ବିଦେଶୀଙ୍କ ପାଇଁ ଖୋଲିଲେ ବଜାର, ଅନେକ କ୍ଷେତ୍ରର ଏଫ୍‌ଡିଆଇ ନିୟମ କୋହଳ

ନୂଆଦିଲ୍ଲୀ : ବିଦେଶୀ ନିବେଶକଙ୍କ ନିମନ୍ତେ ଭାରତକୁ ଏକ ଆକର୍ଷଣୀୟ ନିବେଶ ସ୍ଥଳରେ ପରିଣତ କରିବା ଲାଗି କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅନେକ କ୍ଷେତ୍ରର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ନିୟମକୁ କୋହଳ କରାଯାଇଛି। ଏହି ସବୁ ନିଷ୍ପତ୍ତି ଯୋଗୁ ବିଦେଶୀ ନିବେଶକଙ୍କ ପାଇଁ ଭାରତ ଆକର୍ଷଣୀୟ ସ୍ଥାନ ଭାବେ ଉଭା ହେବ। ଏଥି ସହିତ ଦେଶକୁ ବିପୁଳ ପରିମାଣର ବିଦେଶୀ ପୁଞ୍ଜି ଆସିପାରିବ ବୋଲି କୁହାଯାଉଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ କମିଟି ବୈଠକରେ ‌ଅଟୋମେଟିକ୍ ରୁଟ୍‌ରେ କୋଇଲା ଖଣି ଲାଗି ୧୦୦% ଏଫ୍‌ଡିଆଇ ମଞ୍ଜୁର କରାଯାଇଛି। କୋଇଲା ଖଣି, ବିକ୍ରି ଏବଂ ତତ୍‌ ସମ୍ପର୍କିତ ଭିତ୍ତିଭୂମି ବିକଶିତ କରିବା ଦିଗରେ ୧୦୦ ପ୍ରତିଶତ ବିଦେଶୀ ପୁଞ୍ଜି ବ୍ୟବହାର କରାଯାଇପାରିବ। ଏହା ଦ୍ବାରା କୋଇଲା କ୍ଷେତ୍ରକୁ ବଡ଼ ଧରଣର ଶକ୍ତି ମିଳିବ।

ଆମେରିକା ଓ ଚୀନ୍‌ ମଧ୍ୟରେ ଚାଲିଥିବା ବାଣିଜ୍ୟ ଲଢ଼େଇ ଯୋଗୁ ଅନେକ ସଂସ୍ଥା ସେମାନଙ୍କ ବ୍ୟବସାୟ ସ୍ଥଳକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଚାହୁଛନ୍ତି। ସେହିଭଳି ସଂସ୍ଥାଗୁଡ଼ିକୁ ଭାରତ ଆଣିବା ଲାଗି ସରକାର ଉଦ୍ୟମ କରିଛନ୍ତି। କଣ୍ଟ୍ରାକ୍ଟ ମାନୁଫାକ୍‌ଚରିଂରେ ୧୦୦% ଏଫ୍‌ଡିଆଇ ମଞ୍ଜୁରି ପ୍ରଦାନ କରାଯାଇଛି। ଏହା ଦ୍ବାରା ଅନେକ ସଂସ୍ଥା ସେମାନଙ୍କ କଣ୍ଟ୍ରାକ୍ଟ ମାନୁଫାକ୍‌ଚରିଂ କାରଖାନାକୁ ଭାରତରେ ସ୍ଥାପନ କରି ଲାଭବାନ ହୋଇପାରିବେ। ଏହା ଦ୍ବାରା ଦେଶ ଭିତରେ ମାନୁଫାକ୍‌ଚରିଂ କାର୍ଯ୍ୟକଳାପ ବୃଦ୍ଧି ପାଇବ।

ଖୁଚୁରା କ୍ଷେତ୍ର ଲାଗି ମଧ୍ୟ ବଡ଼ ଧରଣର ଘୋଷଣା କରାଯାଇଛି। ସିଙ୍ଗଲ୍ ବ୍ରାଣ୍ଡ୍ ଓ ମଲ୍‌ଟି ବ୍ରାଣ୍ଡ୍‌ ରିଟେଲ୍‌ କ୍ଷେତ୍ରରେ ଲୋକାଲ୍ ସୋର୍ସିଂ ନିୟମକୁ କୋହଳ କରାଯାଇଛି। ଏହି ସଂସ୍ଥାଗୁଡ଼ିକ ଲାଗି ୩୦% ସାମଗ୍ରୀ ସ୍ଥାନୀୟ ଉତ୍ସରୁ କିଣିବା ବାଧ୍ୟତାମୂଳକ କରାଯାଇଛି। ପ୍ରଚଳିତ ନିୟମ ଅନୁସାରେ ପ୍ରତିବର୍ଷ ସଂସ୍ଥାଗୁଡ଼ିକୁ ଏହି ନିୟମ ପାଳନ କରିବାକୁ ପଡ଼ୁଥିଲା ଯାହା ସେମାନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଥିଲା ବୋଲି ସେମାନେ ନିୟମିତ ବ୍ୟବଧାନରେ ଅଭିଯୋଗ କରୁଥିଲେ। ଏବେ ଆଉ ସେମାନଙ୍କୁ ପ୍ରତିବର୍ଷ ଏହି ନିୟମ ପାଳନ କରିବାକୁ ପଡ଼ିବ ନାହିଁ। ‌ବର୍ଷିକିଆ ଅବଧିକୁ ପାଞ୍ଚ ବର୍ଷ କରିଦିଆଯାଇଛି। ଗତବର୍ଷ ସରକାର ସିଙ୍ଗଲ୍‌ ବ୍ରାଣ୍ଡ୍‌ ରିଟେଲ୍‌ କ୍ଷେତ୍ରରେ ୧୦୦% ଏଫ୍‌ଡିଆଇ ମଞ୍ଜୁର କରିଥିଲେ। ବିଦେଶୀ ରିଟେଲ୍‌ ସଂସ୍ଥାଗୁଡ଼ିକ ଦେଶ ଭିତରେ ନିଜ ଷ୍ଟୋର୍‌ ସ୍ଥାପନ କରିବା ପୂର୍ବରୁ ଅନଲାଇନ୍‌ରେ କାରବାର କରିପାରିବେ। ଆଜିର କ୍ୟାବିନେଟ୍ କମିଟି ‌ବୈଠକରେ ସେହି ଅନୁମତି ପ୍ରଦାନ କରାଯାଇଛି।।

ଡିଜିଟାଲ୍ ମିଡିଆରେ ୨୬% ଏଫ୍‌ଡିଆଇକୁ ମଞ୍ଜୁରି ଦିଆଯାଇଛି। ତେଣୁ ଆଗାମୀ ଦିନରେ ଡିଜିଟାଲ୍ ମିଡିଆ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶର ଆଗମନ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର