ଡିଆର୍‌ଡିଓ-ଚାନ୍ଦିପୁର ରାସ୍ତାରେ ଯିବାକୁ ଡରିଲେଣି ଲୋକ: ଭୁଜାଲି ଧରି ମାଛ ବ୍ୟବସାୟୀଙ୍କୁ ଗୋଡ଼ାଇଲେ ଲୁଟେରା

ବାଲେଶ୍ବର/ଚାନ୍ଦିପୁର: ବାଲେଶ୍ବର ସହରରୁ ଚାନ୍ଦିପୁରକୁ ରାସ୍ତା ଜିଲ୍ଲାର ଅନ୍ୟତମ ବ୍ୟସ୍ତବହୁଳ ତଥା ଗୁରୁତ୍ବପୂର୍ଣ୍ଣ ରାସ୍ତା। କାରଣ ଏହି ରାସ୍ତାର ଶେଷ ଭାଗରେ ଭାରତୀୟ ପ୍ରତିରକ୍ଷା ବିଭାଗର ଡିଆରଡିଓ ରହିଥିବା ବେଳେ ଚାନ୍ଦିପୁର ବେଳାଭୂମି ଭଳି ପର୍ଯ୍ୟଟନ କ୍ଷେତ୍ର ଏବଂ ବଳରାମଗଡ଼ି ମାଛ ଅବତରଣ କେନ୍ଦ୍ର ରହିଛି। ଫଳରେ ୨୪ ଘଣ୍ଟା ଏହି ରାସ୍ତାରେ ଯାନବାହାନ ତଥା ଲୋକଙ୍କ ଚଳପ୍ରଚଳ ରହିଥାଏ। କିନ୍ତୁ ଏବେ ସଂଜ ନଇଁଲେ ବାଲେଶ୍ବର-ଚାନ୍ଦିପୁର ରାସ୍ତାରେ ଯିବାକୁ ଭୟ ଲାଗୁଛି।
ଘଟଣା କ୍ରମରେ ଗତକାଲି ବିଳମ୍ବିତ ରାତି ଏବଂ ଆଜି ଭୋର୍‌ ମଧ୍ୟରେ ବାଲେଶ୍ବର ସହର ଉପକଣ୍ଠ ତାମୁଳିଆରୁ ଚାନ୍ଦିପୁର ପା​ତ୍ରପଡ଼ା ପର୍ଯ୍ୟନ୍ତ ଯାଇଥିବା ନୂଆ ଡିଆର୍‌ଡିଓ ରାସ୍ତାରେ ଏକାଧିକ ଲୋକ ଆକ୍ରମଣ ସହ ଲୁଟ୍‌ର ଶିକାର ହୋଇଥିବା ବେଳେ ପାଛୋଡ଼ିଆ ଗାନ୍ଧୀନଗର ସ୍ଥିତ ଏକାଧିକ ଭଡ଼ାଘର ଏବଂ ପ୍ରତିରକ୍ଷା କର୍ମଚାରୀ ରହୁଥିବା କଲୋନିରେ ୩ଟି କ୍ବାର୍ଟରର ତାଲା କାଟି ଘର ଭିତରେ ଥିବା ସୁନାଗହଣା ଓ ନଗଦ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି।

ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟେରା ଦଳ ଚାନ୍ଦିପୁର ଥାନା ଝାମ୍ପୁରାହାଟ ଠାରେ ଥିବା ଏକ କୁକୁଡ଼ାଦୋକାନ ଭାଙ୍ଗି ଏକ ଟିଭି ଓ ଦୋକାନ କ୍ୟାସ୍‌ ବାକ୍ସରେ ଥିବା ଟଙ୍କା ଚୋରି କରିଛନ୍ତି। ଏହାପରେ ଭୋର୍‌ ସମୟରେ ଜଳେଶ୍ବର ଥାନା ଅଞ୍ଚଳର ଅଭୟ ରଣା(୪୦) ନାମକ ଜଣେ ମାଛ ବ୍ୟବସାୟୀ ନୂଆ ଡିଆର୍‌ଡିଓ ରାସ୍ତା ଦେଇ ବଳରାମଗଡ଼ି ଯାଉଥିବା ବେଳେ ଗଛମାଳିଆ ଛକ ନିକଟରେ ଭୁଜାଲି ଦେଖାଇ ଲୁଟେରାଦଳ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଶ୍ରୀ ରଣା ନଅଟକିବାରୁ ସେମାନେ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଫଳରେ ସେ ଭାରସାମ୍ୟ ହରାଇ ବାଇକ୍‌ ସହ ପଡ଼ିଯାଇଥିଲେ। ଲୁଟେରା ଦଳ ଦୁଇଟି ବାଇକ୍‌ରେ ଥିବା ବେଳେ ସେମାନେ ବ୍ୟବହାର କରିଥିବା ଗୋଟିଏ ନମ୍ବର ବିହୀନ ବାଇକ୍‌ ମଧ୍ୟ ନୟନଯୋଡ଼ି ଭିତରକୁ ଗଳି ପଡ଼ିଥିଲା। ସେଥିରେ ଥିବା ଦୁଇଜଣ ଲୁଟେରା ବିଲ ଭିତରେ ଖସି ପଳାଇଥିବା ଶ୍ରୀ ରଣା କହିଛନ୍ତି। ଏହାପରେ କିଛି ସମୟ ପରେ ସେହି ରାସ୍ତାରେ ଆସୁଥିବା ଅନ୍ୟ ମାଛ ବ୍ୟବସାୟୀମାନେ ଶ୍ରୀ ରଣାଙ୍କୁ ଉଦ୍ଧାର କରି ବାଲେଶ୍ବର ବଡ଼ ଡାକ୍ତରଖାନାକୁ ଆଣିଥିଲେ।

ସମାନ ଭାବରେ ପାଛୋଡ଼ିଆ ଗାନ୍ଧୀନଗର ସ୍ଥିତ ପ୍ରତିରକ୍ଷା କର୍ମଚାରୀ କଲୋନି ପରିସର ଭିତରେ ପଶି ଗତକାଲି ବିଳମ୍ବିତ ରାତିରେ ୧୯୯/୩ ନମ୍ବର କ୍ବାର୍ଟର୍ସରେ ରହୁଥିବା ଯୁଗୋଳ କିଶୋର ବେହେରା, ୧୯୯/୯ ନମ୍ବର କ୍ବାର୍ଟର୍ସରେ ରହୁଥିବା ରାହୁଲ କୁମାର, ୧୨୦/୨ ନମ୍ବର କ୍ବାର୍ଟର୍ସରେ ରହୁଥିବା ପିକେ ସ୍ବାଇଁ ଓ ୧୨୨/୨ ନମ୍ବର କ୍ବାର୍ଟର୍ସରେ ରହୁଥିବା ବୈଷ୍ଣବ ଚରଣ ବେହେରାଙ୍କ ଘର ଭିତରେ ମଧ୍ୟ ଲୁଟେରା ଦଳ କଳାକନା ବୁଲାଇଥିବା ଜଣାପଡ଼ିଛି। ​ଏଥିସହ ଗାନ୍ଧୀନଗର ନିବାସୀ ମାୟାଧର ବେହେରାଙ୍କ ଘରେ ଭଡ଼ାନେଇ ରହୁଥିବା ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ସାଇଶଙ୍କର ରାୟଙ୍କ ଘରର ତାଲା କାଟି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ୬୦ ହଜାର ଟଙ୍କା ଲୁଟି ନେଇଥିବା ଶ୍ରୀ ରାୟ ଅଭିଯୋଗ କରିଛନ୍ତି। ଆଜି ସକାଳେ ସଦର ଥାନା ପୁଲିସ ଓ ଚାନ୍ଦିପୁର ଥାନା ପୁଲିସ ସମ୍ପୃକ୍ତ ସ୍ଥାନରେ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି। ନୂଆ ଡିଆର୍‌ଡିଓ ରାସ୍ତାର ବିଭିନ୍ନ ସ୍ଥାନରେ ଏବଂ ଲୋକଙ୍କ ଘରେ ଲାଗିଥିବା ସିସି କ୍ୟାମେରାରୁ ଲୁଟେରାଙ୍କ ଗତିବିଧିର ଫୁଟେଜ୍‌ ଯାଞ୍ଚ୍‌ କରାଯାଇଛି। ଘଟଣାକୁ ଗୁରୁତ୍ବର ସହ ନେଇ ଏସ୍‌ପି ସାଗରିକା ନାଥ ଲୁଟେରା ଦଳକୁ ଧରିବା ପାଇଁ ଏକ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ସଦର ଏସ୍‌ଡିପିଓ ଡ.ଶଶାଙ୍କ ଶେଖର ବେଉରାଙ୍କ ନେତୃତ୍ବରେ ଗଠନ ହୋଇଥିବା ପୁଲିସ ଟିମ୍‌ ୩ ଜଣ ଲୁଟେରାଙ୍କୁ ଧରିଥିବା ବେଳେ ସେମାନେ ଚାନ୍ଦିପୁର ଝାମ୍ପୁରା ହାଟରେ ଦୋକାନ ଚୋରି ଓ ମାଛ ବ୍ୟବସାୟୀଙ୍କୁ ଆକ୍ରମଣ ସହ ସମ୍ପୃକ୍ତ ଥିବା ସୂଚନା ଦେଇଛନ୍ତି। ଏ ନେଇ ସେମାନଙ୍କୁ ଅଧିକ ପଚରାଉଚୁରା କରାଯାଉଥିବା ସେ କହିଛନ୍ତି। ସେହିପରି ଆଇଟିଆର୍‌ କଲୋନି ଏବଂ ସେହି ଅଞ୍ଚଳରେ ଥିବା ଭଡ଼ାଘର ଚୋରି ଘଟଣାରେ ତଦନ୍ତ ଚାଲିଥିବା ସେ ଜଣାଇଛନ୍ତି।

