ଓଡ଼ିଶାର ୩ଟି କୋଇଲା ଖଣି ପୁଣି ନିଲାମ ହେବ

ଗତଥର ନିଲାମରେ ବିକ୍ରି ହୋଇପାରିନଥିଲା 

ନୂଆଦିଲ୍ଲୀ/ଭୁବନେଶ୍ବର : ବାଣିଜ୍ୟିକ ସଂସ୍ଥା ଲାଗି ନିଲାମ କରାଯାଉଥିବା ଓଡ଼ିଶାର ତିନିଟି ଖଣି ପାଇଁ ପୁଣି ଥରେ ବିଡ୍‌ ଆହ୍ବାନ କରାଯିବ। ସେହି ତିନି ଖଣି ହେଉଛି ଛେଣ୍ଡିପଦା, ଛେଣ୍ଡିପଦା-୨ ଓ କୁରାଲୋଇ (ଏ) ନର୍ଥ। ଗତଥର ନିଲାମ ବେଳେ ଏହି ତିନି ଖଣି ଉପଲବ୍ଧ ହୋଇଥିଲା। ମାତ୍ର ଦୁଇରୁ କମ୍ ସଂଖ୍ୟକ ସଂସ୍ଥା ଟେଣ୍ଡର ପକାଇଥିବାରୁ ନିୟମ ଅନୁଯାୟୀ ନିଲାମ ବାତିଲ କରିବାକୁ ପଡ଼ିଥିଲା। ଓଡ଼ିଶାର ଏହି ତିନି ଖଣି ସହ ଝାଡ଼ଖଣ୍ଡର ସେରେଗଡ଼ କୋଇଲା ଖଣିକୁ ମଧ୍ୟ ନିଲାମ କରାଯିବ। ଏହି ଚାରି ଖଣି ନିଲାମ କରିବା ଲାଗି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପୁଣି ଥରେ ଉଦ୍ୟମ ଆରମ୍ଭ କରାଯାଇଛି। ଗତଥର ନିଲାମରେ ଓଡ଼ିଶାର ରାଧିକାପୁର ଇଷ୍ଟ ଓ ରାଧିକାପୁର ୱେଷ୍ଟ୍‌ କୋଇଲା ଖଣିକୁ ନିଲାମ କରାଯାଇଥିଲା। ଏସଲେ୍‌ ମାଇନିଂ ରାଧିକାପୁର ଇଷ୍ଟ୍‌କୁ ଓ ବେଦାନ୍ତ ‌ରାଧିକାପୁର ୱେଷ୍ଟ୍‌କୁ ହାସଲ କରିଛି। ଏହି ଦୁଇ ଖଣି ସଫଳତାର ସହ ନିଲାମ ହୋଇଥିବାରୁ ଓଡ଼ିଶା ବର୍ଶକୁ ୧୦୫୯ କୋଟି ଟଙ୍କାର ରାଜସ୍ବ ପାଇବ। ରାଧିକାପୁର ୱେଷ୍ଟ୍‌ ପାଇଁ ବର୍ଷକୁ ୫୯୨.୨୮ କୋଟି ଟଙ୍କା ଓ ରାଧିକାପୁର ଇଷ୍ଟ୍‌ ପାଇଁ ୪୬୬.୫୮ କୋଟି ଟଙ୍କାର ରାଜସ୍ବ ପାଇବ।

ଖଣି ନିଲାମ
ଗତଥର ରାଜ୍ୟର ଦୁଇଟି ଖଣି-ରାଧିକାପୁର ଇଷ୍ଟ ଓ ରାଧିକାପୁର ୱେଷ୍ଟ୍‌ ନିଲାମ ହୋଇଥିଲା। ରାଧିକାପୁର ଇଷ୍ଟ୍‌କୁ ଏସେଲ୍‌ ମାଇନିଂ ଓ ରାଧିକାପୁର ୱେଷ୍ଟ୍‌କୁ ବେଦାନ୍ତ ହାସଲ କରିଛି

