ଛୁରି ଭୁସି, ହାତ ବାନ୍ଧି ବଣରେ ଜିଅନ୍ତା ପୋତି ଦେଇଥିଲେ ସ୍ବାମୀ, କୌଣସିମତେ କବର ଖୋଳି ବାହାରି ଆସିଲେ ସ୍ତ୍ରୀ

ନୂଆଦିଲ୍ଲୀ: ଗତ ସପ୍ତାହ ପ୍ରାରମ୍ଭରେ ପୂର୍ବତନ-ସ୍ବାମୀ ଛୁରି ମାରି ବଣରେ ଜିଅନ୍ତା ପୋତି ପକାଇଥିବା ଜଣେ ଆମେରିକୀୟ ମହିଳା କୌଣସିମତେ କବର ଖୋଳି ବାହାରି ଆସିଥିବା କଥା ‘ଏନ୍‌ବିସି ନିଉଜ୍‌’ ରିପୋର୍ଟ କରିଛି।

ରିପୋର୍ଟ ଅନୁସାରେ, ବ୍ୟକ୍ତିଜଣକ ମହିଳାଙ୍କୁ କବର ଦେଇଥିବା କବରଟି ଥିଲା ଅଗଭୀର। କିନ୍ତୁ, ହାତ ବନ୍ଧା ଯାଇଥିବାରୁ ଗର୍ତ୍ତ ମଧ୍ୟରେ ପୋତା ଯାଇଥିବା ମହିଳାଜଣକ ମୁହଁ ଉପରେ ଚାପି ହୋଇପଡୁଥିବା ମାଟିକୁ ଆଡ଼େଇ ଦେବା ପାଇଁ ଘଣ୍ଟା ଘଣ୍ଟା ଧରି ମୁଣ୍ଡକୁ ଏକଡ଼ ସେକଡ଼ କରି ମୃତ୍ୟୁ ସହ ସଂଗ୍ରାମ ଚଳାଇବା ପରେ କୌଣସିମତେ ଗାତ ଖୋଳି କବରରୁ ଉଠିଆସିଥିଲେ। ଏବଂ ତା’ପରେ ଅସୁବିଧାରେ ପଡ଼ିଛନ୍ତି ବୋଲି ‘ଆପ୍ଲ୍‌ ୱାଚ୍‌’ଦ୍ବାରା ୯୧୧କୁ (ପୁଲିସ) ସୂଚନା ଦେଇଥିଲେ।

Image Courtesy of Fox News

ସୂଚନା ପାଇବା ପରେ ପୁଲିସ ରସ୍‌ବର୍ଗ ଷ୍ଟ୍ରିଟ୍‌କୁ ଯାଇ ରବିବାର ଅପରାହ୍ଣରେ ୪୨ ବର୍ଷୀୟ ୟଙ୍ଗ୍‌ ସୁଉକ୍‌ଙ୍କ ଘରେ ପହଞ୍ଚିଥିଲା। ତଦନ୍ତରୁ ଜଣାପଡ଼ିଲା ଯେ, ଛାଡ଼ପତ୍ର ଦିଆନିଆ ସରିଥିଲେ ବି, ୟଙ୍ଗ୍‌ ଓ ତାଙ୍କ ସ୍ବାମୀ ଚେ’ କ୍ୟୋଙ୍ଗ୍‌ ଲୁଗାପଟା ସଫା କରିବାକୁ ସୁଉକ୍‌ଙ୍କ ଘରକୁ ଲଣ୍ଡ୍ରି ଭାବେ ବ୍ୟବହାର କରୁଥିଲେ। ଟଙ୍କାପଇସା କଥାକୁ ନେଇ ରବିବାର ଅପରାହ୍ଣରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା।

ବେଡ୍‌ରୁମ୍‌ରେ ୫୩ ବର୍ଷିୟ କ୍ୟୋଙ୍ଗ୍‌ ମୁଥମାରି ‘ଡକ୍‌ ଟେପ୍‌’ରେ ସୁଉକ୍‌ଙ୍କ ହାତ ବାନ୍ଧି ତାଙ୍କୁ ଘରୁ ‌ଅପହରଣ କରି ବଣକୁ ନେଇଯାଇଥିଲେ। ବଣର ଗାତ ଖୋଳିବା ପରେ ସେ ସଉକ୍‌ଙ୍କୁ ଛୁରି ଭୁସି ଗାତରେ କବର ଦେଇଥିଲେ।

କବର ଭିତରେ ସୁଉକ୍‌ କୌଣସିମତେ ହାତ ଓ ପାଟିରୁ ଡକ୍‌ ଟେପ୍‌ ବାହାର କରିବା ପରେ ମାଟି ଆଡ଼େଇ ପଦାକୁ ବାହାରି ଆସିଥିଲେ। କବରରୁ ଉଠି ଆସିବା ପରେ ୩୦ ମିନିଟ୍‌ ଧାଇଁବା ପରେ ସେ ଗୋଟାଏ ସେଡ୍‌ରେ ଆତ୍ମଗୋପନ କରି ପୁଲିସକୁ ସୂଚନା ଦେଇଥିଲେ।

ପରେ ପରେ ପୁଲିସ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର