍ସ ରହିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର