ବିଜେପି ଟିମ୍‌ରେ ଅନୁଗୁଳ, ଢେଙ୍କାନାଳକୁ ଅବହେଳା: ରାଜ୍ୟ କମିଟିରେ କାହ‌ାକୁ ମିଳିଲାନି ଜାଗା

ନେତା ନିରାଶ, କର୍ମୀ ଦ୍ବନ୍ଦ୍ବରେ

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତି ମାସରେ ଆସୁଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ନିୟମିତ ଗସ୍ତ ବି ହେଉଛି। ଏସବୁ ଦେଖି ଲାଗୁଥିଲା, ଅବିଭକ୍ତ ଢେଙ୍କାନାଳ ଜିଲ୍ଲାକୁ ଫୋକସ୍‌ରେ ରଖିଛି ବିଜେପି। କିନ୍ତୁ ରାଜ୍ୟ ବିଜେପି ଟିମ୍‌ ଘୋଷଣା ହେଲା ପରେ ଅନୁଗୁଳ ଓ ଢେଙ୍କାନାଳକୁ ଅବହେଳା ଜଳଜଳ ଦିଶୁଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଏକ ଜୁମ୍ବୋ ଟିମ୍ ଘୋଷଣା କରିଥିଲେ ମଧ୍ୟ ଏଥିରେ ଦୁଇ ଜିଲ୍ଲାର ଜଣେ ହେଲେ ବି ନେତାଙ୍କୁ ନିଆଯାଇନି। ଏହା ଦଳର ନେତାଙ୍କୁ ନିରୁତ୍ସାହିତ କରିଥିଲାବେଳେ କର୍ମୀଙ୍କ ପାଇଁ ଏକ ନକରାତ୍ମକ ବାର୍ତ୍ତା ଯାଇଛି।

ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ବଗ୍ରହଣ କରିବାର ପ୍ରାୟ ୪ ମାସ‌ ପରେ ମନମୋହନ ସାମଲ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି। ଏଥିରେ ୧୦ ଜଣ ଉପସଭାପତି ରହିଥିଲାବେଳେ ୫ ଜଣ ସାଧାରଣ ସଂପାଦକ ଅଛନ୍ତି। ୧୦ ଜଣଙ୍କୁ ସଂପାଦକ ଭାବେ ଦାୟିତ୍ବ ଦିଆଯାଇଛି। କମିଟିରେ ଜଣେ କୋଷାଧ୍ୟକ୍ଷ ଓ ଜଣେ ଯୁଗ୍ମ କୋଷାଧ୍ୟକ୍ଷ ରହିଛନ୍ତି। ଏହା ବାଦ୍‌ ବିଭିନ୍ନ ମୋର୍ଚ୍ଚାର ସଭାପତିଙ୍କ ନାମ ଘୋଷଣା ହୋଇଛି। ଏମିତି ୩୫ ଜଣିଆ ତାଲିକା ପ୍ରକାଶ ପାଇଥିଲାବେଳେ ଏଥିରେ ଅନୁଗୁଳ କିମ୍ବା ଢେଙ୍କାନାଳ ଜିଲ୍ଲାର କୌଣସି ନେତା ସ୍ଥାନ ପାଇନାହାନ୍ତି। ଏହା ପୂର୍ବରୁ ତାଳଚେରରୁ କାଳନ୍ଦୀ ସାମଲ ରାଜ୍ୟ ସଂପାଦକ ଭାବେ କାମ କରୁଥି‌ଲେ। ଅତୀତରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବହୁ ନେତା ରାଜ୍ୟ କମିଟି‌ରେ ଗୁରୁତ୍ବପୂର୍ଣ୍ଣ ପଦ, ପଦବିରେ କାମ କରିଛନ୍ତି।

ଦେବେନ୍ଦ୍ର ପ୍ରଧାନ ରାଜ୍ୟ ସଭାପତି ରହିଥିଲାବେଳେ ରୁଦ୍ରନାରାୟଣ ପାଣି ଦୀର୍ଘବର୍ଷ ଧରି ଉପସଭାପତି ଭାବେ ଦାୟିତ୍ବ ତୁଲାଇଛନ୍ତି। କୃଷ୍ଣଚନ୍ଦ୍ର ପାତ୍ର ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ କାମ କରିଛନ୍ତି। ଏମିତି ଦେଖିଲେ ଏହି ତାଲିକା ବେଶ୍‌ ଲମ୍ବା। କିନ୍ତୁ ମନମୋହନ ତାଙ୍କ ନୂଆ ଟିମ୍‌ରେ ଦୁଇ ଜିଲ୍ଲାରୁ କାହାକୁ ନ ନେବା ସ୍ଥାନୀୟ ନେତାଙ୍କୁ ଚକିତ କରିଛି। ଖୋଲାଖୋଲି ଭାବେ କେହି ପ୍ରତିକ୍ରିୟା ଦେଉ ନଥିଲେ ମଧ୍ୟ ପରୋକ୍ଷରେ ରାଜ୍ୟ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୃହ ଜିଲ୍ଲା ହୋଇଥିଲାବେଳେ ଏଥର ଧର୍ମେନ୍ଦ୍ର ଏଠାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। ଏହାକୁ ନେଇ ଦୁଇ ଜିଲ୍ଲାର ନେତା ଓ କର୍ମୀ ଉତ୍ସାହିତ ଅଛନ୍ତି। ରାଜ୍ୟସ୍ତରରେ ଦଳ ଭିତରେ ଚାଲିଥିବା ‌ଗୋଷ୍ଠୀ ବିବାଦ ପାଇଁ ଏଠାକାର ନେତା ବଳିପଡ଼ିଲେ ବୋଲି ଚର୍ଚ୍ଚ‌ା ହେଉଛି।

ଏପଟେ ଖୁବ୍‌ଶୀଘ୍ର ଜିଲ୍ଲା ସଭାପତି ପଦ ଘୋଷଣା ହେବ ବୋଲି ଜଣାପଡ଼ିଛି। ଅନୁଗୁଳ ଜିଲ୍ଲା ସଭାପତି ପଦ ପରିବର୍ତ୍ତନ ହେବାର ସମ୍ଭାବନା କମ୍‌ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ସଭାପତି ଥିବା ଡିଲେଶ୍ବର ପ୍ରଧାନଙ୍କୁ ଦଳ ପୁଣି ଭରସା କରିପାରେ। ନିର୍ବାଚନ ଲଢ଼ୁଥିବା ନେତାଙ୍କୁ ସଂଗଠନ ଦାୟିତ୍ବ ନ ଦେଇ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର