ଟ୍ବିଟର ପାଇଁ ଏଲନ ମସ୍କଙ୍କୁ ଟଙ୍କା ଦେବେ ସିଇଓ ପରାଗ ଅଗ୍ରୱାଲଙ୍କ ପତ୍ନୀ !

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର କିଣିବାକୁ ଯାଉଛନ୍ତି। ଏନେଇ ଦୁଇ କମ୍ପାନି ମଧ୍ୟରେ ଚୁକ୍ତି ହୋଇସାରିଛି। ଏହି କାରଣରୁ ଏଲନ ଏବେ ଚର୍ଚ୍ଚାରେ ରହିଥିବା ବେଳେ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ମଧ୍ୟ ନିଜ ପଦରୁ ହଟିବା ନେଇ ଚର୍ଚ୍ଚାରେ ରହିଛନ୍ତି। ଏ ଦୁହିଁଙ୍କୁ ଛାଡ଼ିଦେଲେ ଏବେ ପରାଗ ଅଗ୍ରୱାଲଙ୍କ ପତ୍ନୀ ବିନିତା ଅଗ୍ରୱାଲ ଲାଇମଲାଇଟକୁ ଆସିଛନ୍ତି। ଏଲନ ମସ୍କ ୪୪ ବିଲିୟନ ଡଲାର ଦେଇ ଟ୍ବିଟର କିଣୁଥିବା ବେଳେ ତାଙ୍କୁ ବିନିତା ଆର୍ଥିକ ସହାୟତା ଦେବେ ବୋଲି ଚର୍ଚ୍ଚା ଧରିଛି। ଆସନ୍ତୁ ଜାଣିବା ପୂରା ଘଟଣା…

ବିନିତା ଅଗ୍ରୱାଲଙ୍କ ଟ୍ୱିଟର ପ୍ରୋଫାଇଲ ଅନୁଯାୟୀ ସେ ଜଣେ ଚିକିତ୍ସକ ଏବଂ ଷ୍ଟାନଫୋର୍ଡ ସ୍କୁଲ ଅଫ୍ ମେଡିସିନରେ କ୍ଲିନିକାଲ୍ ପ୍ରଫେସର ଭାବରେ କାର୍ଯ୍ୟ କରନ୍ତି। ଏହା ସହ ସେ ଭେଞ୍ଚର କ୍ୟାପିଟାଲ୍ କମ୍ପାନି ଆଣ୍ଡ୍ରେସେନ୍ ହୋରୋୱିଜ୍ ପାଇଁ ମଧ୍ୟ କାର୍ଯ୍ୟ କରନ୍ତି। ଆଣ୍ଡ୍ରେସେନ୍ ହୋରୋୱିଜ୍ କମ୍ପାନି ଟେକ୍ନୋଲୋଜି ଇକୋସିଷ୍ଟମରେ ଉଦ୍ୟୋଗୀ, ନିବେଶକ, ଇଞ୍ଜିନିୟର୍, ଶିଳ୍ପ ବିଶେଷଜ୍ଞ ଏବଂ ଅନ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଗାଇଥାଏ। ଫେସବୁକକୁ ଆର୍ଥିକ ସହାୟତା ଯୋଗାଇଥିବା ଆଣ୍ଡ୍ରେସେନ୍ ହୋରୋୱିଜ୍ କମ୍ପାନି ଏବେ ଏଲନଙ୍କୁ ମଧ୍ୟ ଟ୍ବିଟର କିଣିବାରେ ସାହଯ୍ୟ କରିବ ବୋଲି ଜଣାପଡ଼ିଛି। ଏହି କମ୍ପାନି ଟ୍ୱିଟର କାରବାର ପାଇଁ ମସ୍କକୁ ୪୦୦ ମିଲିୟନ୍ ଡଲାର୍ ପ୍ରଦାନ କରିବ। ଏହି ଖବର ସାମ୍ନାକୁ ଆସିବା ପରେ ସେବେଠାରୁ କମ୍ପାନିର ଜେନେରାଲ ପାର୍ଟନର ବିନିତା ଅଗ୍ରୱାଲ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଆଣ୍ଡ୍ରେସେନ୍ ହୋରୋୱିଜର ଜେନେରାଲ ପାର୍ଟନର ଭାବରେ ବିନିତା ଅଗ୍ରୱାଲ୍ କମ୍ପାନିର ବାୟୋ ଏବଂ ସ୍ୱାସ୍ଥ୍ୟ ପାଣ୍ଠିରେ ବିନିଯୋଗର ନେତୃତ୍ୱ ନେଉଛନ୍ତି।

ସମ୍ବନ୍ଧିତ ଖବର