ରିଜର୍ଭ ବ୍ୟାଙ୍କ ରିପୋର୍ଟ : ବ୍ୟାଙ୍କ ନିୟମ କୋହଳ, ଅର୍ଥନୀତି ପାଇଁ ଘାତକ ହେବ

ମୁମ୍ବାଇ: ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ ସ୍ଥିତି ସହିତ ସେମାନଙ୍କ ଉପରେ ନଜର ରଖିବାରେ ରିଜର୍ଭ ବ୍ୟାଙ୍କ କୌଣସି ଢିଲା ଦେବନାହିଁ। ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ସହିତ ସରକାରଙ୍କର ଯେଉଁସବୁ ପ୍ରସଙ୍ଗରେ ଅସହମତି ରହିଥିଲା ତାହାକୁ ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମାନିନେବେ ବୋଲି କୁହାଯାଇ ପାରିବ ନାହିଁ। ବ୍ୟାଙ୍କ ଗୁଡ଼ିକ ପ୍ରତି ରିଜର୍ଭ ବ୍ୟାଙ୍କ କୋହଳ ମନୋଭାବ ପୋଷଣ କରିବ ନାହିଁ। କାରଣ ନରମ ମନୋଭାବ ପୋଷଣ କରିଲେ ଏହା ଉଭୟ ବ୍ୟାଙ୍କ ଏବଂ ଅର୍ଥନୀତି ପାଇଁ ଘାତକ ହେବ। ନୂଆ ଗଭର୍ଣ୍ଣର ଶ୍ରୀ ଦାସଙ୍କ ସମୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ନୂଆ ରିପୋର୍ଟରୁ ଏଭଳି ସଙ୍କେତ ମିଳିଛି। ବ୍ୟାଙ୍କ ଗୁଡ଼ିକ ପାଇଁ ପୁଞ୍ଜି ସ୍ବଚ୍ଛଳତା ନିୟମ କୋହଳ ନିମନ୍ତେ ହେଉଥିବା ଦାବି ଉପରେ ରିଜର୍ଭ ବ୍ୟାଙ୍କ କୌଣସି ତରବରିଆ ନିଷ୍ପତ୍ତି ନେବନାହିଁ। ବିଶେଷକରି ଋଣ ଅପରିଶୋଧ ହାର ଉଚ୍ଚସ୍ତରରେ ଥିବାବେଳେ ଏଥିପାଇଁ ପାଣ୍ଠି ରଖିବା ବ୍ୟବସ୍ଥାକୁ କମ୍ ସ୍ତରରେ ରଖାଯାଇ ପାରିବ ନାହିଁ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ‘୨୦୧୭-୧୮ରେ ଭାରତରେ ବ୍ୟାଙ୍କର ଧାରା ଓ ପ୍ରଗତି’ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଭାରତରେ କ୍ୟୁମୁଲେଟିଭ ଡିଫଲ୍ଟ ରେଟ୍ସ(ସିଡିଆର୍) ଏବଂ ଲସ୍ ଗିଭେନ୍ ଡିଫଲ୍ଟ (ଏଲଜିଡି) ହାର ଅନ୍ତର୍ଜାତୀୟ ସ୍ତର ତୁଳନାରେ ବହୁ ଅଧିକ ରହିଛି। ତେଣୁ ବ୍ୟାଙ୍କ ଗୁଡ଼ିକ ଏନପିଏ ପାଇଁ ଏବେ ଯେଉଁ ଅର୍ଥ ବ୍ୟବସ୍ଥା କରିଛନ୍ତି ତାହା ସମ୍ଭାବ୍ୟ କ୍ଷତି ପାଇଁ ପର୍ଯ୍ୟାପ୍ତ ନୁହେଁ। ସମ୍ଭାବ୍ୟ କ୍ଷତିର ସାମ୍ନା କରିବା ପାଇଁ ବ୍ୟାଙ୍କ ଗୁଡ଼ିକ ନିକଟରେ ପର୍ଯ୍ୟାପ୍ତ ପାଣ୍ଠି ରହିବା ଆବଶ୍ୟକ। ଏହା ସତ୍ତ୍ବେ ନିୟମ କୋହଳ ପାଇଁ ହେଉଥିବା ଦାବିକୁ ରିଜର୍ଭ ବ୍ୟାଙ୍କ ସମ୍ପୂର୍ଣ୍ଣ ଅଣଦେଖା କରିନାହିଁ। କ୍ୟାପିଟାଲ କନଜର୍ଭେସନ ବଫର(ସିସିବି)କୁ କାର୍ଯ୍ୟକାରୀ କରିବା ପାଇଁ ବର୍ଷେ ଅଧିକ ଅର୍ଥାତ୍ ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ତେବେ ପୁଞ୍ଜି ସ୍ବଚ୍ଛଳତା ହାରକୁ ୯ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ସରକାରୀ ବ୍ୟାଙ୍କ ଗୁଡ଼ିକୁ ସରକାର ମଝିରେ ମଝିରେ ପୁଞ୍ଜି ଯୋଗାଉଛନ୍ତି। ୨୦୧୫ରୁ ୨୦୧୮ ମଧ୍ୟରେ ବ୍ୟାଙ୍କ ଗୁଡ଼ିକୁ ଦିଆଯାଇଥିବା ୭୦ ପ୍ରତିଶତରୁ ଅଧିକ ପୁଞ୍ଜି କ୍ଷତିକୁ ଭରଣା କରିବାରେ ଯାଇଛି। ତେଣୁ ସରକାର ଅଧିକ ପରିମାଣର ପୁଞ୍ଜି ଯୋଗାଇଲେ ହିଁ ଋଣ ଅଭିବୃଦ୍ଧି ଉପରେ ଏହାର କିଛି ଆଖିଦୃଶିଆ ପ୍ରଭାବ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି।

 

ସମ୍ବନ୍ଧିତ ଖବର