ନିତି ଆୟୋଗ ରପ୍ତାନି ପ୍ରସ୍ତୁତି ସୂଚକାଙ୍କ: ଓଡ଼ିଶା ୧୩ତମ ସ୍ଥାନକୁ ଖସିଲା

ବର୍ଷକରେ ୮ ପାହାଚ ଅବନତି, ବହୁ ମାନଦଣ୍ଡରେ ସ୍କୋର ଶୂନ

ନୂଆଦିଲ୍ଲୀ : ରପ୍ତାନି ବଢ଼ାଇବା ଲାଗି ଓଡ଼ିଶାରେ ଆବଶ୍ୟକ ପ୍ରସ୍ତୁତି ହେଉନାହିଁ। ତାହାର ପ୍ରତିଫଳନ ନିତି ଆୟୋଗର ‘ରପ୍ତାନି ପ୍ରସ୍ତୁତି ସୂଚକାଙ୍କ-୨୦୨୧’ରେ ଦେଖିବାକୁ ମିଳିଛି। ବର୍ଷକ ପୂର୍ବରୁ ପଞ୍ଚମ ଭଳି ଉନ୍ନତ ସ୍ଥ‌ାନରେ ଥିବା ଓଡ଼ିଶା ଏଥର ୧୩ତମ ସ୍ଥାନକୁ ଖସିଆସିଛି। ଏହା ୪୨.୦୨ ଭଳି ଦୁର୍ବଳ ସ୍କୋର ହାସଲ କରିବାରୁ ଶ୍ରେଷ୍ଠ ୧୦ ରାଜ୍ୟ ତାଲିକାରୁ ମଧ୍ୟ ବାଦ ପଡ଼ିଛି। ବର୍ଷକ ଭିତରେ ଏହାର ରୢାଙ୍କରେ ଆଠ ପାହାଚର ଅବନତି ଘଟିଛି। କିନ୍ତୁ, ଉପକୂଳ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି।

ସର୍ବଭାରତୀୟ ସୂଚୀରେ ଗୁଜରାଟ ପ୍ରଥମ ସ୍ଥାନରେ ରହିଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ରପ୍ତାନିକୁ ନେଇ ବିଭିନ୍ନ ରାଜ୍ୟ ପ୍ରସ୍ତୁତ କରିଥିବା ନୀତି, ବାଣିଜ୍ୟ ପରିବେଶ, ରପ୍ତ‌ାନି ପରିବେଶ ଓ ରପ୍ତାନିରେ ପ୍ରର୍ଦଶନ ଆଦି ବିଚାରକୁ ନେଇ ସେମାନଙ୍କ ସ୍କୋର ନିର୍ଧାରଣ କରାଯାଇଛି। କେତେକ ମାନଦଣ୍ଡରେ ଓଡ଼ିଶାର ସ୍କୋର ଶୂନ ରହିଛି। ବିମାନରେ ପଣ୍ୟ ପରିବହନ ସୁବିଧା, ଆଇସିଡି ଅଧୀନରେ ଆସୁଥିବା ଅଞ୍ଚଳ, ମଲ୍‌ଟି ମୋଡାଲ୍‌ ଲଜିଷ୍ଟିକ୍ସ ହବ୍, ସହଜ ବ୍ୟବସାୟ ବାତାବରଣ ସୂଚୀ, ଜିଡିପିକୁ ସେବା ରପ୍ତାନି ଅନୁପାତ, କ୍ଷମତା ସମ୍ପନ୍ନ କମିଟିର ବୈଠକ, ନିଉଜ୍‌ଲେଟର, ଟିଆଇଇଏସ୍‌ ଅଧୀନରେ ମଞ୍ଜୁର ହୋଇଥିବା ପ୍ରକଳ୍ପ ଓ ଯାଞ୍ଚ ଏଜେନ୍ସିଙ୍କ ସଂଖ୍ୟା ଭଳି ମାନଦଣ୍ଡରେ ଓଡ଼ିଶାର ସ୍କୋର ହେଉଛି ଶୂନ। ଏନଏବିଏଲ୍‌ ସ୍ବୀକୃତିପ୍ରାପ୍ତ ଲ୍ୟାବ୍‌, ଗବେଷଣା ପ୍ରତିଷ୍ଠାନ, ଜିଏସ୍‌ଡିପିକୁ ଗବେଷଣା ଓ ବିକାଶ ବ୍ୟୟର ଅନୁପାତ, କୃଷି-ରପ୍ତାନି ଜୋନ୍ ସଂଖ୍ୟା, ରପ୍ତାନି ପ୍ରସାର ଅଧୀନରେ ଥିବା ଶିଳ୍ପ ପାର୍କ, ଇପିଜେଡ୍ ଓ ଏସ୍‌ଇଜେଡ୍‌ ଆଦି ମାନଦଣ୍ଡରେ ମଧ୍ୟ ଓଡ଼ିଶାର ପ୍ରଦର୍ଶନ ଆଦୌଁ ସନ୍ତୋଷଜନକ ନୁହେଁ।

