ଛଟେଇ ରୋକିବାକୁ ଆମେରିକା, ୟୁରୋପର ପଦକ୍ଷେପ : କଂପାନି କର୍ମଚାରୀଙ୍କ ଦରମା ଦେଉଛନ୍ତି ସରକାର

ନୂଆଦିଲ୍ଲୀ : କରୋନା ବିଶ୍ବ ମହାମାରୀର ପ୍ରଭାବ ସବୁ କ୍ଷେତ୍ର ଉପରେ ପଡ଼ିଛି। ବ୍ୟବସାୟ ଜଗତ ମଧ୍ୟ ଏହା ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ସେମାନଙ୍କ ଆୟ ଠପ୍ ହୋଇଯାଇଥିବା ବେଳେ କର୍ମଚାରୀଙ୍କୁ ଦରମା ଦେବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଶିଳ୍ପ ଓ ବ୍ୟବସାୟ ଜଗତକୁ ସାହାଯ୍ୟ କରିବା ଲାଗି ଆମେରିକା ଓ ୟୁରୋପ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଆମେରିକା ସରକାର ଯେଉଁ ପ୍ୟାକେଜ୍ ଘୋଷଣା କରିଛନ୍ତି ସେଥିରେ ବହୁତ ସୁବିଧା ରହିଛି। ‌ସେଠାକାର ସରକାର ସାଧାରଣ ଲୋକଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) କରୁଛନ୍ତି। ବ୍ୟବସାୟ ଜଗତକୁ ମଜୁରି ଉପରେ ସବ୍‌ସିଡି ମଧ୍ୟ ଦେଉଛନ୍ତି। ଆମେରିକାରେ ବର୍ଷକୁ ୭୫ ହଜାର ଡଲାର୍‌ରୁ କମ୍ ଆୟ କରୁଥିବା ଲୋକମାନଙ୍କୁ ସରକାର ଏକକାଳୀନ ୧୨୦୦ ଡଲାର ଦେଇଛନ୍ତି। ଯେଉଁ ପରିବାରରେ ୧୬ ବର୍ଷରୁ କମ୍ ବୟସର ସନ୍ତାନ ଅଛନ୍ତି ସେହି ପରିବାରକୁ ଅଧିକ ୫୦୦ ଡଲାର ଦିଆଯାଉଛି। ସେହିପରି, ୫୦୦ରୁ କମ୍ କର୍ମଚାରୀଙ୍କୁ ନେଇ କାରବାର କରୁଥିବା ସଂସ୍ଥାଗୁଡ଼ିକୁ ଆମେରିକା ସରକାର ୧୦ ନିୟୁତ ଡଲାର ପର୍ଯ୍ୟନ୍ତ ଋଣ ଦେଉଛପନ୍ତି। ସେହି ଋଣର ୭୫% ଅର୍ଥକୁ କର୍ମଚାରୀଙ୍କ ବେତନ ଦେବା, କର୍ମଚାରୀଙ୍କୁ ନିଜ ପାଖରେ ରଖିବା ଏବଂ ଆବଶ୍ୟକ ସ୍ଥଳେ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଲାଗି ଖର୍ଚ୍ଚ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ କଂପାନିଗୁଡ଼ିକ ଏହି ସର୍ତ୍ତ ଉଲ୍ଲଂଘନ କରୁଛନ୍ତି ଦୁଇ ମାସ ପରେ ସେମାନଙ୍କୁ ବଳକା ଅର୍ଥରାଶି ଦିଆଯାଉନାହିଁ। ଆମେରିକାର ପ୍ୟାକେଜ୍‌ରେ ମଧ୍ୟ ତ୍ରୁଟି ରହିଛି। ସାଧାରଣ ଲୋକଙ୍କୁ ଦିଆଯାଇଥିବା ଆର୍ଥିକ ସହାୟତା ଯଥେଷ୍ଟ ନୁହେଁ ବୋଲି ଅର୍ଥନୀତିଜ୍ଞମା‌ନେ କହିଛନ୍ତି। ସେହିପରି ସଂସ୍ଥାଗୁଡ଼ିକ ଲାଗି ଯେଉଁ ଋଣ ସୁବିଧା ଘୋଷଣା କରାଯାଇଛି ମାତ୍ର ୨୯ ପ୍ରତିଶତ କ୍ଷୁଦ୍ର ବ୍ୟାବସାୟିକ ସଂସ୍ଥା ତାହାର ଲାଭ ପାଇଛନ୍ତି।

କରୋନା ମୁକାବିଲା ଲାଗି ଭାରତ ସରକାର ଯେଉଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ସେଥିରେ ମଜୁରି ପାଇଁ ସବ୍‌ସିଡିର ବ୍ୟବସ୍ଥା ନାହିଁ। ୟୁରୋପୀୟ ଦେଶଗୁଡ଼ିକ କିନ୍ତୁ କଂପାନି କର୍ମଚାରୀଙ୍କ ଚାକିରିର ସୁରକ୍ଷା ଲାଗି ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି। ଜର୍ମାନିରେ କଂପାନିଗୁଡ଼ିକ କର୍ମଚାରୀଙ୍କ ୬୦ ପ୍ରତିଶତ ପର୍ଯ୍ୟନ୍ତ ମୌଳିକ ବେତନ ପ୍ରଦାନ କରିବା ଲାଗି ସରକାର ସହାୟତା ପାଉଛନ୍ତି। ନେଦରଲ୍ୟାଣ୍ଡ୍‌ରେ କର୍ମଚାରୀଙ୍କ ବେତନ ବିଲ୍‌ର ୯୦ ପ୍ରତିଶତ ଭାଗ ସରକାର ବହନ କରୁଥିବା ବେଳେ ଫ୍ରାନ୍ସରେ ଏହି ହାର ୮୪ ପ୍ରତିଶତ ରହିଛି। ବ୍ରିଟେନ୍‌ ସରକାର ମଧ୍ୟ କର୍ମଚାରୀଙ୍କ ବେତନର ୮୦ ପ୍ରତିଶତ ଖର୍ଚ୍ଚ ଭାଗ ବହନ କରୁଛନ୍ତି। ଏକ ବ୍ରୋକିଙ୍ଗ୍‌ ସଂସ୍ଥା ମତରେ କର୍ମଚାରୀଙ୍କୁ ଛଟେଇ କରିବା ଏକ ଭୁଲଏ ଚିନ୍ତାଧାରା। ସ୍ବଳ୍ପ ସମୟର ସଙ୍କଟ ପାଇଁ କର୍ମଚାରୀଙ୍କୁ ବିଦା କରିବା ପରେ ପୁଣି ସେହି ସ୍ଥାନରେ କୁଶଳୀ ଓ ଦକ୍ଷ କର୍ମଚାରୀ ନିଯୁକ୍ତ କରିବା କଂପାନିଗୁଡ଼ିକ ଲାଗି କଷ୍ଟକର ହୋଇପଡ଼ିବ। ସେହିପରି, ଅନ୍ୟ କିଛି ବିଶେଷଜ୍ଞ କହିଛନ୍ତି ଯେ, କର୍ମଚାରୀମାନଙ୍କ ବତେନ ଖର୍ଚ୍ଚ ସରକାର ବହନ କରିବା ଏକ ସ୍ବଳ୍ପମିଆଦୀ ସମାଧାନ ମାତ୍ର।

ସମ୍ବନ୍ଧିତ ଖବର