ପ୍ରଦୂଷଣରେ ଅତିଷ୍ଠ ହୋଇ ଚରମ ପଦକ୍ଷେପ: ଦେହରେ ନିଆଁ ଲଗାଇଲେ, ଅବସ୍ଥା ସଙ୍କଟାପନ୍ନ

ଶରୀର ୮୦% ପୋଡ଼ିଛି, ହସ୍ପିଟାଲରେ ଭର୍ତ୍ତି

ଧନକଉଡ଼ା : ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ କଳାମାଟି ପଞ୍ଚାୟତ କର୍ଣ୍ଣ ପାଲିରେ ଥିବା ଶ୍ରୀରାମ ରାଇସମିଲ୍‌ ପରିସରରେ ଦେହରେ କିରାସିନି ଢାଳି, ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଉକ୍ତ ଗ୍ରାମର ଗୁଣନିଧି ଅମାତ (୪୬)। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ଧାନ ଗୁଣ୍ଡ ଓ ପାଉଁଶ ପ୍ରଦୂଷଣରେ ଅତିଷ୍ଠ ହୋଇ ସେ ଏହିଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।

କର୍ଣ୍ଣପାଲି ଗ୍ରାମ ଶ୍ରୀରାମ ରାଇସ ମିଲ୍‌ ପଛପଟେ ଗୁଣନିଧିଙ୍କ ଘର ଅବସ୍ଥିତ। ଏଭଳି ପରିସ୍ଥିତିରେ ଉକ୍ତ ରାଇସ ମିଲ୍‌ରୁ ନିର୍ଗତ ଧାନ ଗୁଣ୍ଡ ଓ ପାଉଁଶ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ପରିସରରେ ପଡୁଛି। ଯାହାଫଳରେ ଘର ଭିତରେ ରହିବା, ଖାଇବା, ଶୋଇବା ସମ୍ଭବପର ହେଉନାହିଁ। ଏହିସବୁ ସମସ୍ୟାକୁ ନେଇ ଗୁଣମଣି ଓ ତାଙ୍କ ପରିବାର ଲୋକେ ଅନେକଥର ଏହି ମିଲ୍‌ ମାଲିକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ଅତିଷ୍ଠ ହୋଇ ସେ ଆତ୍ମାହୁତି ଚରମ ପଦକ୍ଷେପ ନେଇଥିବା ଜଣାଯାଇଛି।


ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସେ ଦିନ ପ୍ରାୟ ୨ଟା ବେଳେ ମିଲ୍‌ର ମୁଖ୍ୟ ଫାଟକ ଦେଇ ଅଫିସ ସମ୍ମୁଖକୁ ଯାଇ ପ୍ରତିବାଦ କରିବା ସହ ପାଟି କରିଥିଲେ। ପରେ ସାଙ୍ଗରେ ନେଇଥିବା କିରାସିନି ନିଜ ଦେହରେ ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ। ଉପସ୍ଥିତ ମିଲ୍‌ର କର୍ମଚାରୀମାନେ କିଛି କରିବା ପୂର୍ବରୁ ତାଙ୍କ ଶରୀରର ଅଧିକାଂଶ ଭାଗ ଜଳି ଯାଇଥିଲା। ସେଠାରେ ଉପସ୍ଥିତ ଲୋକେ ନିଆଁ ଲିଭାଇ ତୁରନ୍ତ ମିଲ ମାଲିକଙ୍କ ଗାଡ଼ିରେ ବୁର୍ଲା ମେଡିକାଲକୁ ନେଇଥିଲେ। ତାଙ୍କ ଶରୀରର ୮୦ ଭାଗ ପୋଡ଼ି ଯାଇଥିବା ଓ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ତେବେ, ଏ ସଂପର୍କରେ ମିଲ୍‌ ମାଲିକ ବିକି ଅଗ୍ରୱାଲ କହିଛନ୍ତି, ସେ ପାଞ୍ଚ ବର୍ଷ ହେଲା ରାଇସ ମିଲ୍‌ କିଣିଥିବା ବେଳେ ଦାୟିତ୍ବ ନେବାପରେ ଯଥାସମ୍ଭବ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି। ଗୁଣନିଧିଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବାକୁ ଶ୍ରୀ ଅଗ୍ରୱାଲ ପ୍ରତିକ୍ରିୟାରେ କହିଛନ୍ତି।

ଖବର ପାଇ ସ୍ଥାନୀୟ ସରପଞ୍ଚ ସୁଷମା ସାହୁ, ବିଜେପି ନେତା ରାଧେଶ୍ୟାମ ପଧାନଙ୍କ ସମେତ ବହୁ ଲୋକ ବୁର୍ଲା ମେଡିକାଲ ଯାଇ ଗୁଣନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝଥିଲେ। ଏ ସମ୍ପର୍କରେ ପରିବାର ପକ୍ଷରୁ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଘଟଣାଟି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ୟ ଯେ ଗୁଣନିଧି ଜଣେ ଛୋଟ ଚାଷୀ ଓ ତାଙ୍କର ପରିବାରେ ସ୍ତ୍ରୀ ଏବଂ ଦୁଇ ପୁଅ ଅଛନ୍ତି।

ସମ୍ବନ୍ଧିତ ଖବର