ଅଫେରା ଅଠର: ବର୍ଷାରେ ଜଳବନ୍ଦୀ, ଡେଙ୍ଗୁ, ବିପର୍ଯ୍ୟସ୍ତ ରାସ୍ତା ଭଳି ସମସ୍ୟାରେ ଦହଗଞ୍ଜ ରାଜଧାନୀବାସୀ

ରାଜଧାନୀରେ ବର୍ଷା ପ୍ରଳୟ

ରାଜଧାନୀବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିଯିବ ୨୦୧୮। ବର୍ଷର ପ୍ରଥମାର୍ଦ୍ଧରେ ଜଳବନ୍ଦୀ, ଡେଙ୍ଗୁ, ବିପର୍ଯ୍ୟସ୍ତ ରାସ୍ତା ଭଳି ସମସ୍ୟାରେ ଦହଗଞ୍ଜ ହେବା ପରେ ଶେଷ କିଛି ମା‌ସ ପୂରା ଉପଭୋଗ କରିଥିଲେ । ବିଶ୍ବକପ୍ ହକି ପାଇଁ ପୂରା ରାଜଧାନୀ ସଜେଇ ହୋଇଗଲା। ସ୍ମାର୍ଟ ଜନପଥ ସେଲ୍‌ଫି ଜୋନ୍ ପାଲଟିଲା। ହକିର ହୃଦ୍‌ସ୍ପନ୍ଦନ ରାଜଧାନୀବାସୀଙ୍କ ସବୁ ଦୁଃଖଦୁର୍ଦ୍ଦଶାକୁ ଭୁଲାଇ ମନରେ ରୋମାଞ୍ଚ ଭରିଥିଲା।

ଉପସ୍ଥାପନା: ବିଶ୍ବଜିତ, କ୍ଷୀତିଶ
ଅଳଙ୍କରଣ: ରବି

ଜୁଲାଇ ୧୬ରୁ ୨୨ମଧ୍ୟରେ ଦୁଇ ଥର ୨୪ଘଣ୍ଟା ମଧ୍ୟରେ ୨୨୦ମିମିରୁ ଅଧିକ ବର୍ଷା ହେଲା। ପୂରା ରାଜଧାନୀ ଉବୁଟୁବୁ ହେଲା। ତଳିଆ ଅଞ୍ଚଳରୁ ଆରମ୍ଭ କରି ସମ୍ଭ୍ରାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ଲୋକଙ୍କ ଘରେ ଆଣ୍ଠୁଏ ଉଚ୍ଚର ପାଣି ଜମିଲା। ଲୋକ ଘରୁ ବାହାରିବା ମୁସ୍କିଲ ହୋଇଗଲା। ୨୪ଘଣ୍ଟାରୁ ଅଧିକ ସମୟ ଧରି ବିଭିନ୍ନ ସ୍ଥାନରେ ଲୋକ ଜଳବନ୍ଦୀ ରହିଲେ। ଏପରିକି ବର୍ଷାକୁ ନଜରରେ ରଖି ରାଜ୍ୟ ସରକାର ମଧ୍ୟ ସ୍କୁଲ କଲେଜ ଛୁଟି ଘୋଷଣା କଲେ। ବିଏମ୍‌ସି, ଅଗ୍ନିଶମ ବିଭାଗ ବିଭାଗ ପକ୍ଷରୁ ରାଜଧାନୀରେ ଉଦ୍ଧାର କାର୍ଯ୍ୟ ହେଲା। ବିଏମ୍‌ସି ପକ୍ଷରୁ ବସ୍ତି ଅଞ୍ଚଳରେ ରିଲିଫ୍ ବଣ୍ଟା ହେଲା। ଭୁବନେଶ୍ବରରେ ଏହିଭଳି ବର୍ଷା କେବେ ହୋଇ ନଥିଲା କି ଏହିଭଳି ସଙ୍ଗିନ୍ ସ୍ଥିତ ଉପୁଜି ନଥିଲା। ଏହାପରେ ବିଏମ୍‌ସି ପକ୍ଷରୁ ମୁଖ୍ୟ ଡ୍ରେନ୍ ଉପରୁ ଜବରଦଖଲ ଉଚ୍ଛେଦ ‌କରାଗଲା ଓ ଡ୍ରେନ୍ ସଫେଇ ହେ‌ଲା। ଏପରିକି ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଦିଆଯାଇଥିବା ପ୍ଲାନ୍‌କୁ ବାତିଲ୍ କରି ଦିଆଗଲା। କର୍ତ୍ତୃପକ୍ଷ ସ୍ଥିତି ସୁଧାରି ଦେଇଛନ୍ତି ବୋଲି କହିଥିଲେ। କିନ୍ତୁ ରାଜଧାନୀବାସୀଙ୍କ ଅପେକ୍ଷା ଆସନ୍ତା ବର୍ଷା ଋତୁକୁ।

ଡେଙ୍ଗୁରେ କଲବଲ
ଡେଙ୍ଗୁରେ କଲବଲ ହେଲେ ରାଜଧାନୀବାସୀ। ମୌସୁମୀ ବର୍ଷା ଆସିବାର ଯଥେଷ୍ଟ ପୂର୍ବରୁ ରାଜଧାନୀରେ ଡେଙ୍ଗୁ ବ୍ୟାପିଗଲା। ପରିସ୍ଥିତି ଏପରି ହେଲା ଯେ, ରାଜଧାନୀର ଡେଙ୍ଗୁ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକୁ ପଛରେ ପକାଇ ଦେଇଥିଲା। ୩/୪ମାସ ଧରି ଡେଙ୍ଗୁ ରାଜଧାନୀବାସୀଙ୍କୁ ଅଣାୟତ କରି ପକାଇଥିଲା। ଯେତେ ପଦକ୍ଷେପ ନେଲେ ମଧ୍ୟ ଏଥିରେ ସୁଧାର ଆସିଲାନି।

ହୋଇପାରିଲାନି ବିଏମ୍‌ସି ନିର୍ବାଚନ
ଆସନ୍ତା ଜାନୁଆରି, ୧୬ରେ ବିଏମ୍‌ସିର ନିର୍ବାଚିତ ପ୍ରତିନିଧିଙ୍କ (କର୍ପୋରେଟରଙ୍କ) କାର୍ଯ୍ୟକାଳ ସରୁଛି। ତେଣୁ ଡିସେମ୍ବରରେ ବିଏମ୍‌ସିର ନିର୍ବାଚନ ହେବାର ଥିଲା। ଏଥିପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ଡ୍ରାଫ୍ଟ ପ୍ରସ୍ତୁତ ହୋଇଯାଇଥିଲା। କିନ୍ତୁ ପୌର ନିର୍ବାଚନ ନେଇ ମାମଲା ସୁପ୍ରିମକୋର୍ଟରେ ଥିବାରୁ ଚଳିତବର୍ଷ ନିର୍ବାଚନ ହୋଇପାରିଲାନି। ସେହିପରି ବର୍ଷା ଆଳ କରି ବିଏମ୍‌ସି ସ୍ବାୟତ୍ତ ଶାସନ ଦିବସ ପାଳନ କଲାନି। ଏପରିକି ବିଭିନ୍ନ ଆଳ ଦେଖାଇ ଚଳିତ ବର୍ଷ ଦୁଇଟି କର୍ପୋରେସନ୍ ବୈଠକ ବାତିଲ୍ କରିଦେଲେ।

ବମିଖାଲ ଓଭରବ୍ରିଜ୍ ନିର୍ଯାତନା କମିଲାନି

ରାଜଧାନୀବାସୀଙ୍କ ପାଇଁ ଚଳିତବର୍ଷର ସବୁଠୁ ବଡ଼ ପ୍ରଶ୍ନ ଥିଲା ବମିଖାଲ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ କେବେ ସରିବ। ପ୍ରାୟ ୬ବର୍ଷ ହେଲା ନିର୍ମାଣ ହେଉଥିବା ଏହି ଓଭରବ୍ରିଜ୍‌ ପାଇଁ ଚଳିତବର୍ଷ ରାଜଧାନୀବାସୀ ବହୁ ନିର୍ଯାତନା ପାଇଲେ। ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ବାରମ୍ବାର ଡେଡ୍‌ଲାଇନ୍ ଦେବା ସତ୍ତ୍ବେ ବି କାମ ସରିଲାନି। ଓଭରବ୍ରିଜ୍ ନିର୍ମାଣ ସମୟରେ ରଡ୍‌ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଅପରପକ୍ଷେ ପୋଖରୀପୁଟ ‌ଓଭରବ୍ରିଜ୍ ବହୁ ବାଧାବିଘ୍ନ ସତ୍ତ୍ବେ ଚଳିତବର୍ଷ ଖୋଲିଥିଲା।

ହେଲାନି ନୂଆ ପାର୍କିଂ ବ୍ୟବସ୍ଥା
ରାଜଧାନୀର ପାର୍କିଂ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବଢ଼ିବାରୁ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ବିଏମ୍‌ସି ପକ୍ଷରୁ ନୂଆ ପାର୍କିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା ହୋଇଥିଲା। ପୂରା ରାଜଧାନୀକୁ ୫ଟି ପାର୍କିଂ ପ୍ୟାକେଜ୍‌ରେ ବିଭକ୍ତ କରାଯାଇଥା’ନ୍ତା। ଉଦ୍ଦେଶ୍ୟ ଥିଲା ୪ଘଣ୍ଟା ପର୍ଯ୍ୟନ୍ତ ଗୋଟିଏ ପ୍ୟାକେଜ୍ ଅଞ୍ଚଳ ମଧ୍ୟରେ ଗାଡ଼ି ପାର୍କିଂ କଲେ ବାରମ୍ବାର ଫି’ ଦେବାକୁ ପଡ଼ିବନି। କିନ୍ତୁ ବିଏମ୍‌ସି ପକ୍ଷରୁ ଧାର୍ଯ୍ୟ ହୋଇଥିବା ଟେଣ୍ଡର ମୂଲ୍ୟ ଅଧିକ ହେବାରୁ ଏହି ଯୋଜନା ଫେଲ୍‌ ମାରିଲା। କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏହା ଲାଗୁ ହୋଇଛି।

ହୋସ୍ ଉଡ଼ାଇଲା ଫର୍ମାଲିନ୍
ଆମିଷ ପ୍ରେମୀଙ୍କ ପାଇଁ ମାଛରେ ଫର୍ମାଲିନ୍ ବାହାରିବା ଘଟଣା ନିଦ ହଜାଇ ଦେଇଥିଲା। ଜୁଲାଇ ମାସରେ ୟୁନିଟ୍-୪ ମାର୍କେଟ୍‌ରୁ ମତ୍ସ୍ୟ ଓ ପଶୁସଂପଦ ବିଭାଗର ଯାଞ୍ଚ ସମୟରେ ମାଛରୁ ଫର୍ମାଲିନ୍ ବାହାରିବା ସମସ୍ତଙ୍କୁ ଚକିତ କରିଥିଲା। ଆମିଷ ବାରରେ ମଧ୍ୟ ମାଛ ବିକ୍ରି ପ୍ରଭାବିତ ହୋଇଥିଲା। ପ୍ରକୃତ ସତ୍ୟ ଜାଣିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଓ ମତ୍ସ୍ୟ ଓ ପଶୁସଂପଦ ବିଭାଗ ଭିତରେ ଛକାପଞ୍ଝା ଲାଗିଥିଲା। ବେଶ କିଛିଦିନ ଧରି ଲୋକମାନଙ୍କୁ ଡରାଇ ରଖିବା ପରେ ସରକାର ମାଛ ଖାଇବାରେ କୌଣସି ସମସ୍ୟା ନ ଥିବା କହିଥିଲେ।

ସମ୍ବନ୍ଧିତ ଖବର