୨୦୨୧ ସୂଚକାଙ୍କରେ ନୀତି ମାନଦଣ୍ଡରେ ଓଡିଶା ପଞ୍ଚମ, ବାଣିଜ୍ୟ ପରିବେଶରେ ୨୨, ରପ୍ତାନି ପରିବେଶରେ ୧୮ ଓ ରପ୍ତାନି ପ୍ରର୍ଦଶନରେ ଦଶମ ସ୍ଥାନରେ ରହିଛି। ୨୦୨୦ରେ ଓଡିଶା ନୀତିରେ ୧୧, ବାଣିଜ୍ୟ ପରିବେଶରେ ୧୧, ରପ୍ତାନି ପରିବେଶରେ ଦ୍ବିତୀୟ ଓ ରପ୍ତାନି ପ୍ରଦର୍ଶନରେ ୧୧ତମ ସ୍ଥାନରେ ରହିଥିଲା। ରିପୋର୍ଟରେ ଯେଉଁ ୧୧ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡିକର ଆକଳନ କରାଯାଇ ରାଜ୍ୟମାନଙ୍କର ସ୍ଥିତିକୁ ଦର୍ଶାଯାଇଛି ସେଥିରେ କେବଳ ରପ୍ତାନି ପ୍ରୋତ୍ସାହନ ନୀତିକୁ ବାଦ ଦେଲେ ଅନ୍ୟ ୧୦ଟି ପ୍ରସଙ୍ଗରେ ଓଡିଶା ଦୁର୍ବଳ ପ୍ରଦର୍ଶନ କରିଛି।

ରପ୍ତାନି ପ୍ରସାର ନୀତିରେ ଓଡ଼ିଶା ସବୁ ମାନଦଣ୍ଡରେ ୧୦୦ ସ୍କୋର ହାସଲ କରିଛି। ବ୍ୟବସାୟ ପରିବେଶରେ ଏହାର ସ୍କୋର ୬୨.୧୫, ପରିବହନ ସଂଯୋଗରେ ୩୫.୮୩, ଭିତ୍ତିଭୂମିରେ ୧୪.୫୯, ଫାଇନାନ୍ସ ସୁବିଧା ପାଇବାରେ ୩୫.୧୭, ରପ୍ତାନି ଭିତ୍ତିଭୂମିରେ ୩୮.୭୨, ରପ୍ତାନି ବିବିଧକରଣରେ ୨୯.୬୩, ଗବେଷଣା ଓ ବିକାଶ ଭିତ୍ତିଭୂମିରେ ୧୨.୩୩, ବାଣିଜ୍ୟ ସହାୟତାରେ ୧.୦୪ ଏବଂ ଅଭିବୃଦ୍ଧି ଓ ଓରିଏଣ୍ଟେସନ୍‌ରେ ଓଡ଼ିଶାର ସ୍କୋର ୩୧.୬୪ ରହିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର