ଧନୀଙ୍କ ବିରୋଧରେ ଚୀନ୍ର କଡ଼ା କାର୍ଯ୍ୟାନୁଷ୍ଠାନ, ରାଜନୀତିରେ ପ୍ରଭାବ ହ୍ରାସ ପାଉଛି
ଦାତବ୍ୟ କାର୍ଯ୍ୟରେ ଅଧିକ ବ୍ୟୟ କରିବାକୁ ଚାପ
ନୂଆଦିଲ୍ଲୀ: ପ୍ରଥମେ ଆଲିବାବା ମୁଖ୍ୟ ଜ୍ୟାକ୍ ମା’ଙ୍କୁ ଚୁପ୍ କରିବା ପରେ ଚୀନ୍ ସରକାର ଅନ୍ୟ ଧନୀମାନଙ୍କ ସ୍ବର ଦବାଇବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ସରକାରଙ୍କ ଦ୍ବିତୀୟ ଶିକାର ହୋଇଛି ସେଠାକାର ଉବର୍ ଭଳି ସଂସ୍ଥା ଦିଦିର ମାଲିକ। ଧନୀମାନଙ୍କ ବିରୋଧରେ ଚୀନ୍ ସରକାର ଏକ ସ୍ବତନ୍ତ୍ର ଅଭିଯାନ ଜାରି ରଖିଥିବା ଭଳି ମନେ ହେଉଛି। ସୋସିଆଲ୍ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହୁଥିବା ଜ୍ୟାକ୍ ମା’ଙ୍କୁ ଆଠ ମାସ ହେଲାଣି ସର୍ବସାଧାରଣରେ ଦେଖିବାକୁ ମିଳୁନାହିଁ। ଆମେରିକା ପରେ ଚୀନ୍ ହେଉଛି ଦ୍ବିତୀୟ ଦେଶ ଯାହା ସର୍ବାଧିକ ସଂଖ୍ୟକ ବିଲିଓନେୟାର (୧୦୦ କୋଟି ଡଲାରରୁ ଅଧିକ ସମ୍ପତ୍ତିର ମାଲିକ) ସୃଷ୍ଟି କରୁଥିଲା। କିନ୍ତୁ ୨୦୨୧ରେ ସେଥିରେ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଛି। ବିଶ୍ବର ଅନ୍ୟ ସବୁ ଦେଶରେ ଧନୀ ଲୋକମାନଙ୍କ ସମ୍ପତ୍ତି ବଢ଼ିଥିବା ବେଳେ ଚୀନ୍ର ପ୍ରମୁଖ ଧନୀମାନଙ୍କ ସମ୍ପତ୍ତି ହ୍ରାସ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୨୧ର ପ୍ରଥମ ଛଅ ମାସରେ ବିଶ୍ବର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତି ନିଜ ସମ୍ପତ୍ତିରେ ୨୦,୯୦୦ କୋଟି ଡଲାର ଯୋଡ଼ିଛନ୍ତି। ଏହି ସମୟରେ ଚୀନ୍ର ଧନୀ ବ୍ୟକ୍ତିମାନେ ୧୯୦୦ କୋଟି ଡଲାର ହରାଇଛନ୍ତି। ଛଅ ବର୍ଷ ପରେ ଚୀନ୍ର ପ୍ରମୁଖ କଂପାନିଗୁଡ଼ିକର ସେୟାର ମୂଲ୍ୟ ହ୍ରାସ ପାଇଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଚୀନ୍ ଷ୍ଟକ ବଜାର ସୂଚୀ ବୃଦ୍ଧି ପାଉଥିବା ବେଳେ ଏହି କଂପାନିଗୁଡ଼ିକର ସେୟାର ହ୍ରାସ ପାଉଛି। ଚୀନ୍ର ପ୍ରମୁଖ ଧନୀ ବ୍ୟକ୍ତି ଯଥା ଲି ସୁ ଫୁ, ୱିଲିୟମ୍ ଡିଙ୍ଗ୍, କିନ୍ ୟିଙ୍ଗଲିଙ୍ଗ୍, ୟାଙ୍ଗ୍ ହୁୟାନ୍, ଜ୍ୟାକ୍ ମା’, ପୋନି ମା’, ଲି ଜୁନ୍, ହି ଜିଆଙ୍ଗଜିଆନ୍, ଝଙ୍ଗ୍ ସାନ୍ସାନ୍ ଓ କୋଲିନ୍ ହୁଆଙ୍ଗ୍ଙ୍କ ସମ୍ପତ୍ତିରେ ହ୍ରାସ ଘଟିଛି ବୋଲି ବ୍ଲୁମ୍ବର୍ଗ ବିଲିଓନେୟାର ସୂଚୀରୁ ଜଣାପଡ଼ିଛି।
ଗତବର୍ଷ ନଭେମ୍ବର ଠାରୁ ଧନୀମାନଙ୍କ ବିରୋଧରେ ଚୀନ୍ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ପ୍ରଥମ ଶିକାର ଥିଲେ ଜ୍ୟାକ୍ ମା’। ତାଙ୍କ କଂପାନି ଆଣ୍ଟ୍ ଗ୍ରୁପ୍ ଏକ ବିଶାଳ ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ ଷ୍ଟକ ବଜାରରେ ପ୍ରବେଶ କରିବାକୁ ଯାଉଥିବା ବେଳେ ତାଙ୍କ ଉପରେ କଟକଣା ଲଗାଯାଇଥିଲା। ଆର୍ଥିକ ସେବା ଠାରୁ ଆରମ୍ଭ କରି ଇଣ୍ଟରନେଟ୍କୁ ମାଧ୍ୟମ କରି କାରବାର କରୁଥିବା ସଂସ୍ଥା ଓ ଡାଟା ସଂଗ୍ରହ କରୁଥିବା କଂପାନିଗୁଡ଼ିକ ଚୀନ୍ ସରକାରଙ୍କ ଟାର୍ଗେଟ୍ରେ ଅଛନ୍ତି। ବିଦେଶ ଷ୍ଟକ ବଜାରରେ କାରବାର କରିବାକୁ ଆଗ୍ରହ ପ୍ରକାଶ କରୁଥିବା କଂପାନିଗୁଡ଼ିକ ଲାଗି ଚୀନ୍ ଏହାର ନୀତିକୁ କଡ଼ାକଡ଼ି କରିଛି। ବିଦେଶ ଷ୍ଟକ ବଜାରକୁ ଯିବା ପୂର୍ବରୁ ସେମାନଙ୍କୁ ସାଇବର୍ ନିରାପତ୍ତା ସମୀକ୍ଷା ଦେଇ ଗତି କରିବାକୁ ପଡ଼ିବ। କୌଣସି ନିର୍ଦିଷ୍ଟ କଂପାନି ପାଖରେ ଦେଶବାସୀଙ୍କ ବିପୁଳ ତଥ୍ୟ ରହୁ ବୋଲି ଚୀନ୍ ଚାହୁନାହିଁ। ସେହିପରି, ଆର୍ଥିକ ବଜାରରେ ସ୍ଥିରତା ବଜାୟ ରଖିବା ଲାଗି ଡିଜିଟାଲ୍ ଋଣ ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ଉପରେ କଟକଣା ଲଗାଯାଉଛି। କୌଣସି ନିର୍ଦିଷ୍ଟ କଂପାନି ହାତରେ ସମଗ୍ର ପ୍ରଯୁକ୍ତି ବ୍ୟବସାୟ ରହୁ ବୋଲି ମଧ୍ୟ ଚୀନ୍ ଚାହୁନାହିଁ।
ଚୀନ୍ରେ ଧନୀ ଓ ଗରିବଙ୍କ ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇଥିବାରୁ ତାହାକୁ ନେଇ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଚିନ୍ତା ପ୍ରକଟ କରିଥିଲେ। ଗତ ଅକ୍ଟୋବରରେ ଏକ ଅଭିଭାଷଣରେ ସେ ଏବିଷୟରେ ଆଲୋଚନା କରି ବିକାଶ ପ୍ରକ୍ରିୟା ସନ୍ତୁଳିତ ନୁହେଁ ଏବଂ ସର୍ବସାଧାରଣଙ୍କ ସମୃଦ୍ଧି ହେଉଛି ସରକାରଙ୍କ ଲକ୍ଷ୍ୟ ବୋଲି କହିଥିଲେ। ସେହି ଲକ୍ଷ୍ୟ ହାସଲ କରିବା ଲାଗି ଧନୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ବ୍ୟବସାୟ ପ୍ରଭାବିତ ହେବାର ଆଶଙ୍କା ଥିଲେ ମଧ୍ୟ ଦାତବ୍ୟ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବା ଏବଂ ତଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ କଲ୍ୟାଣ ପ୍ରତି ଅଧିକ ଧ୍ୟାନ ଦେବାକୁ ବଡ଼ ବଡ଼ କଂପାନିଗୁଡ଼ିକୁ କୁହାଯାଇଛି। କର୍ମଚାରୀମାନଙ୍କୁ ଅଧିକ ସମୟ ଖଟାଉଥିବା ଇ-କମର୍ସ ସଂସ୍ଥା ଫିଣ୍ଡୁଡୁର ମୁଖ୍ୟ କୋଲିନ୍ ହୁଆଙ୍ଗ୍ ଉପରେ ଚାପ ପଡ଼ିବାରୁ ସେ ଅଧ୍ୟକ୍ଷ ଓ ସିଇଓ ପଦ ପରିତ୍ୟାଗ କରିଛନ୍ତି ଓ ନିଜର ବିପୁଳ ପରିମାଣର ସେୟାର ଦାନ କରିଛନ୍ତି।
ସେହିପରି ଟିକ୍ଟକ୍ର ମାଲିକ ଝାଙ୍ଗ୍ ୟିମିଙ୍ଗ୍ ସିଇଓ ପଦରୁ ହଟିବେ ଓ ଅଧିକ ସମୟ ଶିକ୍ଷା କ୍ଷେତ୍ରରେ ଦାତବ୍ୟ କାର୍ଯ୍ୟ କରିବା ଲାଗି ଦେବେ। ଚଳିତ ବର୍ଷ ମେ’ରେ ଏକ ୧୧୦୦ ବର୍ଷ ପରୁଣା କବିତାର କିଛି ଶବ୍ଦକୁ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିବା ପରେ ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ମିଟୁଆନ୍ର ଅଧ୍ୟକ୍ଷ ୱାଙ୍ଗ୍ ଜିଙ୍ଗ୍ଙ୍କୁ ଆଉ ଦେଖିବାକୁ ମିଳୁନାହିଁ। ଅତି ସାଧାରଣ ଜୀବନଯାପନ କରିବା ଲାଗି ତାଙ୍କ ଉପରେ ସରକାର ଚାପ ପକାଇଥିବା କୁହାଯାଉଛି। ଚୀନ୍ରେ ଧନୀମାନଙ୍କ ରାଜନୈତିକ ପ୍ରଭାବକୁ ହ୍ରାସ କରିବା ଦିଗରେ ମଧ୍ୟ ଗୁରୁତ୍ବ ଦିଆଯାଉଛି। ସେଥିପାଇଁ ନ୍ୟାସନାଲ୍ ପିପୁଲସ୍ କଂଗ୍ରେସ (ଏନ୍ପିସି) ଓ ଚାଇନିଜ୍ ପିପିୁଲସ୍ ପଲିଟିକାଲ୍ କନ୍ସଲ୍ଟେଟିଭ୍ କନଫରେନ୍ସ (ସିପିପିସିସି)ରେ ଧନୀମାନଙ୍କ ପ୍ରତିନିଧିତ୍ବ ୫% ଭଳି ନିମ୍ନ ସ୍ତରକୁ ହ୍ରାସ ପାଇଛି। ୨୦୧୩ରେ ଏହି ହାର ୧୫%ରୁ ଉଚ୍ଚ ସ୍ତରରେ ଥିଲା।