ଏଚ୍‌ପିକୁ କିଣିପାରେ ଜେରକ୍ସ

ନୂଆଦିଲ୍ଲୀ : ଲାପ୍‌ଟପ୍ ଓ ପ୍ରିଣ୍ଟର୍‌ ବିକ୍ରି କରୁଥିବା ବଡ଼ ଆମେରିକୀୟ କଂପାନି ଏଚ୍‌ପିକୁ ଅଧିଗ୍ରହଣ କରିବା ବିଷୟରେ ଅନ୍ୟତମ ଆମେରିକୀୟ କଂପାନି ଜେରକ୍ସ ବିଚାର କରୁଛି। ଏଚ୍‌ପିକୁ ୨୭ ବିଲିଅନ ଡଲାରର ଅଫର ଦେବାକୁ ଜେରକ୍ସ ଚାହୁଛି। ଜେରକ୍ସର ବୋର୍ଡ ବୈଠକରେ ଏଚ୍‌ପି ଅଧିଗ୍ରହଣ ନେଇ ଆଲୋଚନା ହୋଇଛି।

ଜାପାନର ଫୁଜି ଫିଲ୍ମ ସହିତ ଜେରକ୍ସ ଏକ ଯୌଥ ଉଦ୍ୟୋଗ ସ୍ଥାପନ କରିଥିଲା। ସେହି ଉଦ୍ୟୋଗର ଫୁଜି ଫିଲ୍ମ ସହିତ ମିଶ୍ରଣ ହେବାର ଥିଲା। ମାତ୍ର ବିଭିନ୍ନ କାରଣ ଯୋଗୁଁ ସେହି ଡିଲ୍ ହୋଇପାରିଲା ନାହିଁ। ସେହି ଯୌଥ ଉଦ୍ୟୋଗରେ ଥିବା ସବୁ ଅଂଶଧନକୁ ଜେରକ୍ସ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ଏଥି ସହିତ ଏଚ୍‌ପିକୁ କିଣିବା ପ୍ରସ୍ତାବ ଉପରେ ବିଚାରବିମର୍ଶ ଆରମ୍ଭ କରିଦେଇଛି। ଉଭୟ ଜେରକ୍ସ ଓ ଏଚ୍‌ପି ‘ଅଫିସ୍‌ ହାର୍ଡଓୟାର’ ବଜାରରେ କାରବାର କରୁଛନ୍ତି। କ୍ଲାଉଡ୍‌ କମ୍ପ୍ୟୁଟିଂ ଓ ଇଣ୍ଟରନେଟ୍ ସେବାର ବ୍ୟାପକ ପ୍ରସାର ହେବା ପରେ ଏହି ଦୁଇ କଂପାନିର କାରବାର ଗୁରୁତର ଭାବେ ପ୍ରଭାବିତ ହୋଇଛି। ସ୍ମାର୍ଟଫୋନ୍‌ର ବ୍ୟବହାର ବଢ଼ିଯିବା ପରେ ଏଚ୍‌ପି ଅଧିକ ପ୍ରଭାବିତ ହୋଇଛି। ନିକଟରେ ଏହା ନିଜ କର୍ମଚାରୀ ସଂଖ୍ୟା ୧୬% କମ୍ କରିଥିଲା। ଖର୍ଚ କାଟ କରିବାକୁ କଂପାନି ଉଦ୍ୟମ ଜାରି ରଖିଛି।

କାରବାର ଦୃଷ୍ଟିରୁ ଏଚ୍‌ପି ଠାରୁ ଜେରକ୍ସ ବହୁତ ଛୋଟ କଂପାନି। ଏଚ୍‌ପି ଭଳି ଏତେ ବିଶାଳ କଂପାନି କିଣିବା ଲାଗି‌ ଜେରକ୍ସ କେଉଁ ଠାରୁ ପାଣ୍ଠି ଯୋଗାଡ଼ କରିବ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏକ ବଡ଼ ବ୍ୟାଙ୍କ ଜରେକ୍ସ-ଏଚ୍‌ପି ଡିଲ୍‌ ପାଇଁ ପାଣ୍ଠି ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର