ଇକୋ ସେନ୍‌ସିଟିଭ୍‌ ଜୋନ୍‌ରେ ଇଟାଭାଟି: ସଜବାଜ ହେଲେଣି ମାଲିକ ଓ ଶ୍ରମିକ

ନୀଳଗିରି: ୬ ମାସର ବ୍ୟବଧାନ ପରେ ଏବେ ପୁଣି ସଜବାଜ ହେଲେଣି ଇଟାଭାଟି ମାଲିକ। ମାଟି ସଂଗ୍ରହ କରି ଇଟା ତିଆରିରେ ଲାଗିପଡ଼ିଛନ୍ତି ଶ୍ରମିକ। ସେ ପୁଣି ଇକୋସେନ୍‌ସିଟିଭ୍‌ ଜୋନ୍‌ରେ। ପ୍ରଶାସନିକ ନିୟମକୁ ଦଳିମକଚି ନୀଳଗିରି ଅଞ୍ଚଳରେ ଥିବା ଜଙ୍ଗଲ ଜମିରେ ଚାଲିବ ବେଆଇନ୍‌ ଇଟାଭାଟି! ଗତ ମେ ୨୦ ତାରିଖରେ ପୂର୍ବତନ ତହସିଲଦାର ରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ସନ୍ତରାଗଡ଼ିଆ ଅଞ୍ଚଳରୁ ୨ଟି ଇଟାଭାଟି ଭଙ୍ଗାଯିବା ସହ ଅନ୍ୟ ୧୭ଟି ଇଟାଭାଟିରେ ୧୪୪ ଧାରା ଲାଗୁ କରାଯାଇଥିଲା। ଆଗାମୀ ଦିନରେ ଅନ୍ୟ ବେଆଇନ ଇଟାଭାଟିଗୁଡ଼ିକୁ ପର୍ଯ୍ୟାୟକ୍ରମେ ଭଙ୍ଗାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। ହେଲେ ତହସିଲଦାରଙ୍କ ବଦଳି ହେବା ପରେ ଏବେ ଇଟାଭାଟି ମାଲିକମାନେ ଇଟା ପ୍ରସ୍ତୁତି ପାଇଁ ସଜବାଜ ହେଉଛନ୍ତି।

ଖାଲି ଇକୋସେନ୍‌ସିଟିଭ୍‌ ଜୋନ୍‌ ନୁହେଁ, ନୀଳଗିରି ଏନ୍‌ଏସି ଏବଂ ବରହମପୁରର ବିଭିନ୍ନ ଅଞ୍ଚଳରେ ମଧ୍ୟ ବେଆଇନ ଇଟାଭାଟି ଗଢ଼ିଉଠିଛି। ଫଳରେ ଅସହ୍ୟ ତାତି ସାଙ୍ଗକୁ ବାୟୁ ପ୍ରଦୂଷଣର ଶିକାର ହେଉଛନ୍ତି ସ୍ଥାନୀୟ ଲୋକେ। କୁଲଡ଼ିହା ଅଭୟାରଣ୍ୟର ଇକୋସେନ୍‌ସିଟିଭ୍‌ ଜୋନ୍‌ରେ ବେଆଇନ ଭାବେ ୧୫ଟି ଇଟାଭାଟି ଗଢ଼ିଉଠିଛି। ବେଆଇନ୍‌ ଚିମିନି ଓ ଚଦର ଇଟାଭାଟିରୁ ରାଜସ୍ବ ବିଭାଗ କେବଳ ଜରିମାନା ଆଦାୟ କରି ଚୁପ୍ ହୋଇ ବସୁଥିବା ଅଭିଯୋଗ ହେଉଛି। କୁଲଡ଼ିହା ଜଙ୍ଗଲର ୨୧୯.୮୮ ବର୍ଗ କିଲୋମିଟର ଅଞ୍ଚଳ ଇକୋସେନ୍‌ସିଟିଭ୍‌ ଜୋନ୍‌ରେ ଅନ୍ତର୍ଭୁକ୍ତ। ବାଲେଶ୍ବର ଜିଲ୍ଲାପାଳଙ୍କ ସମେତ ବାଲେଶ୍ବର ଏସ୍‌ପି, ରାଜ୍ୟ ପରିବେଶ ବିଭାଗର ଜଣେ ମନୋନୀତ ବିଶେଷଜ୍ଞ, ଅଣସରକାରୀ ସଂସ୍ଥାର ପ୍ରତିନିଧି, ରାଜ୍ୟ ପ୍ରଦୂଷଣ କଷ୍ଟୋ‌ଲ୍‌ ବୋର୍ଡର ଜିଲ୍ଲା କ୍ଷେତ୍ର ଅଧିକାରୀ, ବାଲେଶ୍ବର ଓ ବାରିପଦା ଡିଏଫ୍‌ଓ, ମୟୂରଭଞ୍ଜ ଏସ୍‌ପି, କପ୍ତିପଦା ଉପଜିଲ୍ଲାପାଳ ଏବଂ ରାଜ୍ୟ ଜୈବ ବିବିଧତା ବୋର୍ଡ ସଦସ୍ୟଙ୍କୁ ନେଇ ‌ଇକୋସେନ୍‌ସିଟିଭ୍‌ ଜୋନ୍‌ କମିଟି ହୋଇଛି।

ଏହି ନିଷିଦ୍ଧାଞ୍ଚଳରେ ଖାଦାନ, କ୍ରସ୍‌ର ୟୁନିଟ୍‌, କରତକଳ, ଇଟାଭାଟି ଆଦି ପ୍ରତିଷ୍ଠା କରିବାକୁ ବାରଣ କରାଯାଇଥିଲେ ହେଁ ବେଆଇନ ଭାବେ ଏସବୁ ଚାଲିଛି। ନୀଳଗିରିରେ ବେଧଡ଼କ ଭାବେ ଚୋରାବାଲି, ମାଟି, ପଥର ଓ ମୋରମ୍‌ ଚାଲଣ ହେଉଥିବା ବେଳେ ମାଫିଆମାନେ ଦିନ ଦ୍ବିପ୍ରହରରେ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଚୋରି କରିବାରେ ସଫଳ ହେଉଛନ୍ତି। ଏନେଇ ନୀଳଗିରି ତହସିଲଦାର ଦୀପ୍ତିମୟୀ ବେହେରାଙ୍କୁ ପଚାରିବାରୁ ଇଟା ପ୍ରସ୍ତୁତି ପାଇଁ କାହାକୁ ଅନୁମତି ମିଳିନାହିଁ। ସମସ୍ତ ବେଆଇନ ଇଟାଭାଟିଗୁଡ଼ିକୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ସେହିପରି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ କହିଛନ୍ତି, କୌଣସି ଇଟାଭାଟି ଚାଲିବାକୁ ଅନୁମତି ଦିଆଯାଇନାହିଁ।

ସମ୍ବନ୍ଧିତ ଖବର