ମୁହଁ ଖୋଲିଲେ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

ବିମୁଦ୍ରୀକରଣ ଏକ କଠୋର ଝଟ୍‌କା ଥିଲା: ଅରବିନ୍ଦ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ବିରୋଧରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଅନ୍। ସେ କହିଛନ୍ତି ଯେ, ବିମୁଦ୍ରୀକରଣ ଏକ ବହୁତ କଠୋର ଆର୍ଥିକ ଝଟ୍‌କା ଥିଲା। ଏହାର ପ୍ରଭାବରେ ୮% ହାରରେ ଆଗକୁ ବଢ଼ୁଥିବା ଦେଶର ଜିଡିପି ତଳକୁ ଖସିଯାଇଥିଲା। ବିମୁଦ୍ରୀକରଣର ପରବର୍ତି ୭ଟି ତ୍ରୟମାସରେ ଜିଡିପି ହାର ୬.୮% ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା। ରାଜନୈତିକ ଦୃଷ୍ଟିକୋଣରୁ ବିମୁଦ୍ରୀକରଣ ବିଷୟରେ ସେ କହିଛନ୍ତି ଯେ, ବିମୁଦ୍ରୀକରଣ ଏକ ହଠାତ୍ ଝଟ୍‌କା ଭଳି ଥିଲା ଯାହା ବର୍ତ୍ତମାନ ସମୟର ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳିନଥିଲା। ସାଧାରଣତଃ ଯୁଦ୍ଧ, ଅତ୍ୟଧିକ ଦରଦାମ ବୃଦ୍ଧି, ମୁଦ୍ରା ସଙ୍କଟ କିମ୍ବା ରାଜନୈତିକ ଅସ୍ଥିରତା ଭଳି ସମୟରେ ବିମୁଦ୍ରୀକରଣ ପଦକ୍ଷେପ ନିଆଯାଇଥାଏ। କିନ୍ତୁ ଭାରତର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ହାଲୁକା ଢଙ୍ଗର ଥିଲା ବୋଲି ସେ କହିଛନ୍ତି। ସାଧାରଣ ଲୋକ ଭୋଗିଥିବା କଷ୍ଟ ବିଷୟରେ ସେ କହିଛନ୍ତି ଯେ, ‘ମୁଁ ମୋର ଛେଳି ହରାଇଲି, କିନ୍ତୁ ସେମାନେ ତାଙ୍କ ଗାଈ ହରାଇଲେ।’ ଏହି ନ୍ୟାୟରେ ଧନୀ ଲୋକଙ୍କ କଳାଧନ ବାହା‌ର କରିବା ପାଇଁ ଗରିବଙ୍କୁ କଷ୍ଟ ଦିଆଯାଇଥିଲା। ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରିଥିଲେ। ମୋଦୀ ସରକାରଙ୍କ ପାଇଁ ଚାରି ବର୍ଷ କାମ କରିବା ପରେ ଚଳିତ ବର୍ଷ ପ୍ରାରମ୍ଭରେ ଅରବିନ୍ଦ ନିଜ ପଦରୁ ଇସ୍ତଫା ଦେଇଥିଲେ। ନିଜର ଏକ ପୁସ୍ତକରେ ସେ ଜଣାଇଥିଲେ ଯେ, ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ମାଗନ୍ତି ନାହିଁ। କିନ୍ତୁ ବିମୁଦ୍ରୀକରଣ ବେଳେ ତାଙ୍କକୁ ପରାମର୍ଶ ମଗାଯାଇଥିଲା ନା ନାହିଁ, ସେ ବିଷୟରେ ଅରବିନ୍ଦ କିଛି ଜଣାଇନାହାନ୍ତି।ଫଗୁର୍ସନ୍ ଦ୍ବାରା ପ୍ରକାଶିତ ହେବାକୁ ଥିବା ନିଜର ପୁସ୍ତକ ‘ଅଫ୍ କାଉନ୍‌ସେଲ୍‌: ଦି ଚ୍ୟାଲେଞ୍ଜେସ୍‌ ଅଫ୍ ମୋଦୀ-ଜେଟ୍‌ଲି ଇକୋନମି)ରେ ସେ ଲେଖିଛନ୍ତି ଯେ, ଗୋଟିଏ ଝଟ୍‌କାରେ ୮୫% ନୋଟ୍‌କୁ ଅଚଳ କରିଦିଆଗଲା। ଏହା ଦ୍ବାରା ବାସ୍ତବିକ ଜିଡିପି ଅଭିବୃଦ୍ଧି ପ୍ରଭାବିତ ହୋଇଥିଲା। ପୂର୍ବରୁ ଜିଡିପିର ଗତି ଧିମେଇ ଯାଇଥିଲା। ବିମୁଦ୍ରୀକରଣ ଯୋଗୁ ଅଭିବୃଦ୍ଧି ହାର ଆହୁରି କମିଯାଇଥିଲା ବୋଲି ସେ ଲେଖିଛନ୍ତି। ବିମୁଦ୍ରୀକରଣର ଦୁଇଟି ଦିଗ-ରାଜନୈତିକ ଓ ଅର୍ଥନୈତିକ ନାମକ ଅଧ୍ୟାୟରେ ସେ ଲେଖିଛନ୍ତି ଯେ, ଏହାକୁ କେହି ଅସ୍ବୀକାର କରିବେ ନାହିଁ ଯେ ବିମୁଦ୍ରୀକରଣ ଯୋଗୁ ଜିଡିପି ଅଭିବୃଦ୍ଧି କମିଥିଲା। କିନ୍ତୁ ପ୍ରଶ୍ନ ହେଉଛି କେତେ କମିଥିଲା। ଦୁଇ ପ୍ରତିଶତ ନା ତା’ଠାରୁ ଅଧିକ? ସେ ଏହା ମଧ୍ୟ ଜଣାଇଛନ୍ତି ଯେ, ଯେତେବେଳେ ବିମୁଦ୍ରୀକରଣ ଯୋଗୁ ଅଣସଂଗଠିତ କ୍ଷେତ୍ରକୁ ଯେଉଁ ଝଟ୍‌କା ଲାଗିଥିଲା, ସେଭଳି ସ୍ଥିତୀରେ ଆର୍ଥିକ ଗତିବିଧିର ଆକଳନ କରିବା ପାଇଁ ସଂଗଠିତ କ୍ଷେତ୍ରର ତଥ୍ୟ ଉପରେ ନିର୍ଭର କଲେ ଜିଡିପିର ପ୍ରକୃତ ଚିତ୍ର ସାମ୍ନାକୁ ଆସିବ ନାହିଁ। ଅଣସଂଗଠିତ କ୍ଷେତ୍ରର ଆମଦାନି ପ୍ରଭାବିତ ହେଲେ ସଂଗଠିତ କ୍ଷେତ୍ରର ଚାହିଦା ପ୍ରଭାବିତ ହୁଏ ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ତେଣୁ ଏବିଷୟରେ କିଛିବି ଆକଳନ କରିବା ଠିକ୍ ନୁହେଁ ବୋଲି ସେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର