ଦରଦାମ୍ ସ୍ଥିତିରେ ସୁଧାର: ୫.୮୮%କୁ ଖସିଲା ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ଦୀର୍ଘ ୧୦ ମାସର ଅପେକ୍ଷା ପରେ ଦେଶରେ ଦରଦାମ୍‌ରେ ସୁଧାର ଘଟିଛି। ନଭେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୮୮%କୁ ହ୍ରାସ ପାଇଛି। ଅକ୍ଟୋବରରେ ଏହି ହାର ୬.୭୭% ଥିଲା। ରୁଷ୍‌-ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ବବ୍ୟାପୀ ଦରଦାମ୍ ସ୍ଥିତି ବେଲଗାମ ହୋଇଥିଲା ଏବଂ ତାହାର ପ୍ରତିଫଳନ ଭାରତରେ ମଧ୍ୟ ଦେଖିବାକୁ ମିଳିଥିଲା। ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦାମ୍‌କୁ ନିୟନ୍ତ୍ରଣରେ ରଖିବାରେ ରିଜର୍ଭ ବ୍ୟାଙ୍କ ବିଫଳ ହୋଇଥିଲା। ଦୀର୍ଘଦିନ ସଂଘର୍ଷ କରିବା ପରେ ଦରଦାମ୍ ସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି।

ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୬% ସୀମା ତଳକୁ ଏହା ଆସିଛି। କିଛି ଦିନ ପୂର୍ବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ ଦରଦାମ୍‌ର ଖରାପ ସ୍ଥିତି ଆଉ ନାହିଁ। ଆମେ ସେହି ସମୟ ଅତିକ୍ରମ କରିସାରିଛୁ। ତାଙ୍କ କଥାର ପ୍ରତିଫଳନ ଆଜି ମୁଦ୍ରାସ୍ଫୀତି ତଥ୍ୟରେ ଦେଖିବାକୁ ମିଳିଛି। ନଭେମ୍ବରରେ ଖାଦ୍ୟ ସାମଗ୍ରୀ ଦାମ୍ ହ୍ରାସ ପାଇବାରୁ ଦରଦାମ୍ ସ୍ଥିତିରେ ସୁଧାର ଘଟିଛି। ଖାଦ୍ୟ ମୁଦ୍ରାସ୍ଫୀତି ୭.୦୧%ରୁ ୪.୬୭%କୁ ହ୍ରାସ ପାଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ ହ୍ରାସ ପାଇବାରୁ ଭାରତରେ ମୁଦ୍ରାସ୍ଫୀତି କମ୍ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର