ପ୍ରତି ୧୦୦ ଟଙ୍କା ଆୟରେ ୯୭ ଟଙ୍କା ୪୫ ପଇସା ବ୍ୟୟ

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବ ଲାଗି ରହିଥିବା ବେଳେ ଭାରତୀୟ ରେଳ ଏହାର ପରିଚାଳନା ଅନୁପାତରେ ଉନ୍ନତି ଆଣିପାରିଛି। ୨୦୨୦-୨୧ରେ ରେଳବାଇର ପରିଚାଳନା ଅନୁପାତ ୯୭.୪୫ ପ୍ରତିଶତ ରହିଛି। ଅର୍ଥାତ ପ୍ରତି ୧୦୦ ଟଙ୍କା ଆୟ କରିବା ଲାଗି ଏହା ୯୭ ଟଙ୍କା ୪୫ ପଇସା ବ୍ୟୟ କରିଛି। ୨୦୧୯-୨୦ରେ ଏହି ଅନୁପାତ ୯୮ ଟଙ୍କା ୩୬ ପଇସା ଥିଲା। ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବା ସହ ଖର୍ଚ୍ଚ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦେଇ ରେଳବାଇ ପରିଚାଳନା ଅନୁପାତ କମ୍ କରିବାରେ ସଫଳ ହୋଇଛି। ରେଳବାଇର ପରିଚାଳନା ଅନୁପାତ ହ୍ରାସ ପାଇଥିବା ଏକ ଆର୍‌ଟିଆଇ ଉତ୍ତରରୁ ଜଣାପଡ଼ିଛି।

ଯେକୌଣସି ସଂସ୍ଥାର ପରିଚାଳନା ଦକ୍ଷତା ମାପିବା ଲାଗି ପରିଚାଳନା ଅନୁପାତ ବ୍ୟବହାର କରାଯାଏ। ପ୍ରତି ୧୦୦ ଟଙ୍କା ଆୟ ପାଇଁ କେତେ ଟଙ୍କା ବ୍ୟୟ ହେଉଛି ତାହା ବିଚାରକୁ ନିଆଯାଏ। ଯେଉଁ ସଂସ୍ଥାର ଏହି ଅନୁପାତ ଯେତେ ଅଧିକ ତା’ ପାଖରେ ଅଭିବୃଦ୍ଧି ଓ ସମ୍ପ୍ରସାରଣ ଲାଗି ସେତେ କମ୍ ପାଣ୍ଠି ରହିଥିବା ବିଶ୍ବାସ କରାଯାଏ। ପରିଚାଳନା ଖର୍ଚ୍ଚ ଯେତେ କମ୍ ହେବ ତାହା ସଂସ୍ଥା ପାଇଁ ସେତେ ଭଲ ବୋଲି ବିଚାର କରାଯାଏ। ରେଳବାଇ ଏହାର ପରିଚାଳନା ଅନୁପାତରେ ଉନ୍ନତି ଆଣିପାରିଥିବାର ଅର୍ଥ ହେଉଛି ଏହା ଟ୍ରେନ୍ ଚଳାଚଳରେ ହେଉଥିବା ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିପାରିଛି। ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ସେନେଇ ଯେଉଁ କ୍ଷତି ହୋଇଛି ତାହାକୁ ମାଲ୍ ପରିବହନ ଜରିଆରେ ରେଳବାଇ ଭରଣା କରିପାରିଛି।

ଟ୍ରେନ୍ ଚଳାଚଳରେ ହେଉଥିବା ଖର୍ଚ୍ଚକୁ ରେଳବାଇ କଡ଼ାକଡ଼ି କରିଥିବା ବେଳେ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରୁଛି। ବିଦ୍ୟୁତକରଣରେ ବିଗତ ସାତ ବର୍ଷରେ ହୋଇଥିବା ନିବେଶ ଯୋଗୁଁ ଡିଜେଲ୍ କିଣାରେ ହେଉଥିବା ଖର୍ଚ୍ଚ ହ୍ରାସ ପାଇଛି ଓ ରେଳବାଇ ଅଧିକ ପରିବେଶ ମିତବ୍ୟୟୀ ହୋଇପାରିଛି। ଅନେକ ରୁଟ୍‌ର ବିଦ୍ୟୁତ୍‌କରଣ ହୋଇଥିବାରୁ ରେଳବାଇ ୯୫୦୦ କୋଟି ଟଙ୍କା ସଞ୍ଚୟ କରିଛି। ସେହିପରି ବିଭିନ୍ନ ଶୁଳ୍କରୁ ୪୦୦୦ କୋଟି ଟଙ୍କା ଓ ସାମଗ୍ରୀ ଓ ସେବାର ସଂଗ୍ରହରୁ ୩୦୦୦ କୋଟି ଟଙ୍କା ସଞ୍ଚୟ କରିଛି। ୨୦୨୦-୨୧ରେ ରେଳବାଇ ୧,୨୩୨.୬୩ ନିୟୁତ ଟନ୍ ମାଲ୍ ପରିବହନ କରିଛି ଯାହା ୨୦୧୯-୨୦ ତୁଳନାରେ ୧.୯୩% ଅଧିକ। ମାଲ୍ ପରିବହନରୁ ରେଳବାଇ ୧,୧୭,୩୮୬ କୋଟି ଟଙ୍କା ଆୟ କରିଛି।

ସମ୍ବନ୍ଧିତ ଖବର