ସୂଚନାଥାଉକି, ପ୍ରତିଦିନ ରାତି ପାହିଲେ ବା ବଡ଼ି ଭୋରରୁ ନୀଳଗିରି, ସୋର, ରେମୁଣା, ବସ୍ତା ସମେତ ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରୁ ଶତାଧିକ ମାଛ ବ୍ୟବସାୟୀ ଚାନ୍ଦିପୁର ବଳରାମଗଡ଼ି ମାଛ ଅବତରଣ କେନ୍ଦ୍ରରୁ ମାଛ କିଣି ସମ୍ପୃକ୍ତ ଅଞ୍ଚଳରେ ନେଇ ବିକ୍ରିବଟା କରିଥାନ୍ତି। ଏହାଛଡା ବଳରାମଗଡ଼ିରୁ ମଧ୍ୟ ସମ୍ପୃକ୍ତ ଅଞ୍ଚଳକୁ ଗାଡ଼ି ଯୋଗେ ମାଛ ଚାଲାଣ ହୋଇଥାଏ। ଅନ୍ୟପକ୍ଷରେ କେବଳ ମାଛ ବ୍ୟବସା​ୟୀ ନୁହଁନ୍ତି ଚାନ୍ଦିପୁର ବେଳାଭୂମିକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଆସୁଥିବା ବେଳେ ଚାନ୍ଦିପୁର ଅଞ୍ଚଳରୁ ବାଲେଶ୍ବର ସହରକୁ ବିଭିନ୍ନ କାମରେ ଲୋକମାନେ ଯାତାୟତ କରିଥାନ୍ତି। ହେଲେ ବେଶ୍‌ କିଛିଦିନ ହେଲା ନୂଆ ଡିଆରଡିଓ ରାସ୍ତାକୁ ଅପରାଧୀ ଗୋଷ୍ଠୀ ବେଶ କିଛିଦିନ ହେଲା ସେମାନଙ୍କ ଚରାଭୂଇଁରେ ପରିଣତ କରିଦେଲେଣି। ସେମାନଙ୍କ ଉତ୍ପାତ ଯୋଗୁ ଏବେ ସେ ଅଞ୍ଚଳବାସୀ ମୁହଁ ସଞ୍ଜରେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ ସାଧାରଣ ଲୋକେ, ବ୍ୟବସାୟୀ ଓ ପର୍ଯ୍ୟଟକ ତ୍ରାହିତ୍ରାହି ଡାଣିଲେଣି।

ଅନ୍ୟପକ୍ଷରେ ବାଲେଶ୍ୱର-ଚାନ୍ଦିପୁର ରାସ୍ତା ସନ୍ଧ୍ୟା ପରେ ଅନ୍ଧାର ରହୁଥିବାରୁ ଏହି ରାସ୍ତାରେ ଅପରାଧୀ ଓ ନିଶାଡ଼ି ଗୋଷ୍ଠୀ ସଞ୍ଜ ନଇଁଲେ ଟହଲ ମାରିବା ଆରମ୍ଭ କରନ୍ତି। ଲଗାତାର ଭାବରେ ଏହି ରାସ୍ତାରେ ଏବେ ଲୁଟ୍‌ପାଟର ଶିକାର ହେଉଛନ୍ତି ଲୋକେ। ସବୁଠୁ ବଡ଼ ବିଡ଼ମ୍ବନା ହେଉଛି, ରାସ୍ତାକଡ଼ରେ ଥିବା ଅଧିକାଂଶ ଦୋକାନୀ ଦେଶୀବିଦେଶୀ ମଦ ସହ ଅନ୍ୟାନ୍ୟ ନିଶାଦ୍ରବ୍ୟ ଖୁଲମଖୁଲା ବିକ୍ରି କରୁଛନ୍ତି। ପର୍ଯ୍ୟଟନ ସ୍ଥାନରେ ଏସବୁ ଉପରେ ଅଙ୍କୁଶ ଲାଗିବାର ସରକାରୀ ନିୟମ ରହିଥିବା ବେଳେ କାହାରି ଏଥିପ୍ରତି ନିଘା ନାହିଁ। ଫଳରେ ପର୍ଯ୍ୟଟକ, ସାଧାରଣ ଜନତା ଓ ବ୍ୟବସାୟୀ ସମସ୍ତଙ୍କ ପାଇଁ ଏହି ରାସ୍ତା ଏବେ ଅସୁରକ୍ଷିତ ହୋଇଥିବାରୁ ପୁଲିସ ଓ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର