ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି କି ? ଏପ୍ରିଲ ପୂର୍ବରୁ କିଣିଦିଅନ୍ତୁ

ଭୁବନେଶ୍ବର : ଆପଣଙ୍କ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି କି ? ଆସନ୍ତା ଏପ୍ରିଲ ପୂର୍ବରୁ କିଣିଦିଅନ୍ତୁ । କାରଣ ଏପ୍ରିଲ ୧ ପରେ ଦେଶରେ ସ୍ମାର୍ଟଫୋନଗୁଡ଼ିକ ମହଙ୍ଗା ହୋଇଯିବ ।

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୧-୨୨ ପାଇଁ ଘୋଷଣା କରିଥିବା ବଜେଟରେ ସ୍ମାର୍ଟଫୋନ ଯନ୍ତ୍ରାଂଶ ଓ ଚାର୍ଜର ଉପରେ ସୀମା ଶୁଳକ ବଢାଇଦେଇଛନ୍ତି । କେବଳ ଏତିକି ନୁହେଁ, ଦେଶରେ କାରଖାନା ବସାଇ ସ୍ମାର୍ଟଫୋନ ଉତ୍ପାଦନ କରୁଥିବା ମୋବାଇଲ ଫୋନ କମ୍ପାନିମାନଙ୍କ ଉପରେ ମଧ୍ୟ ୨.୫ ପ୍ରତିଶତ ଟିକସ ବସାଇଛନ୍ତି । ଏହାଫଳରେ ଉଭୟ ଭାରତ ତିଆରି ଓ ଆମଦାନୀ ହୋଇଥିବା ସ୍ମାର୍ଟଫୋନ ଦର ବଢିବ । ସେହିପରି ମୋବାଇଲ ଫୋନ ଚାର୍ଜରର ସାର୍କିଟ ବୋର୍ଡ ଉପରେ ଉତ୍ପାଦ ଶୁଳକକୁ ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ ବଢାଯାଇଛି । ଫଳରେ ଚାର୍ଜର ଦର ବଢିବ ।

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଚୀନର ମୋବାଇଲ କମ୍ପାନିମାନେ କ୍ଷତି ସହିବେ । କାରଣ ଚୀନର କମ୍ପାନିମାନେ ସ୍ମାର୍ଟଫୋନ ନିଜ ଦେଶରୁ ଆମଦାନୀ କରନ୍ତି କିମ୍ବା ତାହାର ଯନ୍ତ୍ରାଂଶ ଭାରତକୁ ଆମଦାନୀ କରି ସେଗୁଡ଼ିକୁ ଆସେମ୍ବଲ କରନ୍ତି ।

ନିଜର ବଜେଟ ଅଭିଭାଷଣରେ ସୀତାରମଣ କହିଛନ୍ତି ଯେ ଭାରତ ବିଗତ କିଛି ବର୍ଷ ମଧ୍ୟରେ ମୋବାଇଲ ଫୋନ ଉତ୍ପାଦନ କ୍ଷେତ୍ରରେ ଅଗ୍ରଗତି ହାସଲ କରିଛି ଓ ଏବେ ବିଦେଶକୁ ମୋବାଇଲ ଫୋନ ରପ୍ତାନି କରୁଛି ।

ସମ୍ବନ୍ଧିତ ଖବର