ଜାପାନକୁ ଟପିଲା ଭାରତ

ଇସ୍ପାତ ଉତ୍ପାଦନ

ନୂଆଦିଲ୍ଲୀ: ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଭାରତ ଏବେ ବିଶ୍ବରେ ଦ୍ବିତୀୟ ସ୍ଥାନ ହାସଲ କରିଛି। ଜାପାନକୁ ପଛରେ ପକାଇ ଭାରତ ଏହି ସ୍ଥାନ ପାଇଛି। ବିଶ୍ବ ଇସ୍ପାତ ସଂଘ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି। ତେବେ ଚୀନ୍ ଏବେ ବି ସମଗ୍ର ବିଶ୍ବର ପ୍ରାୟ ୫୧ ପ୍ରତିଶତ ଇସ୍ପାତ ଉତ୍ପାଦନ କରି ପ୍ରଥମ ସ୍ଥାନରେ ରହିଛି। ୨୦୧୮ରେ ଚୀନର ଇସ୍ପାତ ଉତ୍ପାଦନ ୬.୬% ବୃଦ୍ଧି ଘଟି ୯୨୮.୩ ନିୟୁତ ଟନରେ ପହଞ୍ଚିଛି। ଭାରତର ଇସ୍ପାତ ଉତ୍ପାଦନ ୨୦୧୭ ତୁଳନାରେ ୨୦୧୮ରେ ୪.୯% ବୃଦ୍ଧି ଘଟି ୧୦୬.୫ ନିୟୁତ ଟନରେ ପହଞ୍ଚିଛି। ତେବେ ଜାପାନର ଇସ୍ପାତ ଉତ୍ପାଦନ ଗତବର୍ଷ ୦.୩% ହ୍ରାସ ଘଟି ୧୦୪.୩ ନିୟୁତ ଟନ ରହିଛି। ବିଶ୍ବରେ ‌ଗତବର୍ଷ ମୋଟ ଇସ୍ପାତ ଉତ୍ପାଦନ ୧୮୦୮.୬ ନିୟୁତ ଟନକୁ ବୃଦ୍ଧି ପାଇଛି। ୨୦୧୭ରେ ଏହା ୧୭୨୯.୮ ନିୟୁତ ଟନ୍ ରହିଥିଲା। ବିଶ୍ବରେ ଗତବର୍ଷ ଅଧିକ ଇସ୍ପାତ ଉତ୍ପାଦନ କରି ପ୍ରଥମ ୧୦ଟି ସ୍ଥାନ ମଧ୍ୟରେ ଅନ୍ୟ ଯେଉମାନେ ସ୍ଥାନ ପାଇଛନ୍ତି ସେମାନେ ହେଲେ ଯୁକ୍ତରାଷ୍ଟ୍ର ଆମେରିକା ଚତୁର୍ଥ ( ୮୬.୭ ନିୟୁତ ଟନ), ଦକ୍ଷିଣ କୋରିଆ ପଞ୍ଚମ (୭୨.୫ ନିୟୁତ ଟନ), ରୁଷିଆ ଷଷ୍ଠ ( ୭୧.୭ ନିୟୁତ ଟନ), ଜର୍ମାନୀ ସପ୍ତମ (୪୨.୪ ନିୟୁତ ଟନ), ତୁର୍କୀ ଅଷ୍ଟମ ( ୩୭.୩ ନିୟୁତ ଟନ), ବ୍ରାଜିଲ ନବମ ( ୩୪.୭ ନିୟୁତ ଟନ) ଏବଂ ଇରାନ ଦଶମ ( ୨୫ ନିୟୁତ ଟନ)।

ସମ୍ବନ୍ଧିତ ଖବର