ଆବଶ୍ୟକ ସଂଖ୍ୟକ ବିଡ୍ ଆସିନଥିବାରୁ ଛେଣ୍ଡିପଦା, ଛେଣ୍ଡିପଦା-୨, କୁରାଲୋଇ (ଏ) ନର୍ଥର ନିଲାମ ବାତିଲ କରାଯାଇଥିଲା। ଏହି ତିନି ଖଣିକୁ ପୁଣି ନିଲାମ କରାଯିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଜୁନ୍ ୧୮ରେ କୋଇଲା ଖଣିର ବାଣିଜ୍ୟିକ ଖନନ ପାଇଁ ନିଲାମ ପ୍ରକ୍ରିୟାର ଆରମ୍ଭ କରିଥିଲେ। ଗତଥର ୩୮ଟି ଖଣିକୁ ନିଲାମ ପାଇଁ ଉପଲବ୍ଧ କରାଯାଇଥିବା ବେଳେ ୧୯ଟି ଖଣି ପାଇଁ ଆର୍ଥିକ ବିଡ୍ ଆସିଥିଲା। ନିଲାମ ସଫଳତା ହାର ୫୦% ରହିଥିଲା। ପୂର୍ବରୁ ନିଲାମ କରାଯାଇଥିବା ୧୦ଟି ଖଣିର ସଫଳତା ହାର ୩୦% ଥିଲା। ବିଗତ ୧୦ଟି ପର୍ଯ୍ୟାୟରେ ୧୧୬ଟି ଖଣି ନିଲାମ ପାଇଁ ଉପଲବ୍ଧ କରାଯାଇଥିବା ବେଳେ ସେଥିରୁ ମାତ୍ର ୩୫ଟି ସଫଳତାର ସହ ନିଲାମ କରାଯାଇଛି। ଗତଥର ନିଲାମ ପ୍ରକ୍ରିୟାରେ ୪୨ଟି କଂପାନି ଅଂଶଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୪୦ଟି ହେଉଛନ୍ତି ଘରୋଇ କ୍ଷେତ୍ରର ସଂସ୍ଥା। ନାଲ୍‌କୋ ଓ ଆନ୍ଧ୍ରପ୍ରଦେଶ ଖଣି ବିକାଶ ନିଗମ ମଧ୍ୟ ନିଲାମରେ ଭାଗ ନେଇଥିଲେ। ନିଲାମ କରାଯାଇଥିବା ୧୯ଟି ଖଣି ମଧ୍ୟରୁ ୧୧ଟି ଓପନ୍‌କାଷ୍ଟ ଓ ୫ଟି ଅଣ୍ଡରଗ୍ରାଉଣ୍ଡ୍‌ ଖଣି ଏବଂ ୩ଟି ଉଭୟ ଓପନ୍‌କାଷ୍ଟ ଓ ଅଣ୍ଡରଗ୍ରାଉଣ୍ଡ୍‌ ଖଣିର ମିଶ୍ରଣ ଥିଲା।

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଣି କ୍ଷେତ୍ରର ସମସ୍ୟା ଏବଂ ସଂସ୍କାର ସମ୍ପର୍କରେ ଦୁଇ କେନ୍ଦ୍ର ମନ୍ତ୍ରୀ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହ ଆଲୋଚନା କରିଥିଲେ। ସେ କୋଇଲା ରୟାଲଟି ସଂଶୋଧନ କରିବା, ଓଏମ୍‌ସି ଭଳି ସଂସ୍ଥା ପାଇଁ ଖଣି ସଂରକ୍ଷିତ ରଖିବା ଏବଂ ଶିଳ୍ପ ସଂସ୍ଥାଗୁଡ଼ିକର କଞ୍ଚାମାଲ ସମସ୍ୟା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରିଥିଲେ। ୨୦୧୭ ପରଠାରୁ କୋଇଲା ରୟାଲ୍‌ଟି ସଂଶୋଧନ ହୋଇନାହିଁ। ସ୍ବଚ୍ଛ ଶକ୍ତି ସେସ୍‌ରେ ଅନେକ ଥର ବୃଦ୍ଧି ଅଣାଯାଇଥିବା ବେଳେ ତାହାର କୌଣସି ଲାଭ ରାଜ୍ୟ ସରକାରଙ୍କୁ ମିଳୁନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଖଣିରୁ ଉତ୍ପାଦନ ଏବଂ ଡେସ୍‌ପାଚ୍‌ରେ ବିଭ୍ରାଟକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର