ବ୍ୟବସାୟୀଙ୍କୁ ୩ ମାସର ସୁଧ ଛାଡ଼କର, ରିଜର୍ଭ ବ୍ୟାଙ୍କକୁ ଓଡ଼ିଶା ବ୍ୟବସାୟୀ ମହାସଂଘର ଚିଠି

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହୁଛି। ସରକାର ମଧ୍ୟ ବିଭିନ୍ନ ପ୍ରକାର କଟକଣା ଘୋଷଣା କରୁଛନ୍ତି। ଏହାକୁ ବ୍ୟବସାୟୀମାନେ ମାନି ଆସୁଛନ୍ତି। ଫଳରେ ଦୋକାନ ବଜାର ବନ୍ଦ ରହୁଛି। ଏଥିଯୋଗୁଁ ବ୍ୟବସାୟୀମାନଙ୍କର ବିକ୍ରି ବହୁମାତ୍ରାରେ ବାଧାପ୍ରାପ୍ତ ହୋଇଛି। ଫଳରେ ଋଣ ନେଇଥିବା ବ୍ୟବସାୟୀମାନେ ସେମାନଙ୍କ ଋଣ କିସ୍ତି ଏବଂ ସୁଧ ପ୍ରଦାନ କରିବାକୁ ଅସମର୍ଥ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନଙ୍କ ଋଣ କିସ୍ତି ସହିତ ସୁଧ ଆଦାୟକୁ ସ୍ଥଗିତ ରଖିବା ପାଇଁ ଓଡ଼ିଶା ବ୍ୟବସାୟୀ ମ‌ହାସଂଘ ଭାରତୀୟ ରିଜର୍ଭ ବ୍ୟାଙ୍କର ଭୁବନେଶ୍ବରସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛି। ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଲେଖିଥିବା ଚିଠିରେ ବ୍ୟବସାୟୀମାନେ ନେଇଥିବା ଋଣ ଉପରେ ଅତିକମ୍‌ରେ ୩ ମାସର ସୁଧ ଛାଡ଼ ଦାବି କରିଛନ୍ତି। ସେହିଭଳି ଋଣ କିସ୍ତି ପ୍ରଦାନ କରିବାରେ ବିଳମ୍ବ କରିଲେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ଦାବି କରିଛନ୍ତି। ଏଥିପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପଣ୍ଡା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର